ପଟ୍ଟାମୁଣ୍ତାଇ: ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ନିର୍ମାଣ ପାଇଁ ଆହାର କେନ୍ଦ୍ର ନିକଟରେ ଜଳସଂପଦ ବିଭାଗ ଜାଗାକୁ ଥାନା ନାମରେ ପଟ୍ଟା ଦିଆଯାଇଛି। ଜାଗା ସମସ୍ୟା ତୁଟିଛି। ଏପଟେ ବ୍ୟୟ ଅଟକଳ ଅଧିକ ଦେଖାଇ ଗୃହ ନିର୍ମାଣ ପାଇଁ ଆସିଥିବା ୨ କୋଟି ଟଙ୍କା ଫେରାଇ ଦିଆଯାଇଛି। ଏଷ୍ଟିମେଟର ସଂଶୋଧନ ପାଇଁ କୁହାଯାଇଛି। ଫଳରେ ନିର୍ମାଣ କାମ ସରକାରଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। ଉକ୍ତ ଜାଗାରେ ଖାଲ ଥିବାରୁ ଏହାକୁ ଭରିବା ପାଇଁ ଆଉ ୧ କୋଟି ଟଙ୍କା ଆବଶ୍ୟକ ଥିବାରୁ କାମ ନେଇଥିବା ପୁଲିସ ହାଉସିଂ ବୋର୍ଡ ହାତବାନ୍ଧି ବସିଛି। ଫଳରେ ଘର ନ ଥାଇ ଥାନା କର୍ମଚାରୀ ବାରଣ୍ଡାରେ ବସିଥିବା ବେଳେ ଥାନାକୁ ଆସୁଥିବା ଲୋକ ବାହାରେ ବନ୍ଧା ଯାଇଥିବା ଛିଣ୍ଡା ପାଲ ତଳେ ଅପେକ୍ଷା କରୁଛନ୍ତି। ଏଭଳି ଦୟନୀୟ ସ୍ଥିତିରେ ଆଜବେଷ୍ଟସ ଘରେ ଚାଲୁଛି ଆଦର୍ଶ ଥାନା।
ସରକାର ‘ମୋ ସରକାର ଯୋଜନା’ରେ ପ୍ରଥମ ପର୍ଯ୍ୟାୟରେ ସାମିଲ କରିଥିଲେ ଥାନାକୁ। ମୋ ସରକାର ଯୋଜନା ଏଠାରେ କିପରି ଚାଲୁଛି ତାହା ନ ଦେଖିଲେ ଅନୁମେୟ କରିବା ମୁସ୍କିଲ। ପଟ୍ଟାମୁଣ୍ଡାଇକୁ ଆଦର୍ଶ ଥାନା ଘୋଷଣା ହେବା ପରେ ଥାନାକୁ ବଜାର ଭିତରୁ ଉଠାଇ ଆହାର କେନ୍ଦ୍ର ନିକଟରେ କରିବାକୁ ନିଷ୍ପତ୍ତି ନିଆଗଲା। ରାଜ୍ୟ ସରକାରଙ୍କ ଘରୋଇ ବିଭାଗ ୨ କୋଟି ଟଙ୍କା ମଂଜୁର କଲେ। ଓଡିଶା ହାଉସିଂ ବୋର୍ଡ ଏହାର ନିର୍ମାଣ ଦାୟିତ୍ବ ନେଲେ। ଉକ୍ତ ଜାଗା ଜଳସଂପଦ ବିଭାଗର ହୋଇଥିବାରୁ କାମ ହୋଇ ପାରିଲା ନାହିଁ। ଏହି ଜାଗାକୁ ଜଳସଂପଦ ବିଭାଗ ଘରୋଇ ବିଭାଗକୁ ହସ୍ତାନ୍ତର କରିବାକୁ ୨ ବର୍ଷ ଲାଗିଲା। ଜାଗା ହସ୍ତାନ୍ତର ପରେ ଯେଉଁ ଦୁଇ କୋଟି ଟଙ୍କା ଆସିଥିଲା ତାହା ପର୍ଯ୍ୟାପ୍ତ ହେବ ନାହିଁ ବୋଲି ଦର୍ଶାଇ ହାଉସିଂ ବୋର୍ଡ ଅଧିକ ୧ କୋଟି ଟଙ୍କାର ଆବଶ୍ୟକ ଅଛି ବୋଲି କହିଲା। ଜାଗା ମାପଚୁପ କରି ସଂଶୋଧିତ ଏଷ୍ଟିମେଟ ପୁନରାୟ ରାଜ୍ୟ ସରକାରଙ୍କ ପାଖକୁ ଗଲା। ତାହା ଅଦ୍ୟାବଧି ଅନୁମୋଦନ ଅପେକ୍ଷାରେ ରହିଛି। ଅନ୍ୟପଟେ ପଟ୍ଟାମୁଣ୍ତାଇ ଥାନା ଅଂଚଳରେ ପୁଲିସ ସେବା ଲୋକଙ୍କ ପାଇଁ ଅପହଞ୍ଚ ହୋଇ ପଡିଛି। ପଟ୍ଟାମୁଣ୍ଡାଇ ଥାନାକୁ କ୍ରମାଗତ ଭାବେ ଅବହେଳା କରାଯାଉଛି। ଆଦର୍ଶ ଥାନା ଗୃହ ନିର୍ମାଣ କାମ ଲଟକି ରହିଥିବା ବେଳେ ସଦର ଥାନା ନିର୍ମାଣ କରାଯାଉନାହିଁ। ପଟ୍ଟାମୁଣ୍ତାଇ ଥାନା ଅଂଚଳର ଲୋକ ସଂଖ୍ୟା ହେଉଛି ୨.୫୦ ଲକ୍ଷ ।
ଲୋକଙ୍କୁ ପୁଲିସ ସେବା ଯୋଗାଇ ଦେବାକୁ ଥାନାରେ ନାହାନ୍ତି ଆବଶ୍ୟକ ଅଫିସର। ଥାନାରେ ୨ଜଣ ଇନସପେକ୍ଟର, ୪ଜଣ ସବ୍ଇନସ୍ପେକ୍ଟର , ୪ ଜଣ ଏଏସଆଇ ଓ ୧୫ଜଣ କନେଷ୍ଟବଳ। ଏହି ୧୫ ଜଣ କନେଷ୍ଟବଳଙ୍କ ମଧ୍ୟରେ ରହିଛନ୍ତି ଅଧିକାଂଶ ମହିଳା। ଥାନାର ଗୋଟିଏ ପାର୍ଶ୍ବରୁ ଅନ୍ୟ ଗୋଟିଏ ପାର୍ଶ୍ବର ଲମ୍ବା ହେଉଛି ପାଖାପାଖି ୫୦ କିମି। ଥାନାକୁ ପ୍ରତି ଦିନ ୫୦ରୁ ଅଧିକ ଏତଲା ଆସୁଛି। ପଟ୍ଟାମୁଣ୍ତାଇ ଥାନା ଅଂଚଳରେ ୩୬ଟି ପଞ୍ଚାୟତ ସହ ଗୋଟିଏ ପୌରପାଳିକା ରହିଛି। କର୍ମଚାରୀ ଅଭାବ ଯୋଗୁ ଥାନାରେ ତଦନ୍ତ ନ ହୋଇ ପ୍ରାୟ ଶତାଧିକ ମାମଲା ପଡି ରହିଛି। ଥାନାରେ ଅଧିକ ସଂଖ୍ୟକ ଅଫିସର ନିଯୁକ୍ତି କରିବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ପଟ୍ଟାମୁଣ୍ତାଇ ପୌରପରିଷଦକୁ ୩୦ ବର୍ଷ ପୂରିଥିଲେ ମଧ୍ୟ ଏଠାରେ ସହରାଞ୍ଚଳ ପୁଲିସ ସେବା ଯୋଗାଇବାରେ ସରକାର ଅଦ୍ୟାବଧି ସକ୍ଷମ ହୋଇନାହାନ୍ତି। ଫଳରେ ଟ୍ରାଫିକ୍ ସମସ୍ୟା ସହ ରାହାଜାନି ଓ ଅପରାଧ ବଢିବାରେ ଲାଗିଛି। ଜିଲ୍ଲାରେ କିଛି ବର୍ଷ ତଳେ ସବୁ ଥାନାକୁ ଭାଗ କରାଯାଇ ଦୁଇଟି ଥାନା ପ୍ରତିଷ୍ଠା କରାଗଲା। ମାତ୍ର ସରକାରଙ୍କ ବୈମାତୃକ ମନୋଭାବ ଯୋଗୁ ଅଦ୍ୟାବଧି ପଟ୍ଟାମୁଣ୍ତାଇ ଥାନାକୁ ଦୁଇଟି ଥାନା କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ନାଲିଫିତା ତଳେ ରହିଛି। ପଟ୍ଟାମୁଣ୍ତାଇ ସଦର ଥାନା କରିବା ପାଇଁ ବ୍ଳକର ପଟ୍ଟାମୁଣ୍ତାଇ-ରାଜନଗର ବସ୍ରାସ୍ତାର ଚନ୍ଦନଗରଠାରେ ଜାଗା ଚିହ୍ନଟ କରାଯାଇଥିଲା। ହେଲେ ଥାନା ପ୍ରତିଷ୍ଠା କରାଯାଇ ପାରୁନାହିଁ। ପଟ୍ଟାମୁଣ୍ତାଇ ଆଦର୍ଶ ଥାନା ଏବେ ଆଜବେଷ୍ଟସ ଘରେ ଚାଲୁଛି। କର୍ମଚାରୀ ବସିବାକୁ ଜାଗା ନାହିଁ। ଆବଶ୍ୟକ କର୍ମଚାରୀ, ଭିତ୍ତିଭୂମି ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/20220430_121829_6.jpg)