ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଘଟଣା: ବାଲି ମାଫିଆଙ୍କୁ ଗିରଫ ଦାବିରେ କର୍ମଚାରୀଙ୍କ କଲମଛାଡ ଆନ୍ଦୋଳନ

ଥାନାରେ ଜଣେ ଅଟକ, ଅନ୍ୟ ଅଭିଯୁକ୍ତ ଫେରାର

ଭଦ୍ରକ: ଭଦ୍ରକ ଜିଲ୍ଲାର ବୈତରଣୀ ନଦୀରୁ ଭଣ୍ଡାରିପୋଖରୀ ଅଞ୍ଚଳର ବାଲିମାଫିଆମାନେ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ କର୍ମଚାରୀମାନେ ମଙ୍ଗଳବାର କଲମଛାଡ଼ ଆନ୍ଦୋଳନ କରିଛନ୍ତି। ପୁଲିସ ଏହି ଘଟଣାରେ ଜଣକୁ ଅଟକ ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାଯାଇଛି।

ସୂଚନାଯୋଗ୍ୟ ବେଆଇନ୍‌ ବାଲି ଚାଲାଣ ନେଇ ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ଲୁଟ୍‌ କରୁଥିବା ବେଳେ ସୋମବାର ସେମାନଙ୍କ ଉପରେ ଚଢାଉ କରିଥିଲେ ମଂଜୁରୀରୋଡ ରାଜସ୍ୱ ନିରୀକ୍ଷକ। ୫ଗୋଟି ବାଲି ବୋଝେଇ ଗାଡିକୁ ଯାଞ୍ଚ କରାଯାଇଥିବା ବେଳେ ୩ଟି ଗାଡି କାଗଜପତ୍ର ଦେଖାଇ ପଳାଇ ଯାଇଥିଲେ। ଅନ୍ୟ ଦୁଇଟି ଗାଡିର କାଗଜପତ୍ର ଠିକ୍‌ ନଥିବାରୁ ରାଜସ୍ୱ ନିରୀକ୍ଷକ ତାଙ୍କ ଗାଡିକୁ ଅଟକ ରଖିଥିଲେ।

ଏଇ ଘଟଣାରେ ଉତ୍ତ୍ୟକ୍ତ ବାଲିମାଫିଆମାନେ ପ୍ରତିକ୍ରିୟାଶୀଳ ହୋଇଥିଲେ। ତାଙ୍କ ଦାନାରେ ବାଧା ସୃଷ୍ଟି କରୁଥିବା ରାଜସ୍ୱ ଅଧିକାରୀଙ୍କୁ ଜୀବନରୁ ମାରି ଦେବାକୁ ଯେଜାନା କରିଥିଲେ। ଆମ ରାସ୍ତାରେ କଣ୍ଟା ହେଲେ ଜୀବନରୁ ଶେଷ କରି ଦେବୁ ବୋଲି ଧମକ ଦେବା ସହ ପ୍ରତିଶୋଧପରାୟଣ ହୋଇ ବାଲିମାଫିଆମାନେ ମଂଜୁରୀରୋଡ ଆର.ଆଇ. ଅଫିସ ଭିତରେ ପଶି ଆତଙ୍କରାଜ ସୃଷ୍ଟି କରିଥିଲେ। ହାତରେ ଲୁହା ରଡ ସହ ମାରଣାସ୍ତ୍ରଧରି ଅଫିସ୍‌ ଭିତରକୁ ପଶିଥିଲେ। ଅଫିସରେ ପଶି ଆଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ କାଗଜପତ୍ର ଫିଙ୍ଗାଫିଙ୍ଗି କରିଥିଲେ। ସେଠାରେ ଥିବା ଭଣ୍ଡାରିପୋଖରୀ ତହସିଲର ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ସ୍ୱାଇଁ, ଆର.ଆଇ. ରାମନାରାୟଣ ସାମଲ ଓ ଅନ୍ୟଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁ ଲୁହାଣକରି ଦେଇଥିଲେ।

ଆକ୍ରମଣରେ ଅତିରିକ୍ତ ତହସିଲଦାରଙ୍କର ମୁଣ୍ଡ ଫାଟି ଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତିନି କର୍ମଚାରୀ ଅଫିସ୍‌ ଭିତରେ ଚିତ୍କାର କରୁଥିବା ବେଳେ ସ୍ଥାନୀୟ ପୁଲିସକୁ ମଧ୍ୟ ଖବର ଦିଆଯାଇଥିଲା। ମାତ୍ର ପୁଲିସ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିବାରୁ ମାଫିଆମାନେ ଆକ୍ରମଣକରି ସେହି ସ୍ଥାନରୁ ଖସି ପଳାଇ ଯାଇଥିଲେ।

ସମ୍ବନ୍ଧିତ ଖବର