ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଜାନୀଗୁଡା-ତାଲାପଦର ମଧ୍ୟରେ ନାଗୀ ନଦୀରେ ସେତୁର ଛାତ ଭୁଶୁଡ଼ିବା ଘଟଣାରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ଠିକାଦାର ଆଶିଷ ବିଶ୍ବାଳ ଓ ନିର୍ମାଣ କାର୍ଯ୍ୟ ଦାୟିତ୍ବରେ ଥିବା ଧିକାରୀଙ୍କ ନାଁରେ ଫୌଜଦାରୀ ମାମଲା ପାଇଁ ନିର୍ଦ୍ଦେଶ । ଉଭୟଙ୍କୁ ଗିରଫ କରିବା ପାଇଁ ସେ କହିଛନ୍ତି। ଏଥି ସହିତ ସୁନାବେଡ଼ା ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଆସନ୍ତାକାଲି ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ନିର୍ମାଣାଧିନ ସେତୁ ଭୁଶୁଡ଼ିବାରୁ ଆଜି ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଜାନୀଗୁଡା-ତାଲାପଦର ମଧ୍ୟରେ ନାଗୀ ନଦୀରେ ସେତୁର ଛାତ ଭୁଶୁଡ଼ିବାରୁ ଆଜି ସନ୍ଧ୍ୟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଲେ ମହେନ୍ଦ୍ର ମାଳି (୪୫)। ସେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିଲେ। ଆହତମାନେ ହେଲେ ପ୍ରକାଶ କାଣ୍ଡି (୫୦), ରମେଶ ଭୋଇ (୫୦) ଓ ସନ୍ତୋଷ ଭୋଇ (୨୮)।
ଉମରକୋଟ ବ୍ଲକ ଅନ୍ତର୍ଗତ ଜାନୀଗୁଡ଼ା ଠାରୁ ତାଳପଦର ରାସ୍ତାରେ ନାଗୀ ନଦୀ ଉପରେ ସେତୁ ନିର୍ମାଣ ଚାଲିଥିଲା। ସେତୁର ଛାତ ପକାଇବା ପାଇଁ ଆଜି କାମ ଚାଲିଥିଲା। ସନ୍ଧ୍ୟା ସମୟରେ ଏଠାରେ ଦିଆଯାଇଥିବା ଲୁହା ଭାରା ଦବିଯାଇଥିଲା। ଫଳରେ ଦୁର୍ଘଟଣା ଘଟିଥିଲା। ନବରଂଗପୁର ଜିଲ୍ଲା ରାଇଘର ଅଂଚଳର ମହେନ୍ଦ୍ର ନାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀ ଜିଲ୍ଲାର ପ୍ରକାଶ କାଣ୍ଡି, ରମେଶ ଭୋଇ ଓ ସନ୍ତୋଷ ଭୋଇ ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଉମରକୋଟ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ସେମାନଙ୍କୁ ନବରଂଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ୩ ଜଣ ଶ୍ରମିକ ଭାବେ କାମ କରୁଥିଲେ ଏବଂ ସେମାନଙ୍କର ମୁଣ୍ଡ ଓ ମେରୁଦଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/lklkhlkhlkhhlkhlkhl.jpg)