ରାୟଗଡା: ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମା‘ ଗୃହର କାର୍ଯ୍ୟରତ ମହିଳା ଲକ୍ଷ୍ମୀ ମାଝିଙ୍କର ମୃତ୍ୟୁକୁ ଇତି ମଧ୍ୟରେ ୫୦ ଦିନରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ହତ୍ୟାର କାରଣ ଆଜି ପର୍ଯ୍ୟନ୍ତ ଅସ୍ପଷ୍ଟ ହୋଇ ରହିଛି। ଲକ୍ଷ୍ମୀ ମାଝିଙ୍କ ମୃତ୍ୟୁକୁ ନେଇ ବିଜେପି ଓ କଂଗ୍ରେସ ତରଫରୁ ଜିଲ୍ଲା ବନ୍ଦ ଡାକରା ଦେବା ପରେ ଆଦିବାସୀ ମହାସଂଘ ପକ୍ଷରୁ ମଧ୍ୟ ଲକ୍ଷ୍ମୀଙ୍କୁ ନ୍ୟାୟ ମିଳୁ ଦାବି ନେଇ ଆନ୍ଦୋଳନ କରୁଛି। ଆଜି ଏହି ପରିପ୍ରେକ୍ଷୀରେ ଆଦିବାସୀ ମହାସଂଘର ଶତଧିକ ମହିଳା ପୁରୁଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲା। ଆଦିବାସୀ ମହାସଂଘର ସଭାପତି କରମା ଲାକ୍ରା,ସାଧାରଣ ସଂପାଦକ ଶରତ ଚନ୍ଦ୍ର ନାୟକ,ରାଜ୍ୟ ସଂଯୋଜକ ରବୀନ୍ଦ୍ର ମାଢି,ଘାସିରାମ ମାଝି,ଆପାଲସ୍ବାମୀ କାଡ୍ରାକା,ମଞ୍ଜୁଳା ମିନିଆକା ପ୍ରମୁଖ ପୁଲିସ ବିଭାଗ ଉପରେ ଗର୍ଜିଥିଲେ।

Advertisment

ଆଜି ସକାଳୁ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତେ ଏକତ୍ରିତ ହୋଇ ଏକ ବିରାଟ ରାଲିରେ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ସଂଘର କର୍ମକର୍ତ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳ ସମ୍ମୁଖରେ ପହଞ୍ଚି ନାରାବାଜି କରିଥିଲେ। କୌଣସି ରାଜନୈତିକ ଦଳ ଆଦିବାସୀ ଅସୁବିଧା ସମୟରେ ସହଯୋଗ କରୁନଥିବା କହିଥିଲେ। ଆଦିବାସୀ ନିଜେ ନିଜ ଲୋକଙ୍କ ପାଇଁ ଲଢିବ ବୋଲି କହିଥିଲେ। ଲକ୍ଷ୍ମୀ ମାଝିଙ୍କ ହତ୍ୟାକାରୀକୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଥିଲା। କ୍ରାଇମବ୍ରାଞ୍ଚ ଉପରେ ସଂଘର ଆସ୍ଥା ଉଠିଯାଇଛି,ସେମାନେ ସିବିଆଇ ତଦନ୍ତ ଦାବି କରିଥିଲେ। ଆଗକୁ ନିର୍ବାଚନ ରହିଥିବା ବେଳେ ଆଦିବାସୀମାନେ ସେମାନଙ୍କର ପରାକ୍ରମ ଦେଖାଇବେ ବୋଲି ଚେତାବନୀ ଦେଇଥିଲେ।

ଗାଁ ଗାଁକୁ ନେତା ଆସିଲେ ସହଯୋଗ କରାଯିବ ନାହିଁ ବୋଲି ସଫା ସଫା ମନା କରିଥିଲେ। ଜିଲ୍ଲାରେ ଆଦିବାସୀଙ୍କୁ ନ୍ୟାୟ ମିଳୁ ନାହିଁ। ହତ୍ୟାକାରୀ ବୁଲୁଥିଲେ ମଧ୍ୟ ପୁଲିସ କାହିଁକି ଚୁପ ରହିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କୁହାଯାଇଛି।ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଦାବିପତ୍ରରେ ଚାରୋଟି ଦାବି ରହିଛି। ସେଥିମଧ୍ୟରୁ ବାପା ବେଲଧର ମାଝି ଝିଅ କାମ କରୁଥିବା ଆଲିସା ସ୍ବେଚ୍ଛାସେବୀ ଅନୁଷ୍ଠାନର ନିର୍ଦେଶକ ନରିସଂହ ମହାପାତ୍ରଙ୍କୁ କାହିଁକି ଗିରଫ କରୁନାହିଁ, ଜଣେ ମହିଳାଙ୍କୁ ନିଆଁ ଲଗାଇ ପୋଡି ଦେବା ଆଦିବାସୀ ସମାଜକୁ ଧକ୍କା ଦେଇଛି, ଆଗାମୀ ଦିନରେ ଜିଲ୍ଲା ବନ୍ଦ ଡାକରା ଦେବ ଆଦିବାସୀ ମହାସଂଘ। କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ସରକାର ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଫଳ ମିଳିପାରିଲା ନାହିଁ। ତୁରନ୍ତ ଅଭିୟୁକ୍ତକୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଓଡିଶା ଆଦିବାସୀ ମହାସଂଘର ସାଧାରଣ ସଂପାଦକ ଶରତ ଚନ୍ଦ୍ର ନାୟକ,ରାୟଗଡା ଜିଲ୍ଲା ସଭାପତି ବସନ୍ତ କୁମାର ପେଣ୍ଡେନ୍ତି ଏବଂ କଳାହାଣ୍ଡି ଜିଲ୍ଲା ସଭଆପତି ପ୍ରକାଶ ମାଝି ଦାବି କରିଛନ୍ତି।