କରୋନା ମହାମାରୀ ସମୟରେ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇଁ ଆଦିବାସୀ ବିକାଶ ସଂଘର ଆହ୍ଵାନ

ନୂଆପଡ଼ା: ଆଦିବାସୀ ବିକାଶ ସଂଘ ମାଓବାଦୀମାନଙ୍କୁ କରୋନା ମହାମାରୀ ସମୟରେ ମୁଖ୍ୟସ୍ରୋତକୁ ଫେରି ଆସିବା ପାଇଁ ଆହ୍ଵାନ ଦେଇ ଏକ ପୋଷ୍ଟର ମାରିଛନ୍ତି। ଏହି ପୋଷ୍ଟର ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରୁ ୩ କିଲୋମିଟର ଟାନୁୱାଟ ଛକଠାରେ ଦେଖିବାକୁ ମିଳିଛି।

ଏହି ପୋଷ୍ଟର ଉଲ୍ଲେଖ ରହିଛି ଯେ, ବିଶ୍ୱ ବର୍ତ୍ତମାନ କରୋନା ଭଳି ଭୟଙ୍କର ଭୂତାଣୁ ସହ ଲଢ଼ୁଛି। ଏହି ଯୁଦ୍ଧରେ ଶହସ୍ରାଧିକ ସ୍ୱାସ୍ଥ୍ୟକର୍ମୀ, ପୁଲିସ, ଏନଏସି କର୍ମଚାରୀ ଓ ଅନ୍ୟନ୍ୟ ଅତ୍ୟାବଶ୍ୟକ ସେବା ସଂସ୍ଥାର ଶହ ଶହ ଯୋଦ୍ଧା ସାମିଲ ହୋଇଛନ୍ତି । ଏହି ଯୋଦ୍ଧାମାନେ ନିଜର ଜୀବନକୁ ଖାତିର ନ କରି ଅନ୍ୟମାନଙ୍କ ଜୀବନ ବଞ୍ଚାଇବାକୁ ଅଣ୍ଟା ଭିଡ଼ିଛନ୍ତି।

ଏହି ସମୟରେ ମାଓବାଦୀମାନେ ଆଦିବାସୀ ଗ୍ରାମକୁ ଯାଇ ସେଠାରେ ରହୁଥିବା ଆଦିବାସୀ ଲୋକଙ୍କୁ ଭୟଭୀତ କରୁଛନ୍ତି। ଏହି ପୋଷ୍ଟରରେ ୪ ଦଫା ଦାବି ମଧ୍ୟ ଉଲ୍ଲେଖ ରହିଛି। ଏଥିରେ ଲେଖାଯାଇଛି ଯେ, ଏହି କରୋନା ଭୂତାଣୁ ଚେନ୍‌କୁ ଭାଙ୍ଗିବା ପାଇଁ ସଙ୍ଗରୋଧ ହିଁ ଏକମାତ୍ର ବିକଳ୍ପ । ଏଭଳି ସମୟରେ ମାଓବାଦୀ ଗାଁକୁ ଯାଇ ଲୋକଙ୍କ ସହିତ ମିଳାମିଶା କରି ସଭା ସମିତି କରୁଛନ୍ତି। ସେମାନଙ୍କ ଏଭଳି କାମ ଲୋକଙ୍କ ଜୀବନକୁ ବିପଦରେ ପକାଉଛି।

କାମଧନ୍ଦ ଅଭାବରୁ ଅସୁବିଧାରେ ଚଳୁଥିବା ଗରିବ ଆଦିବାସୀ ଲୋକଙ୍କ ପାଖରୁ ସରକାରଙ୍କ ତରଫରୁ ମିଳୁଥିବା କିଞ୍ଚିତ ସାହାଯ୍ୟରୁ ଭାଗ ମାଗୁଛନ୍ତି। ନିଜର ଆବଶ୍ୟକତା ମେଣ୍ଟାଇବା ପାଇଁ ମାଓବାଦୀମାନେ ଗାଁ ଲୋକଙ୍କୁ ଗାଁ ବାହାରକୁ ଏବଂ ପାଖ ସହରକୁ ପଠାଇ ଜିନିଷ ଅଣାଇବା ଲାଗି ବାଧ୍ୟ କରାଉଛନ୍ତି। ଯାହା କି ଗ୍ରାମାବାସୀଙ୍କୁ ବିପଦରେ ପକାଇବାର ଅନେକ ସମ୍ଭାବନା ରହୁଛି।

ଦୀର୍ଘ ଦିନ ଅପହଞ୍ଚ ଅଞ୍ଚଳରେ ବିଭିନ୍ନ ଅମାନବିକ କାର୍ଯ୍ୟ କରି ନିଜର ଉପସ୍ଥିତି ଜାହିର କରୁଛନ୍ତି। ଏପରି ସମୟରେ ଆଦିବାସୀ ବିକାଶ ସଂଘ କହିଛି, ମାଓବାଦୀମାନଙ୍କୁ ଆହ୍ଵାନ କରୁଛୁ ସେମାନେ ନିଜ ମାନବିକତା ଦେଖାଇ ଜନ କଲ୍ୟାଣ ପାଇଁ ସାମାଜିକର ମୁଖ୍ୟ ସ୍ରୋତକୁ ଫେରନ୍ତୁ।

ଏହି ପୋଷ୍ଟର ଶେଷରେ ଆଦିବାସୀ ବିକାଶ ସଂଘ ବୋଲି ଲେଖା ଯାଇଛି। ଏହି ପୋଷ୍ଟର କିଏ ମାରିଛନ୍ତି ତାହା ନେଇ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳି ନଥିଲା। ଏହି ପୋଷ୍ଟକୁ ନେଇ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳି ଯାଇଛି।

ସମ୍ବନ୍ଧିତ ଖବର