ବଲାଙ୍ଗୀର: ବଲାଙ୍ଗୀରର ସୁନାମଧନ୍ୟ ଆଇନଜୀବୀ ମାର୍କଣ୍ଡ ମିଶ୍ରଙ୍କ ସୋମବାର ଅପରାହ୍ନ ୨ଟାରେ ତାଙ୍କ ଟିକ୍ରପଡ଼ା ବାସଭବନ ଠାରେ ପରଲୋକ ହୋଇଛି। ତାଙ୍କୁ ୮୯ ବର୍ଷ ବୟସ ହେଉଥିଲା। ଗତ ୧୦ ଦିନ ତଳେ ତାଙ୍କର ଧର୍ମପତ୍ନୀ ଜ୍ୟୋତିର୍ମୟୀ ମିଶ୍ରଙ୍କ ପରଲୋକ ଘଟିଥିଲା। ଆଜି ପତ୍ନୀଙ୍କ ଦଶାହ କାର୍ଯ୍ୟ ଚାଲିଥିବା ବେଳେ ସ୍ବାମୀ ମାର୍କଣ୍ଡ ମିଶ୍ରଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ସେ ବିଗତ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଚିକିତ୍ସିତ ହେଉଥିଲେ। ଜଣେ ଦକ୍ଷ ଆଇନଜୀବୀ ଓ ବିଚାରପତି ଭାବରେ ସାରା ରାଜ୍ୟରେ ପରିଚିତ ଥିଲେ। ଜୁଡିସିଆଲ ସର୍ଭିସରେ ଯୋଗଦେଇ ସ୍ବର୍ଗତ ମିଶ୍ର ବାଲେଶ୍ବର, ପୁରୀ ଓ ସମ୍ବଲପୁର ଠାରେ ବିଚାରପତି ଦାୟିତ୍ବ ନିର୍ବାହ କରିଥିଲେ। ଆଜି ଶେଷ ସମୟରେ ତାଙ୍କର ଜ୍ୟେଷ୍ଠପୁତ୍ର ଝାଡ଼ଖଣ୍ଡର ମୁଖ୍ୟ ବିଚାପତି ସଞ୍ଜୟ କୁମାର ମିଶ୍ର, କନିଷ୍ଠ ପୁତ୍ର ଅଜୟ ମିଶ୍ର, ଝିଅ ବିଜୟଲକ୍ଷ୍ମୀ ଦାଶ, ହେମାଙ୍ଗିନୀ ଟାଲି, ଚୟନିକା ଦାଶ, ମୌସୁମୀ ହୋତା, ଜ୍ବାଇଁ ବୃନ୍ଦାବନ ଟାଲି, ଗଣେଶ ଚନ୍ଦ୍ର ଦାଶ, ଛତିଶଗଡ଼ର ବାରିଷ୍ଠ ସାମ୍ବାଦିକ ପ୍ରକାଶ ଚନ୍ଦ୍ର ହୋତା ତଥା ସମସ୍ତ ନାତି ନାତୁଣୀ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ବଲାଙ୍ଗୀର ବିଭୂତିପଡ଼ା ଶ୍ମଶାନ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠପୁତ୍ର ଜଷ୍ଟିସ ସଂଜୟକୁମାର ମିଶ୍ର ମୁଖାଗ୍ନି ଦେଇଥିଲେ।
ସ୍ବର୍ଗତ ମିଶ୍ର ପୂର୍ବତନ ସାଂସଦ ସତ୍ୟାନନ୍ଦ ମିଶ୍ରଙ୍କ ପୁତ୍ର ତଥା ସୋନପୁର ଷ୍ଟେଟ୍ର ପ୍ରତିଷ୍ଠିତ ମାଜିଷ୍ଟ୍ରେଟ ଥିବା ରାମଚନ୍ଦ୍ର ତ୍ରିପାଠୀଙ୍କ ଜାମାତା ଥିଲେ। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ତାଙ୍କ କକାପୁଅ ଭାଇ ଅଟନ୍ତି। ସ୍ବର୍ଗତ ମିଶ୍ର ୧୯୩୪ ମସିହା ଅଗଷ୍ଟ ୨୫ ତାରିଖ ଦିନ ବଲାଙ୍ଗୀର ନିକଟସ୍ଥ ଛତାମଖନା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲ ଓ ସମ୍ବଲପୁର ଗଙ୍ଗାଧର ମେହେର କଲେଜ ଓ କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ୧୯୬୪ ମସିହାରେ ସେ ସମ୍ବଲପୁର ଠାରେ ବିଚାରପତି ପଦବିରୁ ଇସ୍ତଫା ଦେଇ ବଲାଙ୍ଗୀର ବାରରେ ଯୋଗଦାନ କରିଥିଲେ। ବଲାଙ୍ଗୀର ବାରର ସଦସ୍ୟ ତଥା ବିଭିନ୍ନ ପଦପଦବିରେ ଥିବା ସ୍ବର୍ଗତ ମିଶ୍ର ରୋଟାରୀ କ୍ଲବ, ସତ୍ୟସାଇ ସେବା ସଂସ୍ଥା ତଥା ଅନେକ ସଂଗଠନ ସହିତ ଜଡ଼ିତ ଥିଲେ। ରାଜ୍ୟର ଜଣେ ଶ୍ରେଷ୍ଠ ଆଇନଜୀବୀ ଭାବରେ ମଧ୍ୟ ସେ ପୁରସ୍କୃତ ହୋଇଥିଲେ। ତାଙ୍କର ଜୁନିଅର ଭାବେ କାର୍ଯ୍ୟ କରିଥିବା ବହୁ ଆଇନଜୀବୀ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ।
ତାଙ୍କ ବିୟୋଗରେ ଆଜି ସମଗ୍ର ଅଂଚଳରେ ଶୋକ ପ୍ରକାଶ ପାଇଛି । ଜିଲ୍ଲା ଓକିଲ ସଂଘ ସମେତ ଅନ୍ୟ ଓକିଲ ସଂଘ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ତାଙ୍କର ବିୟୋଗ ବଲାଙ୍ଗୀର ଓକିଲାତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ବିଧାୟକ ନରସିଂହ ମିଶ୍ର। ଅନ୍ତିମ ଶୋଭାଯାତ୍ରା ଓ ଶେଷକୃତ୍ୟ ବେଳେ ବଲାଙ୍ଗୀରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ବହୁ ଆଇନଜୀବୀ ଉପସ୍ଥିତ ଥିଲେ। ମାର୍କଣ୍ଡ ମିଶ୍ରଙ୍କ ବିୟୋଗରେ ବଲାଙ୍ଗୀର ନାଗରିକ କମିଟିର ସାଧାରଣ ସଂପାଦକ ମନୋରଂଜନ ସାହୁ, ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀ,ଆଇନଜୀବୀ ଗୋପାଳ ଚନ୍ଦ୍ର ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ମିଶ୍ର, ବଲାଙ୍ଗୀର ଜୁଡିସିଆଲ ଅଫିସରବୃନ୍ଦ, ବିଜେପି ନେତ୍ରୀ ପଙ୍କଜିନୀ ପଣ୍ଡା, ସୁଶୀଲ ତ୍ରିପାଠୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/5-22.jpg)