ଇଞ୍ଜିନିୟରଙ୍କୁ ଉଠ୍‌ବସ୍‌ କରିବା ଘଟଣା: ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ବଲାଙ୍ଗୀର: ଜୁନିଅର ଇଞ୍ଜିନିୟରଙ୍କୁ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ କାନଧରି ଉଠବସ୍‌ କରିବା ଘଟଣାର ସତ୍ୟତା ଅଛି ବୋଲି ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ରବିବାର ଗଣମାଧ୍ୟମକୁ କହିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ, ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ରିପୋର୍ଟ ମଗାଯାଇଥିଲା,। ଘଟଣା ସଂପର୍କରେ ପୂର୍ବରୁ ଯାହା ଜଣାପଡୁଥିଲା, ତାହା ରିପୋର୍ଟରୁ ସତ୍ୟ ବୋଲି ଜଣାପଡ଼ିଛ। ସେ କହିଛନ୍ତି, ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ କରାଯିବ।

ଶୁକ୍ରବାର ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ସରୋଜ ମେହେରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଭେଟିବା ପରେ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସେବା ସଂଘର ସାଧାରଣ ସମ୍ପାଦକ ସଚିତ୍ର ମୋହନ ରାଉଳ କହିଥିଲେ, ବିଧାୟକଙ୍କ ଭଳି ନିର୍ବାଚିତ ଜନପ୍ରତିନିଧି ଆଇନକୁ ନିଜ ହାତକୁ ନେଇ କର୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ବିଚ୍ ରାସ୍ତାରେ ଦଣ୍ଡ ଦେବା ଅତ୍ୟନ୍ତ ଗର୍ହିତ ଓ ଆଇନ ବିରୁଦ୍ଧ କାର୍ଯ୍ୟ। ସଂଘ ଏ ପ୍ରକାର ଆଇନ ବିରୋଧୀ କାର୍ଯ୍ୟକୁ ଦୃଢ଼ ନିନ୍ଦା କରୁଛି।

ଏହି ଘଟଣାକୁ ନେଇ ଏବେ ବିରୋଧୀ ସରକାରଙ୍କୁ ଘେରିବା ଆରମ୍ଭ କଲେଣି। ବିଧାୟକ ଶ୍ରୀ ମେହେରଙ୍କୁ ତୁରନ୍ତ ଗିରଫ କରିବାକୁ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଦାବି କରିଛି। ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରି କହିଛନ୍ତି, ଜୟକାନ୍ତ ଶବରଙ୍କୁ ଯେଉଁଭଳି ଭାବରେ ଜନସାଧାରଣଙ୍କ ଆଗରେ କାନଧରି ବିଧାୟକ ଉଠବସ କରାଇଛନ୍ତି ସେଥିରୁ ସ୍ପଷ୍ଟ ହେଉଛି ବିଜେଡି ଶାସନରେ ଗଣତାନ୍ତ୍ରିକ ଶୈଳୀରେ ଶାସନ ଚାଲୁ ନାହିଁ। ଏ ନେଇ ବିଧାୟକଙ୍କ ବିରୋଧରେ ସହକାରୀ ଇଞ୍ଜିନିୟର ଶ୍ରୀ ଶବରଙ୍କ ପତ୍ନୀ ପୁଲିସରେ ଏତଲା ଦେଇଥିଲେ ବି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଖୋଦ ବିଧାୟକ ମଧ୍ୟ ନିଜେ ନିଜର ଅପରାଧକୁ ଗଣମାଧ୍ୟମ ଆଗରେ ସ୍ବୀକାର କରିଛନ୍ତି। ଏସବୁ ସତ୍ତ୍ବେ ପୁଲିସ କାହିଁକି ଚୁପ ବସିଛି ବୋଲି ବିଜେପି ସମ୍ପାଦିକା ପ୍ରଶ୍ନ କରିଛନ୍ତି। ତୁରନ୍ତ ବିଧାୟକ ଶ୍ରୀ ମେହେରଙ୍କୁ ଗିରଫ କରିବା ସହ ଶ୍ରୀ ଶବରଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଦିଆଯାଉ ବୋଲି ଡ. ସାମନ୍ତସିଂହାର ଦାବି କରିଛନ୍ତି। ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘଟଣାକୁ ନିନ୍ଦା କରିବା ସହ ସରକାର ଏପରି ଉଦ୍ଧତ ଜନପ୍ରତିନିଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର