ଜଗତସିଂହପୁର ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ମନ୍ଥର

୨୦୦ କୋଟି ଟଙ୍କା ପଡ଼ିଛି, କାମ ପଛାଉଛି କାହିଁକି ?

ଜଗତସିଂହପୁର: ରାଜ୍ୟରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ି ରହିଛି। ଏତେ ସୁବିଧା ସୁଯୋଗ ଥାଇ ମଧ୍ୟ ଜଗତସିଂହପୁର ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାମ ପ୍ରାଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ପଛରେ ପଡ଼ିଛି। ଆଜି ସାରା ରାଜ୍ୟରେ ଜିଲ୍ଲାକୁ ନିନ୍ଦିତ ହେବାକୁ ପଡ଼ିଛି ବୋଲି ବିଭାଗୀୟ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ ମହାପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି। ଏଣୁ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ନିର୍ଦ୍ଧାରିତ ସମୟରେ ସମସ୍ତ ନିର୍ମାଣ କାମ ଶେଷ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏକ୍ଷେତ୍ରରେ କୌଣସି ସମସ୍ୟା ଥିଲେ ତାଙ୍କ ସହିତ ସିଧାସଳଖ ଯୋଗଯୋଗ କରିବାକୁ କହିଛନ୍ତି। ଶ୍ରୀ ମହାପାତ୍ର ଦୁଇ ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଆଦର୍ଶ ବିଦ୍ୟାଳୟର ସ୍ଥିତିର ସମୀକ୍ଷା କରି ଫେରାଯାଇ ଥିବା ବିଭାଗୀୟ ଅଧିକାରୀଙ୍କୁ ନେଇ ଏକାଧିକ ବୈଠକରେ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ତର୍ଜମା କରିଛନ୍ତି। ସମୀକ୍ଷାରୁ ଜଣାପଡ଼ିଛି ଜଗତସିଂହପୁର ଜିଲ୍ଲାରେ ସମସ୍ତ ଆଦର୍ଶ ବିଦ୍ୟାଳୟର ନିର୍ମାଣ କାମ ସଂଗିନ ଅବସ୍ଥାରେ ରହିଛି। ନିର୍ଦ୍ଧାରିତ ସମୟରେ ଏହି ନିର୍ମାଣ କାମ ଶେଷ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ଏହି ସବୁ ବିଦ୍ୟାଳୟର ନିର୍ମାଣ କାମର ସମୀକ୍ଷା କରିବା ସହ କେଉଁଠି ସମସ୍ୟା ରହିଛି, ସମ୍ପୃକ୍ତ ଠିକାଦାର ଓ ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କ ସହ ଶ୍ରୀ ମହାପାତ୍ର ଆଲୋଚନା କରିଛନ୍ତି। ଡିସେମ୍ବର ସୁଦ୍ଧା କାମ ଶେଷ କରି ଜାନୁଆରିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହାର ଉଦ୍‌ଘାଟନ ଯୋଜନା ଥିବାରୁ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସେ ସମସ୍ତଙ୍କୁ ତାଗିଦ୍‌ କରିଛନ୍ତି।

ଗତକାଲି ଜଗତସିଂହପୁର ଶାଳିଜଙ୍ଗ ଓ ନାଉଗାଁର ଦହିପାଳରେ ଥିବା ଆଦର୍ଶ ବିଦ୍ୟାଳୟରେ ପହଞ୍ଚି ସେଠାରେ ସ୍ଥିତି ପରଖି ଥିଲେ। ଆଜି ତିର୍ତ୍ତୋଲରେ ମୂଳିସିଂହ, କୁଜଙ୍ଗର ଅଗପାଳ ଓ ରଘୁନାଥପୁରରେ କେରକେରାରେ ନିର୍ମାଣାଧୀନ ସ୍କୁଲର ଅବସ୍ଥା ଦେଖିଥିଲେ। ତିର୍ତ୍ତୋଲ, ଏରସମା, ବିରିଡ଼ି ଓ ରଘୁନାଥପୁର ବ୍ଲକରେ ୪ଟି ଆଦର୍ଶ ବିଦ୍ୟାଳୟର ନିର୍ମାଣ କାମ ମନ୍ଥର। ତେଣୁ କାମ ପଛେଇ ଯାଇଛି। ଏହି ସବୁ ସ୍ଥାନରେ ଆଦର୍ଶ ବିଦ୍ୟାଳୟର କୋଠା ନିର୍ମାଣ କାମ କେବଳ ମୂଳଦୁଆ ପର୍ଯ୍ୟନ୍ତ ପହଞ୍ଚିଥିବା ଦେଖିବାକୁ ମିଳିଛି। କେବଳ ବିରିଡ଼ିରେ ନିର୍ମାଣ କାମ ଶେଷ କରିବା ସମୟ ୨୦୨୩ ମେ ମାସ ରହିଥିବା ବେଳେ ଅନ୍ୟ ସବୁ ସ୍ଥାନରେ ଡିସେମ୍ବର ୩୧ ସୁଦ୍ଧା ଶେଷ କରିବାକୁ ଧାର୍ଯ୍ୟଲକ୍ଷ୍ୟ ରହିଛି। ପ୍ରଥମରୁ ଜାଗା ଚିହ୍ନଟ ଓ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାରୁ ଆଦର୍ଶ ବିଦ୍ୟାଳୟ ନିର୍ମାଣ‌ କ୍ଷେତ୍ରରେ ଜଗତସିଂହପୁର ଜିଲ୍ଲା ପଛେଇଛି। କୁଜଙ୍ଗରେ ଆଜି ଠିକାଦାର ଜଣକ ଠିକ୍ ସମୟରେ ବିଲ୍ ମିଳୁନଥିବାରୁ କାମ କରିବାରେ ବିଳମ୍ବ ହେଉଥିବା ଅଭିଯୋଗ କରିଥିଲେ। ଏହା ଶୁଣିବା ପରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହାପାତ୍ରଙ୍କ ବିରକ୍ତି ପ୍ରକାଶ କରିବା ସହ ଏ ନେଇ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଦର୍ଶ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ପ୍ରାଜେକ୍ଟ ହୋଇଥିବାରୁ ଏହି ଯୋଜନାରେ ରାଜ୍ୟ ସରକାର ପର୍ଯ୍ୟାପ୍ତ ପରିମାଣରେ ପାଣ୍ଠି ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି। ତେଣୁ ନିର୍ଧାରିତ ସମୟରେ ଶେଷ କରିବାକୁ ସେ ତାଗିଦ୍‌ କରିଯାଇଛନ୍ତି।

ସମ୍ବନ୍ଧିତ ଖବର