ବାପାଙ୍କ ପରେ ମା’କୁ ନେଇଗଲା କରୋନା; ଅନାଥ ନାବାଳିକାଙ୍କ ସ୍ବପ୍ନ ପୂରା କରିବ କି ପ୍ରଶାସନ !

ସୁନ୍ଦରଗଡ଼: ୧୩ ବର୍ଷର ଝିଅ ସ୍ନେହା ବାଗ। ସ୍କୁଲ ହତା ମାଡ଼ିବା ଦିନ ଠାରୁ କୁନି ମନରେ ଗୋଟିଏ ଇଚ୍ଛା ଥିଲା, ବଡ଼ ହେଲେ ସେ ଡାକ୍ତର ହେବ, ଗରିବ ରୋଗୀଙ୍କ ସେବା କରିବ। କିନ୍ତୁ କୁନି ବୟସରେ ସ୍ନେହାଙ୍କ ସ୍ବପ୍ନ ଭାଙ୍ଗି ଚୁରମାର୍ ହୋଇଯାଇଛି। ତାଙ୍କ ମୁଣ୍ଡ ଉପରେ ଉଠି ଯାଇଛି ବାପାମାଙ୍କ ଛାଇ। ବାପା ଶୁକ୍ରୁ ବାଗ ୨୦୧୮ରେ ଆକସ୍ମିକ ଭାବେ ପ୍ରାଣ ହରାଇଥିବା ବେଳେ ୨ ମାସ ତଳେ ମା’ ଶଶୀରେଖାଙ୍କୁ ବି ଟାଣି ନେଇଛି ମହାମାରୀ କରୋନା। କଅଁଳ ବୟସରେ ବାପାମା’ଙ୍କୁ ହରାଇଥିବା ସ୍ନେହା ଏବେ ବୃଦ୍ଧ ଅଜା ଓ ଆଈ ପାଖରେ। ପାଚିଲା ପତର ପରି ଶେଷ ସାହା ଥିବା ଅଜାଆଈଙ୍କ ଜୀବନ ବି ଆଉ କେତେ ଦିନ। ତା’ ପରେ ସ୍ନେହା ଚାଲି ଆସିବ କି ଦାଣ୍ଡକୁ। କିଏ ତାଙ୍କୁ ସାହା ହେବ, କିଏ ବଢ଼ାଇବ ସହାୟତାର ହାତ।

ସୁନ୍ଦରଗଡ଼ ପୌରାଞ୍ଚଳ ପତ୍ରାପଡ଼ାର ଏ ଛେଉଣ୍ଡ ଝିଅଙ୍କ ଦୁଃଖ ଶୁଣିବ କି ପ୍ରଶାସନ। ପତ୍ରାପଡ଼ାରେ ଏକ ଛୋଟ କୁଡ଼ିଆରେ ଶୁକ୍ରୁ ବାଗ ପତ୍ନୀ ଶଶୀରେଖା ଓ ଏକମାତ୍ର ଝିଅ ସ୍ନେହାକୁ ନେଇ ରହୁଥିଲେ। ଗରିବ ଶୁକ୍ରୁ କୁଲି କାମ କରୁଥିବା ବେଳେ ଶଶୀରେଖା ପର ଘରେ ବାସନ ମାଜୁଥିଲେ। ସେଥିରେ ଯାହା ମିଳୁଥିଲା ୩ ପ୍ରାଣୀ କଷ୍ଟେମଷ୍ଟେ ଚଳୁଥିଲେ। ତେବେ ଅଭାବ ଭିତରେ ବି ଶୁକ୍ରୁ ଝିଅ ସ୍ନେହାକୁ ପଢ଼ିବାକୁ ସ୍କୁଲ ପଠାଇଥିଲେ। ସୁନ୍ଦରଗଡ଼ ବ୍ଲକ କଲୋନି ସ୍କୁଲରେ ପଢ଼ୁଥିବା ଝିଅର ଟିକି ମନରେ ଡାକ୍ତର ହେବାର ସ୍ବପ୍ନ ଗଜୁରିଥିଲା।

ଡାକ୍ତର ହେଲେ ତାଙ୍କ ପରି ଗରିବ ଲୋକଙ୍କ ସେବା ସହ ତାଙ୍କ ପରିବାରର ଗରିବୀ ବି ଦୂର ହେବ ବୋଲି ସ୍ନେହା ଭାବିଥିଲେ। କିନ୍ତୁ ବାପାଙ୍କ ପରେ ମା’ଙ୍କୁ ଟାଣି ନେଇ ତାଙ୍କ ଟିକି ମନର ସ୍ବପ୍ନକୁ ଭାଙ୍ଗିଦେଲା ଦଇବ। ସ୍ଥାନୀୟ ଅଞ୍ଚଳର ସମାଜସେବୀ ପରେଶ କୁଜୁରଙ୍କ ପାଖରୁ କୁନି ଝିଅର ଦୁଃଖ ସମ୍ପର୍କରେ ଅବଗତ ହେବା ପରେ ଯୁବ ନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀ ଯାଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।

ରିତୁ ନାନୀ ଓ ସୁନୀଳ ମହାନନ୍ଦଙ୍କ ସହ ସ୍ନେହାଙ୍କୁ ନେଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିବା ପରେ ରେଡକ୍ରସରୁ ୨୦ ହଜାର ଟଙ୍କା ଓ ପୌର ନିର୍ବାହୀ ଅଧିକାରୀଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଆବାସ ବ୍ୟବସ୍ଥା ହୋଇଥିଲା। ତେବେ ଏମିତି ବାପାମା ଛେଉଣ୍ଡ ଗରିବ ଶିଶୁ, ବିଧବାଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା କି ଜିଲ୍ଲାପାଳଙ୍କ ଦୟାରେ ୧୦/୨୦ ହଜାର ଟଙ୍କା ଦେଇ ପ୍ରଶାସନ ନିଜ ଦାୟିତ୍ବ ସାରି ଦେଉଛନ୍ତି।

ଫଳରେ କିଞ୍ଚିତ ସହାୟତା ରାଶି ସରିଯିବା ପରେ ଛେଉଣ୍ଡ ଶୈଶବ କେଉଁଠି ଫୁଟପାଥକୁ ଚାଲିଯାଉଛି ତ କେଉଁଠି ଶିଶୁ ଶ୍ରମିକ ରୂପରେ ନିଜ ଅନିଶ୍ଚିତ, ଯନ୍ତ୍ରଣାସିକ୍ତ ଜୀବନ ଭିତରକୁ ଠେଲି ହୋଇଯାଉଛି। ସାମ୍ବାଧାନିକ ବିଧିବ୍ୟବସ୍ଥାରେ ଅସହାୟ ପରିବାରର ଜୀବନଜୀବିକା ଓ ଛେଉଣ୍ଡ ଶିଶୁଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସୁରକ୍ଷାର ସମ୍ପୂର୍ଣ୍ଣ ଉତ୍ତରଦାୟିତ୍ବ ସରକାର, ପ୍ରଶାସନ ଉପରେ ନ୍ୟସ୍ତ ରହିଛି। କିନ୍ତୁ ଅନେକ କ୍ଷେତ୍ରରେ ଏହାକୁ ସରକାରୀ କଳ ଅଣଦେଖା କରୁଛନ୍ତି। ଏସ୍ଥିତିରେ ଛେଉଣ୍ଡ ସ୍ନେହାଙ୍କ ପ୍ରତି ପ୍ରଶାସନ ଆଖି ନବୁଜି ତାଙ୍କ କଅଁଳ ମନରେ ସ୍ବପ୍ନକୁ ପୂରା କରିବା ପାଇଁ ଏକ ବଡ଼ ହୃଦୟ ନେଇ ଆଗେଇ ଆସିବାକୁ ଡ. ଷଡ଼ଙ୍ଗୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର