ବ୍ୟାଙ୍କ ଆକଉଣ୍ଟରେ ଆଧାର ଲିଙ୍କ୍‌ ପରେ ଲକ୍ଷେ ୩୦ ହଜାର ଟଙ୍କା ଗାଏବ

କଳାହାଣ୍ଡି: ବ୍ୟାଙ୍କ ଆକାଉଣ୍ଟରେ ଆଧାର ସଂଯୋଗ କରି ଲକ୍ଷେ ୩୦ ହଜାର ଟଙ୍କା ଉଭାନ ହୋଇଯାଇଛି। କଳାହାଣ୍ଡିର ଜୁନାଗଡ ବ୍ଲକର ଚାରବାହାଲ ଷ୍ଟେଟ ବ୍ୟାଙ୍କରେ ଭାଲୁଗୁଟ୍ରା ଗାଁରୁ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ।

ସୂଚନାଯୋଗ୍ୟ, କଳାହାଣ୍ଡିର ଜୁନାଗଡ ବ୍ଲକର ଚାରବାହାଲ ଷ୍ଟେଟ ବ୍ୟାଙ୍କରେ ଭାଲୁଗୁଟ୍ରା ଗାଁରେ ବସବାସ କରୁଥିବା ମନୋଜ ମୁଣ୍ଡା ଝିଅର ବାହାଘର ଓ ପୁଅର ପାଠପଢା ପାଇଁ ଟଙ୍କା ବ୍ୟାଙ୍କରେ ସଞ୍ଚୟ କରିଥିଲେ। ମନୋଜ ଜଣେ ଚାଷୀ ହୋଇଥିବା ଯୋଗୁଁ ବହୁ କଷ୍ଟରେ ଟଙ୍କା ସଞ୍ଚୟ କରିଥିଲେ । ତେବେ ଏହି ଘଟଣା ପରେ ଏବେ ମୁଣ୍ଡରେ ହାତ ଦେଇଛନ୍ତି ମନୋଜ ।

କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁଯାୟୀ ବ୍ୟାଙ୍କ ଆକାଉଣ୍ଟରେ ଆଧାର କାର୍ଡ ସଂଯୋଗ କରିଥିଲେ ମନୋଜ, କିନ୍ତୁ ଏହା ପରେ ସେ ପଇସା ଉଠାଇବାକୁ ଯାଇଥିବା ବେଳେ ତାଙ୍କ ଆକାଉଣ୍ଟରୁ ୩ରୁ ୪ହଜାର ଟଙ୍କା ପଡିରହିଥିବା ବେଳେ ଲକ୍ଷେ ୩୦ ହଜାର ଟଙ୍କା ଗାଏବ ହୋଇଯାଇଥିଲା । ଏ ନେଇ ସେ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜରଙ୍କୁ ପଚାରିବାରୁ ସେ କିଛି ଜାଣି ନାହାନ୍ତି ବୋଲି କହିଥିଲେ ।

ଏପରିକି ଷ୍ଟେଟ ବ୍ୟାଙ୍କରୁ ନୁହେଁ ଅନ୍ୟ କେଉଁ ବ୍ୟାଙ୍କରୁ ଟଙ୍କା ଉଠାଯାଇଥିବା ବ୍ରାଞ୍ଚ ମ୍ୟାନେଜର କହିଛନ୍ତି। ବ୍ୟାଙ୍କ ଖାତାରେ ଆଧାର ଲିଙ୍କ୍‌ ପାଇଁ ବିବାଦ ସୃଷ୍ଟି ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାର ଏହି ଘଟଣା ସାଧାରଣରେ ଲୋକଙ୍କ ପାଇଁ ଚିନ୍ତା ବଢାଇଛି ।

ସମ୍ବନ୍ଧିତ ଖବର