ମାଲକାନଗିରି: ଅନ୍ୟର ଦୁଃଖରେ ଦୁଃଖୀ ହେବା ଏବଂ ଗରିବ, ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇବା ବହୁ କମ ଲୋକଙ୍କ ଭାଗ୍ୟରେ ଥାଏ। ସେମାନଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ ଅନ୍ୟତମ। ଜଣେ ମିଷ୍ଟିଭାଷୀ, ପରୋପକାରୀ, କର୍ମଠ ଏବଂ ଜଣେ ଗରିବଙ୍କ ଦାତା ଭାବେ ବେଶ ପରିଚିତ। ଏବେ ସେ ଜିଲ୍ଲା ସମେତ ସାରା ରାଜ୍ୟରେ ବେଶ ପରିଚିତ ହୋଇ ପାରିଛନ୍ତି। ମାଲକାନଗିରି ଜିଲ୍ଲାର ଅତିରକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ ୩୦ଗୋଟି ଗରିବ ଭୂମିହୀନ ପରିବାରଙ୍କୁ ନିଜର ବ୍ୟକ୍ତିଗତ ଜମି ଦାନ କରିବା ସହ ସେମାନଙ୍କ ନାମରେ ଜମିପଟ୍ଟା ପାଇଁ ପଞ୍ଜୀକରଣ କରି ଆଜି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି।
ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକଙ୍କ ନିଜ ଘର ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡ଼ଙ୍ଗାସିଲ ଗ୍ରାମରେ। ୧୯୯୨ ମସିହାରେ ମହେଶ୍ୱର ଚନ୍ଦ୍ର ନାଏକଙ୍କ ବାପା କବିସୂର୍ଯ୍ୟ ନାଏକ ନିଜର ଜମିକୁ ୩୦ ଗୋଟି ଭୂମିହୀନ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ପରିବାରଙ୍କୁ ପ୍ରଦାନ କରି ଥଇଥାନ କରିଥିଲେ। କିନ୍ତୁ ଜମି ପଟ୍ଟା ନଥିବାରୁ ସେମାନେ ସରକାରୀ ସୁବିଧାରୁ ବଞ୍ଚିତ ହେବା ଦେଖି ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ ଶୁକ୍ରବାର କାଶୀପୁର ତହସିଲକୁ ଯାଇ ସେହି ୩୦ ଭୂମିହୀନ ପରିବାରଙ୍କ ନାମରେ ଜମିକୁ ପଞ୍ଜୀକୃତ କରି ନିଜ ବାପାଙ୍କ ସ୍ବପ୍ନକୁ ସାକାର କରିଥିଲେ।
ରାସ୍ତା ଓ ଘରବାଡ଼ି ମିଶାଇ ମୋଟ ୭୩ ସେଣ୍ଟ ଜମି ସେ ଦାନ କରିଥିବା ଜଣାପଡିଛି। ବାପା ସ୍ବର୍ଗତ କବିସୂର୍ଯ୍ୟ ନାଏକ ଡଙ୍ଗାସିଲ ଗ୍ରାମରେ ଏପ୍ରିଲ ପହିଲା ୧୯୩୭ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୫ ମସିହାରେ କାଶୀପୁର ବ୍ଲକରେ ବ୍ଲକ ଅଧ୍ୟକ୍ଷ ରହିବା ସହ ସେ ଜଣେ ପରୋପକାରୀ ଏବଂ ସମାଜସେବୀ ଥିଲେ। ୧୯୯୨ ମସିହାରେ ନିଜର ଜମି ଦାନ କରି ୩୦ ଗୋଟି ଭୂମିହୀନ ଅନୁସୂଚିତ ଜାତି ଓ ଜନଜାତି ପରିବାରଙ୍କୁ ଘର କରିବା ପାଇଁ ଦାନ କରିଥିଲେ।ତାଙ୍କର ସ୍ବାସ୍ଥ୍ୟ ୨୦୦୨ରେ ଖରାପ ହେବା ପରେ ୩୦ ଗୋଟି ଭୂମିହୀନ ପରିବାରଙ୍କ ନାମରେ ପଟ୍ଟା ହସ୍ତାନ୍ତର କରି ପାରିନଥିଲେ। ୨୦୨୪ ରେ କବିସୂର୍ଯ୍ୟ ନାଏକଙ୍କର ବିୟୋଗ ଘଟିଥିଲା। ତେବେ ବାପାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଗତ ଶୁକ୍ରବାର ଦିନ କାଶୀପୁର ତହସିଲରେ ତାଙ୍କର ଜମିକୁ ଅତିରିକ୍ତ ଜିଲ୍ଲାପାଳ ୩୦ ଗୋଟି ପରିବାରଙ୍କ ନାମରେ ପଟ୍ଟା କରି ଆଜି ମାନବିକତା ପରିଚୟ ସୃଷ୍ଟି କରିଛନ୍ତି।