ବାଲେଶ୍ବର : କୋଭିଡ୍ ମହାମାରୀ ସମୟରେ ବାତ୍ୟା ୟାସ ଏବେ ଚିନ୍ତାର କାରଣ ପାଲଟିଛି। କାରଣ ବାତ୍ୟା ନେଇ ସରକାର ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦେଇଛନ୍ତି। ଏପେଟ ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି। ଦୁଇ ଦୁଇଟି ଚ୍ୟାଲେଞ୍ଜକୁ ସାମ୍ନା କରିବା ଏତେଟା ସହଜ ନୁହେଁ। ଏଭଳି ଏକ କଠିନ ସମୟରେ କୋଭିଡ୍ ନିୟମ ମାନି କେମିତି ଲୋକଙ୍କୁ ଉଦ୍ଧାର କରାଯିବ, ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବ ସେନେଇ ଆଜି ଏଡିଜି(କ୍ରାଇମ୍ବ୍ରାଞ୍ଚ) ତଥା ଆଇନ୍ଶୃଙ୍ଖଳା ଯଶବନ୍ତ ଜେଠୱା ବାଲେଶ୍ବରରେ ପହଞ୍ଚି ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ ଓ ଏସ୍ପି ସୁଧାଂଶୁ ଶେଖର ମିଶ୍ରଙ୍କ ସହ ଆଲୋଚନା କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି। ଜିଲ୍ଲାର ତଟବର୍ତ୍ତୀ, ତଳିଆ ଅଞ୍ଚଳ ଏବଂ ବିପଦପୂର୍ଣ୍ଣ ୧୪୦ରୁ ଊର୍ଦ୍ଧ୍ବ ଗ୍ରାମକୁ ଚିହ୍ନଟ କରାଯାଇଛି। ୧୪୦ ଗାଁର ଏକ ଲକ୍ଷ ୨୦ ହଜାର ଲୋକଙ୍କୁ ୧୨ଶହରୁ ଊର୍ଦ୍ଧ୍ବ ଆଶ୍ରୟସ୍ଥଳୀରେ ରଖିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏଥିପାଇଁ ୧୨ ପ୍ଲାଟୁନ୍ ଓଡ୍ରାଫ୍ ଟିମ୍, ୭ପ୍ଲାଟୁନ୍ ଏନ୍ଡିଆର୍ଏପ୍ ଟିମ୍, ୧୫ ପ୍ଲାଟୁନ୍ ଶସସ୍ତ୍ର ବାହିନୀଙ୍କୁ ନିୟୋଜିତ କରାଯାଇଛି। ସ୍ଥିତି ଦେଖି ଆବଶ୍ୟକ ହେଲେ ଅଧିକ ଫୋର୍ସ ମୁତୟ କରାଯିବ ବୋଲି ଏଡିଜି ଶ୍ରୀ ଜେଠୱା କହିଛନ୍ତି।
ସେହିପରି ବାତ୍ୟା ସମୟରେ ଓ ବାତ୍ୟା ପରେ କିଭଳି ସ୍ଥିତିକୁ ସାମ୍ନା କରିବାକୁ ପଡ଼ିବ ସେଥିପାଇଁ ବାଲେଶ୍ବରରେ ପହଞ୍ଚିଥିବା ଝାରସୁଗୁଡ଼ା, ଦେବଗଡ଼, ବାଲେଶ୍ବର ଏବଂ ବୌଦ୍ଧର ୪ଟି ଓଡ୍ରାଫ୍ ଟିମ୍କୁ ଭେଟି ଆଲୋଚନା କରିଥିଲେ। ବାତ୍ୟା ବେଳେ ଓ ପରେ ବ୍ୟବହାର ହେବାକୁ ଥିବା କଟର, ଲାଇଟ୍, ଜେନେଟର, ଟର୍ଚ୍ଚ, ରବର ବୋଟ, ଲାଇଫ୍ ଜ୍ୟାକେଟ୍, ଜିପିଏସ୍, ଟାୱାର ଲାଇଟ୍, ରେଡିଓ, ଟ୍ରାଫିକ୍ କୋନ୍ ଆଦି ସମସ୍ତ ଯନ୍ତ୍ରର ଲାଇଭ୍ ଡେମୋ ଦେଖିଥିଲେ। ବାତ୍ୟା ପରେ ରାସ୍ତାରୁ କିଭଳି ଯୁଦ୍ଧକାଳୀନ ଭିତ୍ତିରେ ଅବରୋଧ ହଟାଯିବ, ପାଣି ମାଡ଼ିଆସିଲେ ଲୋକମାନଙ୍କୁ କିଭଳି ଅନ୍ୟତ୍ର ନିଆଯିବ ସମସ୍ତ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। କୋଭିଡ୍ ନିୟମ ଅନୁଯାୟୀ କାମ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ପର୍ଯ୍ୟାପ୍ତ ପରିମାଣର ମାସ୍କ, ସାନିଟାଇଜର୍, ଗ୍ଲୋବ୍ସ ଏବଂ ପିପିଇ କିଟ୍ ଅଛି କି ନାହିଁ ତାହା ମଧ୍ୟ ବୁଝିଥିଲେ। ତେବେ ଆଜି ବୌଦ୍ଧରୁ ୩୩, ଝାରସୁଗୁଡ଼ାରୁ ୨୮, ଦେବଗଡ଼ରୁ ୪୦ ଏବଂ ବାଲେଶ୍ବରର ୩୩ ଏପରି ମୋଟ ୧୩୪ଜଣ ଓଡ୍ରାଫ୍ କର୍ମଚାରୀ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତାକାଲି ମଧ୍ୟ ଅନ୍ୟ ଟିମଗୁଡ଼ିକ ପହଞ୍ଚି ନିଜ ନିଜର ଗନ୍ତବ୍ୟସ୍ଥଳକୁ ଯିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/cyclone-aaddd.jpg)
