ଜୟପୁର(ଶ୍ରୀକାନ୍ତ ସାହୁ):  ଜାମୁଣ୍ଡା ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଦର୍ଶହୀନ ପ୍ରଧାନ ଶିକ୍ଷୟିତ୍ରୀ। ଯେଉଁ ଶିକ୍ଷୟିତ୍ରୀ ଦିନେ ଆଦର୍ଶ ଓ ଦୁର୍ନୀତି ବିରୋଧର କଥା କହୁଥିଲେ ଏବେ ନିଜେ ଦୁର୍ନୀତି କରୁଛନ୍ତି। ଅର୍ଥର ଲାଳସା ଏପରି ଘାରିଛି ଯେ ଗରିବଙ୍କଠୁ ଆରମ୍ଭ କରି ଆଦିବାସୀ ଯାଏ କାହାକୁ ବି ସେ ଛାଡୁ ନାହାନ୍ତି। କରୋନା ମହାମାରୀ ବେଳେ ଆଦିବାସୀମାନେ ନାହିଁ ନ ଥିବା ହଇରାଣ ହେଉଥିବାବେଳେ ସେମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି। ଆଦିବାସୀଙ୍କୁ ଫୋନ କରି କିପରି ଜଣେ ପ୍ରଧାନଶିକ୍ଷୟିତ୍ରୀ ଅର୍ଥ ମାଗୁଛନ୍ତି ଏପରି ୩ଟି କଲ ଅଡିଓ କଲ ରେକର୍ଡ ଭାଇରାଲ ହୋଇଛି। ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଜାମୁଣ୍ଡା ଗାଁରେ।

Advertisment

ଗରିବ ଆଦିବାସୀଙ୍କୁ ଆଡମିଶନ, ରି ଆଡମିଶନ, ବହି ପଇସା, ସାଇକେଲ, ଡଷ୍ଟର, ଚକ୍‌ ଓ ଷ୍ଟଡି ସାଟିର୍ଫିକେଟ ବାବଦରେ ଲୁଟୁଛନ୍ତି ହଜାର ହଜାର ଟଙ୍କା। ସ୍ଥିତି ଏପରି ହୋଇଛି ଯେ ବିନା ପଇସାରେ କିଛି ସାଟିଫିକେଟ ଦେଉ ନ ଥିବାବେଳେ ବହି ମଧ୍ୟ ଦେଉନାହାନ୍ତି। ଫଳରେ ନାହିଁ ନ ଥିବା ହଇରାଣ ହେଉଛନ୍ତି ଆଦିବାସୀ ମୁଲକର ଛାତ୍ରଛାତ୍ରୀ। ଏନେଇ ତିନିଟି କଲ ରେକଡିଂ ଅଡିଓ ଭାଇରାଲ ହୋଇଛି। ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ଜଣକ ଖୁଲମଖୁଲା ଅବିଭାବକ, ଛାତ୍ରଛାତ୍ରୀଙ୍କୁ ଟଙ୍କା ମାଗୁଥିବା ଜଣାପଡିଛି। ଏହି ତିନିଟି ଅଡିଓ ଭାଇରାଲ ହେଉଥିବାବେଳେ କିନ୍ତୁ ଏହାକୁ ନେଇ ଜିଲ୍ଲା ଶିକ୍ଷା ବିଭାଗ ଚୁପ ବସିଛି।

ଖାଲି ସେତିକି ନୁହେଁ ଏପରି ଅଭିଯୋଗ ଆଣିଛନ୍ତି ବି.ଶ୍ରୀନିବାସ ରାଓ, ମନ ପରଜା, ମନୁ ଭତ୍ରା ଓ ଯୁଗଧର ନାଇକ। ତେବେ ଗତବର୍ଷ ମଧ୍ୟ ପ୍ରଧାନଶିକ୍ଷୟିତ୍ରୀ ସୁନୀତା ରଥଙ୍କ ବିରୋଧରେ ଗାଁ ଲୋକେ ଅଭିଯୋଗ କରିଥିଲେ କିନ୍ତୁ ପ୍ରଶାସନ ପକ୍ଷରୁ କେବଳ ଯାଞ୍ଚ କରି କାମ ତୁଟାଇ ଦେଇଛି ସିନା ଫଳ କିଛି ବାହାରିନି। ଗତବର୍ଷ ମିଳିଥିବା ଅର୍ଥର ଲାଳସା ପୁଣି ଚଳିତବର୍ଷ ଫୁଟି ବାହାରିଥିବା ଅଭିଯୋଗ ହୋଇଛି।

publive-image

ମିଳିଥିବା ସୂଚନା ମୁତାବକ ଜୟପୁର କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଜାମୁଣ୍ଡା ପଞ୍ଚାୟତ ଅଧୀନରେ ରହିଛି ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ଉଚ୍ଚପ୍ରାଥମିକ ବିଦ୍ୟାଳୟ ୧୯୩୦ ମସିହାରେ ପ୍ରତିଷ୍ଠା ହୋଇଥିବାବେଳେ ପରେ ନବମ, ଦଶମ ଶ୍ରେଣୀ ସଂଯୁକ୍ତ ହୋଇଥିଲା। ଚଳିତବର୍ଷ ଏହି ବିଦ୍ୟାଳୟରୁ ୪୦ରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି। ଚଳିତବର୍ଷ ପ୍ରକାଶିତ ହୋଇଥିବା ମେଟ୍ରିକ ପରୀକ୍ଷାରେ ବହୁ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବାବେ‌ଳେ କିଛି ଛାତ୍ରଛାତ୍ରୀ ମଧ୍ୟ ଅକୃକକାର୍ଯ୍ୟ ହୋଇଛନ୍ତି। ହେଲେ ସେମାନଙ୍କୁ ଶିକ୍ଷାଦାନ କରିବା ବଦଳରେ ସେମାନଙ୍କଠାରୁ ବାହୁ ଆଳ ଦେଖାଇ ଠକି ଅର୍ଥ ନିଆଯାଉଥିବା ଅଭିଯୋଗ ହୋଇଛି।

ଏନେଇ ଗାଁର ବି.ଶ୍ରୀନିବାସ ରାଓ କହିଛନ୍ତି ଯେ ରାଜ୍ୟର ସବୁ ସରକାରୀ ସ୍କୁଲରେ ବିନା ପଇସାରେ ପାଠ ପଢାଯାଉଛି। କୌଣସି ବାବଦରେ ଅର୍ଥ ନିଆଯାଉ ନାହିଁ କିନ୍ତୁ ଜୟପୁର ଉପକଣ୍ଠରେ ରହିଥିବା ଏହି ବିଦ୍ୟାଳୟରେ ସରକାରଙ୍କର କୌଣସି ନିୟମ କାର୍ଯ୍ୟକାରୀ ହେଉନାହିଁ। ମୋ ଝିଅ ବି.ଚାନ୍ଦିନିକୁ ଦଶମ ଶ୍ରେଣୀ‌ରେ ପଢୁଥିବାବେଳେ ୨୨ ତାରିଖରେ ଆଡମିଶନ ହେବ ବୋଲି କହି ୫୫୦ ଟଙ୍କା ମାଗିଥିଲେ। ଟଙ୍କା କହିଁକି ‌ଦେବୁ ବୋଲି କହିବାରୁ ସେମାନଙ୍କ କାର୍ଯ୍ୟ କରିବେ ନାହିଁ କି ସେମାନଙ୍କୁ କିଛି ଷ୍ଟାଇପେଣ୍ଟ ମିଳିବ ନାହିଁ ବୋଲି କହିଥିଲେ ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ରଥ। ପରେ ପୁଅ ପାଇଁ ୧୨୦୦ ଓ ବହି ପାଇଁ ଅର୍ଥ ଦେଇଥିବା ସେ ଅଭିଯୋଗ କରିଛନ୍ତି।

ଏନେଇ ମନ ପରଜା କହିଛନ୍ତି ଯେ କରୋନା ସମୟରେ କାମଦାମ ନ ଥିବାବେଳେ ଝିଅ ହରପ୍ରିୟାକୁ ଟୁଇସନ ଟିକେ ଦେଇ ପାରିଲିନି। ଏବେ ଆଡମିଶନ ପାଇଁ ୫୫୦ ଟଙ୍କା ଓ ବହି ପାଇଁ ଟଙ୍କା ଦେଇଥିଲି। ଝିଅ ଫେଲ ହେବା ପରେ ଏବେ କମ୍ପାଟମେଣ୍ଟାଲ ପରୀକ୍ଷା ପାଇଁ ଦିଦି ପଇସା ମାଗୁଛନ୍ତି ବୋଲି ସେ କହିଛନ୍ତି। କାଲି ସେତିକି ନୁହେଁ ପୁଅ ପଢିସାରିଥିବାବେଳେ ତାକୁ ଷ୍ଟଡି ସାଟିଫିକେଟ ପାଇଁ ଟଙ୍କା ମାଗୁଥିବା ସେ ଅଭିଯୋଗ କରିଛନ୍ତି।

ଏନେଇ ମନୁ ଭତ୍ରା କହିଛନ୍ତି ଯେ ପୁଅ ଚଳିତବର୍ଷ ଦଶମଶ୍ରେଣୀରେ ପଢୁଥିବାବେଳେତ ଆଡମିଶନ ପାଇଁ ୪୫୦ ଟଙ୍କା ଓ ବହ ପାଇଁ ୫୫୦ ଟଙ୍କା ମାଗୁଥିବାବେଳେ ଧାରଉଧାର କରି ଟଙ୍କା ଦେଲାରୁ ସବୁ ମିଳିଲା । ହେଲେ ଗରିବଗୁରୁବା ହୋଇଥିବାରୁ ଟଙ୍କା କେଉଁଠୁ ଆଣିବୁ ବୋଲି ସେ କହିଛନ୍ତି।

ଏନେଇ ଯୁଗଧର ନାଇକ କହିଛନ୍ତି ଯେ ଝିଅ ଆଶାମତି ନାଇକର ଆଡମିଶନ ପାଇଁ ୫୫୦ ଟଙ୍କା ଓ ବହି ପାଇଁ ୪୫୦ ଟଙ୍କା ନେଲେ। ପଇସା ନ ଦେଲେ ଷ୍ଟାଇପେଣ୍ଟ କରିବେ ନାହିଁକି ସାଇକେଲ କରିବେ ନାହିଁ ବୋଲି କହିଥିଲେ। ପରେ ଧାର ଉଧାର କରି ପଇସା ଦେଇଥିଲି ବୋଲି ସେ କହିଛନ୍ତି।

ଏନେଇ ଡିଇଓ ରାମ ଚନ୍ଦ୍ର ନାହାକ କହିଛନ୍ତି ଯେ ଯଦି ଏହା ସତ୍ୟ ହୋଇଥାଏ ତେବେ ତାହା ସାଙ୍ଘାତିକ। ଅଭିଯୋଗକୁ ବିଚାର କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।