ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ। ଯେଉଁ ଡାକ୍ତର ଏଠାକୁ ବଦଳି ହୋଇ ଆସୁଛନ୍ତି, ସେମାନେ ଏଠାରେ ନରହି ଭୁବନେଶ୍ୱରରେ ରହୁଛନ୍ତି ଓ ଘରୋଇ କ୍ଲିନିକ୍ରେ ଅଧିକାଂଶ ସମୟ ଦେଉଛନ୍ତି, ଏଭଳି ଅଭିଯୋଗ କରିଛି ଖୋର୍ଦ୍ଧା ବିକାଶ ମଞ୍ଚ ଓ ଖୋର୍ଦ୍ଧା ଓକିଲ ସଂଘ। ଆଜି ବିକାଶ ମଞ୍ଚ ଓ ଓକିଲ ସଂଘର ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ. ଆର୍ତ୍ତବନ୍ଧୁ ନାୟକଙ୍କୁ ଭେଟି ଏନେଇ ଆଲୋଚନା କରିଛନ୍ତି। ଆଲୋଚନାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସଦର ମହକୁମାରେ ଡାକ୍ତର ରହୁନଥିବା ନେଇ ଦୃଷ୍ଟି ଆକର୍ଷଣ କରିବା ସହ ରୋଗୀଙ୍କୁ ସଠିକ୍ ସେବା ଯୋଗାଇଦେବାକୁ ଦାବି କରିଛନ୍ତି।
ଏହି ଆଲୋଚନାରେ ଓକିଲ ସଂଘ ସଭାପତି ବିଜୟ ସାମନ୍ତସିଂହାର, ଉପସଭାପତି ପ୍ରଭାତ ବେହେରା, ସମ୍ପାଦକ ପ୍ରଦୀପ ମିଶ୍ର, ଆଇନଜୀବୀ ହର ମହାପାତ୍ର, ଲିଙ୍ଗରାଜ ସାହୁ, ବିଚିତ୍ର ବଡ଼ଜେନା, ବିକାଶ ମଞ୍ଚର ସଭାପତି ନରେନ୍ଦ୍ର ପୃଷ୍ଟି, ସାଧାରଣ ସମ୍ପାଦକ ପ୍ରକାଶ ଦାସ, କାହ୍ନୁ ଖୁଣ୍ଟିଆ, ପ୍ରଭାତ ପରିଡ଼ା, ଜିତୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।