‘ଗ୍ୟାପ୍ ଇଙ୍କ’ର କିଶୋରୀ ବାଳିକାମାନଙ୍କ ପାଇଁ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର ଶୁଭାରମ୍ଭ

ସମ୍ବଲପୁର: ୨୦୨୦ ଅକ୍ଟୋବର ୧୦ରୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ୧୧ରୁ ୧୭ବର୍ଷ ବୟସର ବାଳିକାମାନଙ୍କ ପାଇଁ ବିଶ୍ବସ୍ତରୀୟ ଖ୍ୟାତିସମ୍ପନ୍ନ ତଥା ଅନେକ ଗବେଷଣା ମାଧ୍ୟମରେ ବିକଶିତ ଜୀବନ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅର୍ନ୍ତଜାତୀୟ ଶିଶୁ କନ୍ୟା ଦିବସ-୨୦୨୦ ଅବସରରେ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମଟି ସମ୍ବଲପୁର ଜିଲ୍ଲାପାଳଙ୍କ ଉଦଘାଟିତ ହୋଇଛି।

କିଶୋରୀ ବାଳିକାମାନଙ୍କର ଅଧିକାରକୁ ଚିହ୍ନିବା ଏବଂ ସେମାନଙ୍କର ନିର୍ଦ୍ଦିଷ୍ଟ ସମସ୍ୟା ସମୁହର ସମାଧାନ କରିବା ପାଇଁ ପଦକ୍ଷେପ ନେବା ହେଉଛି ଆର୍ନ୍ତଜାତୀୟ ଶିଶୁ କନ୍ୟା ଦିବସ ପାଳନର ଆଭିମୁଖ୍ୟ। ବେଜିଂ ଘୋଷଣାନାମାର ୨୫ବର୍ଷ ପୂର୍ତ୍ତି ଅବସରରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ହମାରା ବଚପନ ଟ୍ରଷ୍ଟର ମିଳିତ ଭାଗୀଦାରିତାରେ କିଶୋରୀ ବାଳିକାମାନଙ୍କର ସଶକ୍ତୀକରଣ ନିମନ୍ତେ ଏକ ପ୍ରୟାସ କରାଯାଉଛି। ବ୍ୟକ୍ତିଗତ ଉନ୍ନତି ଓ ବୃତ୍ତିଗତ ଅଭିବୃଦ୍ଧି (ପି.ଏ.ସି.ଇ) ହେଉଛି ଗ୍ୟାପ୍ ଇଙ୍କର ଏକ ସ୍ବତନ୍ତ୍ର ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ, ଯାହା କିଶୋରୀମାନଙ୍କର ଦକ୍ଷତା ବିକାଶ କରି ସେମାନଙ୍କ ଜୀବନର ଲକ୍ଷ୍ୟ ନିର୍ଦ୍ଧାରଣ କରିବା ନିଷ୍ପତ୍ତି ନେବା ଏବଂ ଉନ୍ନତ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟର ବିକାଶ କରିବାରେ ସହାୟକ ହେବ। ଏହି ତାଲିମ ସମ୍ବଲପୁରର ବସ୍ତି, ଗ୍ରାମାଞ୍ଚଳ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆା‌ୟୋଜନ କରାଯିବ ଯାହା ଦ୍ବାରା ସମ୍ବଲପୁର ଟାଉନ , ସଦର ବ୍ଲକ, ମାନେଶ୍ବର ଓ ହୀରାକୁଦ ବ୍ଲକର ୩୦୦ ବାଳିକା ଉପକୃତ ହେବେ।   ଭୁବନେଶ୍ବରର ଫିକି ମହିଳା ସଂଗଠନ ଏହି କାର୍ଯ୍ୟକ୍ରମର ନଲେଜ ପାର୍ଟନର ରହିବା ସହ  ଫିକି ଫ୍ଲୋର ମହିଳା ସଦସ୍ୟ ବୃନ୍ଦ କିଶୋରୀ ବାଳିକାମାନଙ୍କୁ ବୈଷୟିକ ଜ୍ଞାନ ପ୍ରଦାନ ଜରିଆରେ ନିଯୁକ୍ତି ଓ ଉଦ୍ୟାଗ ବିକାଶ କରି ଆତ୍ମନିର୍ଭଶୀଳ ହେବାପାଇଁ ପ୍ରସ୍ତୁତ କରିବେ।

ଏହି କାର୍ଯ୍ୟକ୍ରମର  ମୁଖ୍ୟଅତିଥି ସମ୍ବଲପୁର ଜିଲ୍ଲାପାଳ ଉଦଘାଟନୀ ସମ୍ଭା‌ଷଣରେ ତାଙ୍କ  ମତରଖି କହିଥିଲେ ଯେ, ‘ଜିଲ୍ଲାର  ଜନସଂଖ୍ୟାର ପ୍ରାୟ ୨୫ ପ୍ରତିଶତ ହେଉଛନ୍ତି କିଶୋର ଗୋଷ୍ଠୀର। ଯେଉଁମାନଙ୍କ ମଧ୍ୟରେ ୫୦ଶତକଡ଼ା ହେଉଛନ୍ତି ବାଳିକା। ଏହି ବାଳିକାମାନେ ବୟସଗତ ଓ ଲିଙ୍ଗଭିତ୍ତିକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କର ଦକ୍ଷତା ବିକାଶ କରି ନିଜ ସମସ୍ୟାର ସମାଧାନ କରିବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରାଯାଇପାରିବ।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ ସୁକାନ୍ତ ତ୍ରିପାଠୀ ନିଜର ବକ୍ତବ୍ୟରେ କହିଥିଲେ ଯେ ‘କିଶୋର ଅବସ୍ଥା ହେଉଛି ଏପରି ଏକ ସମୟ ଯେତେବେ‌ଳେ ଜଣେ ବ୍ୟକ୍ତିର ଶାରୀରିକ ବୌଦ୍ଧିକ ସାମର୍ଥ୍ୟର ବିକାଶ ହୋଇଥାଏ। କିନ୍ତୁ ଉପଯୁକ୍ତ ମାର୍ଗଦର୍ଶନ ଅଭାବରେ କି‌‌ଶୋର ଗୋଷ୍ଠୀ ଏହି ସମୟରେ ଏହାର ଉପଯୁକ୍ତ ବିନିଯୋଗ କରି ପାରନ୍ତି ନାହିଁ। କିଶୋରୀମାନେ ହେଉଛନ୍ତି ‌ଦେଶର ଭବିଷ୍ୟତ, ସେମାନଙ୍କର ବିକାଶ ଦିଗରେ କାର୍ଯ୍ୟ କଲେ ସମାଜର ସାମଗ୍ରିକ ବିକାଶ ହୋଇ ପାରିବ।

ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଗୀତାରାଣୀ ମହାପାତ୍ର ଓ ଜିଲ୍ଲା ଶିକ୍ଷା ଅଧିକାରୀ  ମୀନାରାଣୀ ମଣ୍ଡଳ ସମ୍ବଲପୁର ଜିଲ୍ଲାର ସ୍ଥିତି ସମୀକ୍ଷା କରି କିଶୋରୀ ଦକ୍ଷତା ବିକାଶ ତାଲିମର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ।

‘ହମାରା ବଚପନ୍’ ଟ୍ରଷ୍ଟର ପ୍ରତିଷ୍ଠାତ୍ରୀ ତଥା ଭୁବନେଶ୍ବ ରଫିକି ମହିଳା ସଂଗଠନର ଅଧ୍ୟକ୍ଷା  ଧରତ୍ରୀ ପଟ୍ଟନାୟକ କାର୍ଯ୍ୟକ୍ରମର ପରିସର, ଉଦ୍ଦେଶ୍ୟ ଏବଂ କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲା ଶିଶୁ ବିକାଶ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ , ଜନସମ୍ପର୍କ ଅଧିକାରୀ ଏବଂ ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ। ‘ହମାରା ବଚପନ୍’ ସଂସ୍ଥାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅର୍ପିତା ପଟ୍ଟନାୟକ, ସୁଶ୍ରୀ ସଙ୍ଗୀତା ବଳ, ପୁରବୀ ପଟ୍ଟନାୟକ ଓ ଜ୍ୟୋତି ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର