ଖୋର୍ଦ୍ଧା: ନିରୀହ ଆଦିବାସୀ ଓ ସଅର ସମ୍ପ୍ରଦାୟଙ୍କ ଉପରେ ମାନବବାଦୀ ସଂଗଠନର ଜୁଲୁମ ଆଜି ମଧ୍ୟ ଥମିନାହିଁ । ଜେଲରେ ରହି ଏହାର ମୁଖିଆ ମାନଓ ଦାସ ଲୋକଙ୍କୁ ଲଗାଇ ଆଦିବାସୀମାନଙ୍କୁ ଡରାଉଛି, ଧମକାଉଛି । ଏଣୁ ତୁରନ୍ତ ମାନବବାଦୀ ସଂଗଠନକୁ ଆତଙ୍କବାଦୀ ସଂଗଠନ ଘୋଷଣା କରି କଡ଼ା ପଦକ୍ଷେପ ନିଆଯାଉ, ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଆଜି କଟକ, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ୯ଟି ଆଦିବାସୀ ସଂଗଠନ ଓ ପ୍ରାୟ ୨ହଜାର ଆଦିବାସୀ ମହିଳା ପୁରୁଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସମୟରେ ଚେତାବନୀ ଦେଇଛନ୍ତି । ଆଜି ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟା ବେଳେ ସହସ୍ରାଧିକ ଆଦିବାସୀ ପୁରୁଷ ଓ ମହିଳା ପାରମ୍ପରିକ ବେଶ ଓ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ନୂଆ ବସଷ୍ଟାଣ୍ଡ ଠାରୁ ଏକ ରାଲିରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ ।

Advertisment

ସେଠାରେ ଦୀର୍ଘ ୪୦ ମିନିଟ୍ ଧାରଣା ଦେବା ସହ ଜିଲ୍ଲାପାଳଙ୍କୁ ସେମାନଙ୍କ ନିକଟକୁ ଆସି ଦାବିପତ୍ର ଗ୍ରହଣ କରିବାକୁ ଜିଦ୍ ଧରିଥିଲେ । ଶେଷରେ ଜିଲ୍ଲାପାଳ ସନତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ବିକ୍ଷୋଭକାରୀଙ୍କ ନିକଟକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ । ଜିଲ୍ଲାପାଳଙ୍କୁ ଦିଆଯାଇଥିବା ୧୨ ଦଫା ସମ୍ବଳିତ ଦାବିପତ୍ରରେ ମାନବବାଦୀ ସଂଗଠନ ଓ ରାଷ୍ଟ୍ରୀୟ ନ୍ୟାୟ ମଂଚକୁ ଅସିଦ୍ଧ ଘୋଷଣା କରାଯାଉ, ଯେଉଁ ଆଦିବାସୀମାନେ ମାନସ ଦାସ, ମାନବାଦୀ ସଂଗଠନ ଓ ରାଷ୍ଟ୍ରୀୟ ନ୍ୟାୟମଂଚର ସଦସ୍ୟଙ୍କ ଦୌରାତ୍ମ୍ୟରେ ଗାଁ ଛାଡ଼ି ଚାଲିଯାଇଛନ୍ତି ସେମାନଙ୍କୁ ସୁରକ୍ଷିତ ଭାବେ ଗାଁକୁ ଫେରାଇ ଅଣାଯାଉ, ମାନସ ଦାସ ଓ ତା’ରି ସଂଗଠନ ହିଂସା, ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟିକାରୀ ଓ ରାଷ୍ଟ୍ର ବିଚ୍ଛନ୍ନକାରୀ ହୋଇଥିବାରୁ ଦେଶଦ୍ରୋହ ମାମଲାରେ ଦଣ୍ଡିତ କରାଯାଉ, ଜେଲରେ ରହି ଯେଉଁମାନଙ୍କ ଜରିଆରେ ରାଲି, ଆଦିବାସୀଙ୍କୁ ଧମକ ଆଦି ଦିଆଯାଉଛି ସେମାନଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରାଯିବା ସହ ମାନସ ଦାସର ପୁଅ ମନୋରଂଜନ ବିରୋଧରେ ୩୦୨ ହତ୍ୟା ଦଫା ଲଗାଯାଉ ଆଦି ଦାବି ରହିଛି । ଏହାପରେ ବିକ୍ଷୋଭକାରୀମାନେ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରାଙ୍କୁ ଭେଟି ଅନୁରୂପ ଦାବିପତ୍ର ପ୍ରଦାନ କରିଥିଲେ ।

publive-image

ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ଦାସ୍ମୋର ରାଜ୍ୟ ସଭାପତି ବିଦ୍ୟାଧର ଦେହୁରି, ପୂର୍ବତନ ମନ୍ତ୍ରୀ ଭଜମନ ବେହେରା, ଦାଣ୍ଡିମାଳ ସେବକ ସଂଘର ମୁଖ୍ୟ ସୁରେଶ ଚନ୍ଦ୍ର ନାୟକ, ଦାସ୍ମୋର ଉପାଧ୍ୟକ୍ଷ ଗୋପାଳଚନ୍ଦ୍ର ନାୟକ, ରାଜ୍ୟ ଆମ୍ବେଦକର ବିଚାରମଂଚ ଆବାହକ ଦେବରାଜ ନାୟକ, ନିଖିଳ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦର ମୁଖ୍ୟ ଅଶୋକ କୁମାର ନାୟକ, ଖୋର୍ଦ୍ଧା ଜିଲ୍ଲା ଶବର ସଂଘର ମୁଖ୍ୟ ଟୁକୁ ମାଝି, ଅଂଜଳି ସ୍ୱାଇଁ, ସୁଜାତା ନାୟକ, ଶ୍ରୀଶ୍ରୀ ନୀଳମାଧବ ଆଦିବାସୀ ସଂଘର ମୁଖ୍ୟ ଶରତ ନାୟକ, ବିଶ୍ୱାବସୁ ଶବର ସଂଘର ମୁଖ୍ୟ ରଂଗାଧର ମାଝି, ବହୁଜନ ଏକତା ପରିଷଦର ସଭାପତି ଲକ୍ଷ୍ମୀଧର ବେହେରା, ସାଧାରଣ ସମ୍ପାଦକ ସୁନାକର ବେହେରା, ନୀଳମାଧବ ଆଦିବସୀ ସଂଘର ସଭାପତି ମଥୁରୀ ସ୍ୱାଇଁ, ସାଧାରଣ ସମ୍ପାଦକ ରାଉତ ନାୟକ, ମହିଳା ସଭାନେତ୍ରୀ କମଳ କୁମାର ପାଟ୍ଟଷାଣୀ, ଦିବାକର ଭୋଇଙ୍କ ସମେତ କଟକ ଜିଲ୍ଲା ଶବର ସଂଘ, ନୟାଗଡ଼ ଜିଲ୍ଲା ବିଶ୍ୱାବସୁ ଶବର ସଂଘ, ପୁରୀ ଜିଲ୍ଲା ଶବର ସଂଘ, ବିଶ୍ୱାବସୁ ଆଦିବାସୀ ସାଂସ୍କୃତିକ ଶବର ସଂଘ, ଏକଲବ୍ୟ ଶବର ସଂଘର କର୍ମକର୍ତାମାନେ ଯୋଗ ଦେଇଥିଲେ । ଆଦିବାସୀଙ୍କ ବିକ୍ଷୋଭ ଓ ଦାବିପତ୍ର ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ମହାନ୍ତି କହିଛନ୍ତି ଯେ ଦାବିପତ୍ରକୁ ସେ ଗ୍ରହଣ କରିଛନ୍ତି । ଦାବିଗୁଡ଼ିକ ଉପରେ ବିଚାର କରାଯାଇ ଆଇନାନୁସାରେ ପଦକ୍ଷେପ ନିଆଯିବ ।