ସୁନ୍ଦରଗଡ଼: ଏନଟିପିସି ଡୁଲିଙ୍ଗା କୋଇଲା ଖଣି ପ୍ରକଳ୍ପ ବିସ୍ଥାପିତ ବିବାହିତ ଝିଅମାନେ ନୀତି ଅନୁଯାୟୀ ଥଇଥାନ ଓ ପୁନର୍ବାସ ସୁବିଧା ଦେବାକୁ ଦାବି କରି ଆସୁଛନ୍ତି। ଏ ନେଇ ମହିଳାମାନେ ଧାରଣା, ବିକ୍ଷୋଭ କରିଥିଲେ। କିନ୍ତୁ ପ୍ରଶାସନ ନ୍ୟାୟ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରିଆସୁଛି। କେବେ ପୁଲିସ ଲଗାଇ ଆନ୍ଦୋଳନକୁ ଦମନ କରିଛି ତ କେଇବେ ଆଲୋଚନା କରି ଦିନ ଗଡ଼ାଇ ନେଉଛି। ଏହାର ପ୍ରତିବାଦରେ ସୋମବାର ପୁଣି ୩୦ରୁ ଅଧିକ ଏନଟିପିସି ଖଣି ଅଞ୍ଚଳର ବିବାହିତ ମହିଳା ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିରକୁ ଆସି ନ୍ୟାୟ ମାଗିଥିଲେ। ନାରୀ ନେତ୍ରୀ ନିନିମା ପଟେଲଙ୍କ ସହ ଭୋଜମତି ଭଇଁସା, କ୍ଷିତେଶ୍ବରୀ ପଣ୍ଡା, ଜନତା ପଧାନ, କାମିନୀ ଭରସାଗର, କମଳିନୀ ପ୍ରଧାନ, ରଶ୍ମିତା ବଗାର, ଯମୁନା ପଧାନ, ଉପାସି ଷଣ୍ଢ, ସୁଷମା ବରିହା, ଉଷା ପ୍ରଧାନ, ପୂର୍ଣ୍ଣିମା ଷଣ୍ଢ, କୁମୁଦିନୀ ଷଣ୍ଢ, କିଶୋରୀ ବଢ଼େଇ, ମୁକ୍ତା ପଧାନ, ସୁସ୍ମିତା ଡିଲା, ଚମ୍ପାବତୀ କର୍ତ୍ତା ପ୍ରମୁଖଙ୍କ ସହ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି ଆଲୋଚନା କରିଥିଲେ। ମହିଳାମାନେ ପ୍ରଶ୍ନ କରିଥିଲେ, ଯଦି ଏହି ବିବାହିତା ମହିଳାମାନେ ଅଯୋଗ୍ୟ, ତେବେ ଅନ୍ୟ ବିବାହିତା ମହିଳାମାନେ କେଉଁ ଆଧାରରେ ସହାୟତା ପାଇଛନ୍ତି। ପ୍ରଶାସନ କେବଳ ଖପରିକଛାର ଗାଁ ୨୦୧୩ ବିସ୍ଥାପନ ନୀତିରେ ଆସିବେ ବୋଲି କହିଥିଲା। କିନ୍ତୁ ଖପରିକଛାରକୁ ମଧ୍ୟ ୨୦୧୩ ନୀତି ଅନୁଯାୟୀ ଏକର ପ୍ରତି ୪୦ ଲକ୍ଷ ନଦେଇ ଡୁଲିଙ୍ଗା, ମଝାପଡ଼ା ଓ ବେଲଡିହି ସହ ଭୂମି ଅଧିଗ୍ରହଣ ଆଇନ ୧୮୯୪ ଅନୁଯାୟୀ ୧୫ରୁ ୧୬ ଲକ୍ଷ ଟଙ୍କା ଦିଆଯାଇଛି। ଏନଟିପିସି ୨୦୧୩ ନୂଆ ନୀତି ଲାଗୁ ହେବାର ମାତ୍ର ୫ ଦିନ ଆଗରୁ ୨୭/୧୨/୨୦୧୩ରେ ତରବରରେ ଆୱାର୍ଡ ଘୋଷଣା କରିଥିଲା। କିନ୍ତୁ ଲୋକଙ୍କ ଆକାଉଣ୍ଟକୁ ୨୦୧୪/୧୫ରେ ଜମିର କ୍ଷତିପୂରଣ ଆସିଲା ଓ ଘର, ଗଛ ସହ ଅନ୍ୟ ଆୱାର୍ଡ ୨୦୧୯ରେ ମିଳିଲା। ସେମାନଙ୍କୁ ୨୦୨୦/୨୧ରେ ବିସ୍ଥାପିତ କରାଗଲା। ପୁନର୍ବାସ ଓ ଥଇଥାନ ନୀତିର ଧାରା ୨୪ ଅନୁଯାୟୀ ଜମି ଆୱାର୍ଡ ହୋଇ ଯଦି ଲୋକଙ୍କ ଆକାଉଣ୍ଟରେ ଜମିର କ୍ଷତିପୂରଣ ଟଙ୍କା ଜମା ହୋଇ ନଥାଏ, ଗଛ, ଘରର କ୍ଷତିପୂରଣ ମିଳି ନଥାଏ ଏବଂ କମ୍ପାନି ଗାଁକୁ ସମ୍ପୂର୍ଣ୍ଣ ଭାବେ ନିଜ କବଜାକୁ ନେଇପାରି ନଥାଏ, ତେବେ ଏହି ସମସ୍ତ ବିସ୍ଥାପିତ ୨୦୧୩ ନୀତିରେ ସାମିଲ ହେବେ ବା ଖଣି ଅଧିଗ୍ରହଣ ବସ୍ତି ଭାବେ ଘୋଷିତ ହେବ। ଏହି ପରିପ୍ରେକ୍ଷୀରେ ରାଜସ୍ବ ସଚିବଙ୍କ ପତ୍ରରେ ପ୍ରାଥମିକ ସର୍ବେକ୍ଷଣ ଓ ଚୂଡ଼ାନ୍ତ ବିସ୍ଥାପନ ପୂର୍ବରୁ ବିବାହ କରିଥିବା ଝିଅମାନେ ୨୦୧୩ ନୀତିରେ କ୍ଷତିପୂରଣ ପାଇବେ ବୋଲି ଉଲ୍ଲେଖ ରହିଛି।
ସେହିପରି ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ବିବାହିତା ଝିଅମାନଙ୍କ ସପକ୍ଷରେ ଏକ ସାର୍ବଜନୀନ ରାୟ ଦେଇ ପୁଅ ଭଳି ଝିଅ ମଧ୍ୟ ସମାନ ସୁବିଧା, ସୁଯୋଗ ପାଇବେ ବୋଲି ପ୍ରକାଶ କରିଥିବାରୁ ସେମାନେ ବିସ୍ଥାପିତ ପରିବାରର ଝିଅ ଭାବେ ଥଇଥାନ ସୁବିଧା, ସହାୟତା ପାଇବାକୁ ଯୋଗ୍ୟ ବୋଲି ଯୁକ୍ତି କରିଥିଲେ। ଜିଲ୍ଲାପାଳ ଶ୍ରୀ ଗାଭାଲି ଉପଜିଲ୍ଲାପାଳଙ୍କୁ ତୁରନ୍ତ ଯଥାଯୋଗ୍ୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଥଇଥାନ ଓ ପୁନର୍ବାସ ଦାବିରେ ଦୀର୍ଘ ୮ ମାସ ଧରି ଖଣି କାର୍ଯ୍ୟାଳୟ ଆଗରେ ମହିଳାମାନେ ଧାରଣା ଦେଇଥିଲେ। ପ୍ରଶାସନ ସେମାନଙ୍କ ଦାବି ଶୁଣିବା ପରିବର୍ତ୍ତେ ଜୁଲାଇ ୪ ତାରିଖରେ ଖଣି ଅଞ୍ଚଳରେ ୧୪୪ ଧାରା ଜାରି କରି ଡୁଲିଙ୍ଗା, ମଝାପଡ଼ା, ବେଲଡିହି ଓ ଖପରିକଛାର ଗାଁର ୭୦ରୁ ଅଧିକ ମହିଳାଙ୍କୁ ଗିରଫ କରିଥିଲା। ପ୍ରଶାସନର ଏ ପ୍ରକାର ଦମନଲୀଳାକୁ ନେଇ ଖଣି ପ୍ରଭାବିତ ଗାଁରେ ଅସନ୍ତୋଷ ଲାଗି ରହିଥିବା ବେଳେ ଗତ ଅକ୍ଟୋବର ୧୮ ତାରିଖରେ ଯୁବନେତା ଡଃ. ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଉପଜିଲ୍ଲାପାଳ ଓ ଏନଟିପିସି କୋଇଲା ଖଣି ପ୍ରକଳ୍ପ ଅଧିକାରୀମାନେ ପ୍ରଭାବିତ ମହିଳାମାନଙ୍କ ସହ ଆଲୋଚନା କରିଥିଲେ। ବୈଠକ ପରେ ଦାବି ବିଚାରଯୋଗ୍ୟ ଥିବା ହୃଦବୋଧ କରି ଉପଜିଲ୍ଲାପାଳ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟ ଠାରୁ ବିସ୍ଥାପିତ ମହିଳାମାନଙ୍କ ଦାବି ଉପରେ ପ୍ରଶାସନ ନିରବ ରହି ଆସୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/WhatsApp-Image-2023-02-06-at-8.20.47-PM.jpeg)