କ୍ବାରେଣ୍ଟିନ ନିୟମ ଉଲଂଘନ କରିଥିବାରୁ ପ୍ରବାସୀ ଓଡ଼ିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ପୁରୀ: ବାହାର ରାଜ୍ୟରୁ ଫେରି ଜଣେ ସ୍ଥାନୀୟ ଯୁବକ କୱାରେଣ୍ଟିନ ନିୟମ ଭାଙ୍ଗି ସହରରେ ବୁଲୁ ଥିବା କାରଣରୁ ତାଙ୍କ ବିରୁଦ୍ଧରେ ପ୍ରଶାସନ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି I

ଗତ ୫.୭ ୨୦୨୦ ରେ ତେଲେଙ୍ଗାନା ରାଜ୍ୟରୁ ସ୍ଥାନୀୟ କୁମ୍ଭାରପଡା ଅଂଚଳର ଜଣେ ଯୁବକ ନିର୍ବେନ୍ଦୁ କୁମାର ପଟ୍ଟନାୟକ ପୁରୀ ଫେରି ଥିଲେ ଏବଂ ସ୍ଥାନୀୟ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ଠାରେ ପଂଜିକୃତ ହୋଇଥିଲେ I ପରେ ନିଜ ଘରେ ସଙ୍ଗରୋଧରେ ରହିବେ ଏବଂ ଘରୁ ବାହାରିବେ ନାହିଁ ବୋଲି ଲିଖିତ ଅଣ୍ଡରଟେକିଂ ଦେବାପରେ ତାଙ୍କୁ ନିଜ କୁମ୍ଭାରପଡ଼ାସ୍ଥିତ ବାସସ୍ଥାନରେ ରହିବାକୁ ଅନୁମତି ଦିଆ ଯାଇଥିଲା I କିନ୍ତୁ ଯେତେବେଳେ ସେଠାର ୱାର୍ଡ ନୋଡାଲ ଅଫିସର (୨୨ ନମ୍ବର ୱାର୍ଡ ) ରବି ନାରାୟଣ ମହାପାତ୍ର ତାଙ୍କ ବାସଗୃହକୁ ସଂଗରୋଧ ଷ୍ଟିକର ମାରିବାକୁ ଗଲେ, ସେ ନିର୍ବେନ୍ଦୁ ପଟ୍ଟନାୟକଙ୍କୁ ତାଙ୍କ ଘରେ ପାଇ ନ ଥିଲେ I ସେ ଫୋନ ଯୋଗେ ତାଙ୍କ ସହ ଯୋଗାଯୋଗ କରି ତାଂକୁ ନିୟମ ଅନୁଯାଇ ନିଜ ଘରେ ସଙ୍ଗରୋଧରେ  ରହିବାକୁ ତାଗିଦ କରିଥିଲେ I କିନ୍ତୁ ନିର୍ବେନ୍ଦୁ ସମସ୍ତ ନିୟମ ଉଲ୍ଲଙ୍ଘନ କରି ତାଙ୍କ  ସ୍କୁଟିରେ ସମୁଦ୍ରକୂଳ ଏବଂ ବଡଦାଣ୍ଡରେ ବୁଲିବା ଜଣା ପଡିଥିଲା I ନିର୍ବେନ୍ଦୁ ମଧ୍ୟ ନିଜ ବାହାରେ ବୁଲିବା ଫଟୋ  ନିଜ ଫେସବୁକରେ ଛାଡିଥିଲେ I

ଆଜି ୱାର୍ଡ ନୋଡଲ ଅଫିସରଙ୍କ ଅଭିଯୋଗ ପରେ ପୌରପାଳିକାର ଅତିରିକ୍ତ ନିର୍ବାହୀ ଅଧିକାରୀ ସରୋଜ ସ୍ୱାଇଁ ଏବଂ ସ୍ଥାନୀୟ ତହସିଲଦାର ଆଶିଷ ସାହୁ ନିର୍ବେନ୍ଦୁ ପଟନାୟକଙ୍କୁ ତାଙ୍କ ଘରୁ ଆଣି ସ୍ଥାନୀୟ ରୁମାନୀ ହୋଟେଲରେ ଦେୟଯୁକ୍ତ କୱାରେଣ୍ଟିନରେ ରଖଛନ୍ତି I ଏଥି ସହ ପ୍ରଶାସନ ତରଫରୁ ତାଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ସେକ୍ସନ ୫୧ ଏବଂ ଆଇପିସି ଧାରା ୧୮୮ ଅନୁଯାୟୀ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ପଦକ୍ଷେପ ନିଆ ଯାଉଛି I

ସମ୍ବନ୍ଧିତ ଖବର