ପାଉଡ଼ି ଭୂୟାଁ ଆଦିବାସୀଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ରୋକିବା ଲାଗି ପ୍ରଶାସନର ପଦକ୍ଷେପ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ ଅଞ୍ଚଳରେ ବସବାସ କରୁଥିବା ପାଉଡ଼ି ଭୂୟାଁ ଜନଜାତି ସଂପ୍ରଦାୟର ଲୋକଙ୍କ ଭିତରେ କରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ଲାଗି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସଂପୃକ୍ତ ଅଞ୍ଚଳରେ ଟ୍ରେସିଂ, ଟେଷ୍ଟିଂ ଏବଂ ଆଇସୋଲେସନକୁ ଗୁରୁତ୍ୱ ଦିଆଯାଉଛି।

ପାଉଡ଼ି ଭୂୟାଁ ଅଞ୍ଚଳରେ ଆଶା, ଅଙ୍ଗନବାଡ଼ି କର୍ମୀ ଓ ସ୍ୱେଚ୍ଛାସେବୀମାନେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି। ଲୋକଙ୍କ ଶରୀରର ତାପମାତ୍ରା ଓ ଅକ୍ସିଜେନ ସ୍ତର ରେକର୍ଡ କରୁଛନ୍ତି। ଯାହା ପାଖରେ କିଛି ଲକ୍ଷଣ ଦେଖାଯାଉଛି ସେମାନଙ୍କୁ କୋଭିଡ୍ ପରୀକ୍ଷା କରିବାକୁ ପରାମର୍ଶ ଦେଉଛନ୍ତି। ଆକ୍ରାନ୍ତ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖିବା ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ବା ଟିଏମସି ଖୋଲାଯାଇଛି।

ସେହିପରି ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ କଥା ବୁଝିବା ଲାଗି ରାପିଡ୍ ରେସପନ୍ସ ଟିମ୍ ବା ଆରଆରଟି ଗଠନ କରାଯାଇଛି। ନିୟମିତ ବ୍ୟବଧାନରେ ଏହି ଟିମ୍ ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ଘରକୁ ଯାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରି ଆବଶ୍ୟକ ଔଷଧପତ୍ର ଦେଉଛନ୍ତି। ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ବଣାଇଁସ୍ଥିତ କୋଭିଡ୍ କେୟାର ସେଣ୍ଟର ବା ରାଉରକେଲାସ୍ଥିତ ସରକାରୀ କୋଭିଡ୍ ହସ୍ପିଟାଲକୁ ପଠାଇବା ଲାଗି ବ୍ୟବସ୍ଥା କରୁଛନ୍ତି।

ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ପରିବାରକୁ ପାଉଡ଼ି ଭୂୟାଁ ଉନ୍ନୟନ ସଂସ୍ଥା ପକ୍ଷରୁ ରାସନ କିଟ୍ ଯୋଗାଇ ଦିଆଯାଉଛି। ଏଥିରେ ଚାଉଳ, ଡାଲି, ତେଲ ସହିତ ବିଭିନ୍ନ ଶୁଖିଲା ଖାଦ୍ୟ ସାମଗ୍ରୀ ରହୁଛି। ଏହି ପରିବାରର ସଦସ୍ୟମାନେ ଯେପରି ବାହାରକୁ ନ ଆସନ୍ତି ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

ପାଉଡ଼ି ଭୂୟାଁ ଜନଜାତିର ଲୋକଙ୍କୁ କୋଭିଡ୍ ସମ୍ପର୍କରେ ସଚେତନ କରିବା ଲାଗି ଏକ ସଚେତନତା ରଥ ଗାଁକୁ ଗାଁ ବୁଲୁଛି। ମାଇକ ଜରିଆରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଏବଂ ଭଲଭାବେ ହାତ ଧୋଇବା ଆଦି ସମ୍ପର୍କରେ ସଚେତନ କରାଯାଉଛି।

ସମ୍ବନ୍ଧିତ ଖବର