ଜୟପୁର: ବାଓ ଡିଗ୍ରେଡବଲ ବ୍ୟାଗ ତିଆରି ପାଇଁ ଅନୁମତି ପାଇ ଏହା ତିଆରି କରିବା ବଦଳରେ ପଲିଥିନ୍ ବ୍ୟାଗ ତିଆରି କରୁଥିବାରୁ ଏକ କାରଖାନାକୁ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରିଛି ଜିଲ୍ଲା ପରିବେଶ ପ୍ରଦୂଷଣ ବିଭାଗ। ଏହା ସହ ବିଦ୍ୟୁତ ସଂଯୋଗକୁ କଟାଯାଇଛି । ସୂଚନା ଅନୁଯାୟୀ, ଜୟପୁର ସଦରଥାନା ଅର୍ନ୍ତଗତ ବାଙ୍କବିଜା ଗାଁରେ ଥିବା ଏହି କଳରେ ପୂର୍ବରୁ ପରିବେଶ ପ୍ରଦୂଷଣ ବିଭାଗ ପକ୍ଷରୁ ଯାଂଚ କରାଯାଇଥିଲା। ଯାଂଚ ସମୟରେ ଉକ୍ତ କଳରେ ବାଇଓ ଡିଗ୍ରେଡବଲ ବ୍ୟାଗ ତିଆରି ହେଉନଥିଲା। ଏପରିକି ଏଥିପାଇଁ କେନ୍ଦ୍ରୀୟ ପରିବେଶ ପ୍ରଦୁଷଣ ବୋର୍ଡ ନିକଟରୁ ଅନୁମତିପତ୍ର ରହିବା କଥା। କିନ୍ତୁ ଏହା ମଧ୍ୟ ନଥିଲା।

Advertisment

ତେଣୁ ସେ ସମୟରେ କୋରାପୁଟ ଆଂଚଳିକ ପରିବେଶ ପ୍ରଦୁଷଣ ବୋର୍ଡର ଆଂଚଳିକ ଅଧିକାରୀ ଦୀପେଶ କୁମାର ବିଶ୍ବାଳ ଲିଖିତ ଭାବେ ଅବଗତ କରାଇଥିଲେ। ଏହା ବାଦେ ମଧ୍ୟ ଉକ୍ତ କଳ ଏହାକୁ ବନ୍ଦ କରି କାଗଜପତ୍ର ସଜାଡ଼ି ନଥିଲେ। ଆଜି ଆଂଚଳିକ ଅଧିକାରୀ ଶ୍ରୀ ବିଶ୍ବାଳ, ସହକାରୀ ପରିବେଶ ଇଂଜିନିୟର ସନ୍ତୋଷ କୁମାର ମାଣ୍ଡାଙ୍ଗି, ବୈଜ୍ଞାନିକ ତନ୍ମୟ କୁମାର ଦୁର୍ଗା, ମାଜିଷ୍ଟ୍ରେଟ ଭାବେ ଜୟପୁର ତହସିଲଦାର ସୁଶ୍ରୀ ସାଗରିକା ଷଡଙ୍ଗୀ, ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି, ପିଏସଆଇ ଗୌରବ ଦାଶଙ୍କୁ ନେଇ ଯାଂଚ କରିବା ସହ ପୁଣି ପଲିଥିନ୍ ଜରି ଦେଖିଥିଲେ। ପରେ ଏହି କଳକୁ ସିଲ୍ କରିଥିବା କହିଛନ୍ତି ଆଞ୍ଚଳିକ ପରିବେଶ ପ୍ରଦୂଷଣ ଅଧିକାରୀ। ଏହା ସହ ଏହି କଳର ବିଦ୍ୟୁତ ସଂଯୋଗ ବି କାଟି ଦିଆଯାଇଛି। ସହରରେ ଏଭଳି ଯଦି କେହି ପରିବେଶ ପ୍ରଦୂଷଣ କରି ପଲିଥିନ୍ ଜରି ପ୍ରସ୍ତୁତ କରୁଥିଲେ କିମ୍ବା ପଲିଥିନ୍ ଜରି ବିକ୍ରି କରୁଥିଲେ ତାଙ୍କୁ ସୂଚନା ଦେବା ପାଇଁ ଅନୁରୋଧ କରିଛନ୍ତି। ଏଭଳି ବ୍ୟବସାୟୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଆଂଚଳିକ ପରିବେଶ ପ୍ରଦୂଷଣ ଅଧିକାରୀ।