କିଶନନଗର: ଗତ ୮ ତାରିଖ ରାତିରେ ଦୁର୍ବୃତ୍ତମାନେ ମାହାଳହାଟ ବିଟ୍ ହାଉସ୍ ଅଧୀନ ବାବୁଜଙ୍ଗ ବାରିମୂଳ ଗ୍ରାମର ଜାନକୀ ରଞ୍ଜନ ପରିଡ଼ାଙ୍କ ଘରୁ ୩ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଚୋରି କରିନେଇଥିଲେ। ଏହାକୁ ମିଶାଇ ଗତ ଦେଢ଼ମାସ ଭିତରେ ଦୁର୍ବୃତ୍ତମାନେ ମାହାଳହାଟ ଅଞ୍ଚଳର ୧୦ଟି ସ୍ଥାନରୁ ଚୋରି କରିଥିଲେ ମଧ୍ୟ ପୁଲିସ ସେମାନଙ୍କ ଟେର୍ ପାଇପାରି ନାହିଁ। ଏ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପୁଲିସର ନିଦ ଭାଙ୍ଗିଛି। ଆଜି ପୂର୍ବାହ୍ନରେ ସାଲେପୁର ଏସ୍ଡିପିଓ ପ୍ରଶାନ୍ତ ମଝି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସେହିପରି ସନ୍ଧ୍ୟାରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଦଳ ରଞ୍ଜନ ପରିଡ଼ାଙ୍କ ଘରେ ପହଞ୍ଚି ଅନୁସନ୍ଧାନ କରିବା ସହ ଘଟଣାସ୍ଥଳରୁ ଆଙ୍ଗୁଳି ଛାପ ସଂଗ୍ରହ କରିଛନ୍ତି। ତେବେ ଚୋରି ଘଟଣାକୁ ୩୬ଘଣ୍ଟା ବିତିବା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ସନ୍ଧାନୀ କୁକୁରକୁ ସେପରି କିଛି ସଫଳତା ମିଳିପାରି ନ ଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ରଞ୍ଜନଙ୍କ ସିଡ଼ିଘର ଦେଇ ଭିତରେ ପଶିଥିବା ଦୁର୍ବୃତ୍ତମାନେ ପରିବାର ସଦସ୍ୟଙ୍କ ଶୋଇବା ଗୃହ ବାହାରପଟୁ ବନ୍ଦ କରିଦେଇଥିଲେ।
ଏହାପରେ ସେମାନେ ଅନ୍ୟ କୋଠରୀରେ ଥିବା ଗଡ୍ରେଜ୍ ଆଲମିରା ଲକର୍ ଓ ଦୁଇଟି ବାକ୍ସର ତାଲା ଭାଙ୍ଗି ସୁନା ଅଳଙ୍କାର ଓ ୨ ହଜାର ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଛି। ରଞ୍ଜନଙ୍କ ଝିଅର ବାହାଘର ପାଇଁ ଏହି ଅଳଙ୍କାର କିଣା ଯାଇଥିବା କୁହାଯାଉଛି। ସେହି ରାତିରେ ବାବୁଜଙ୍ଗ ସଫିପୁରର ଯଦୁନାଥ ସେଠୀଙ୍କ କବାଟ ଭାଙ୍ଗି ଦୁର୍ବୃତ୍ତମାନେ ସୁନାଗହଣା ଓ ଟଙ୍କା ଚୋରି କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏହା ପୂର୍ବରୁ ଗତ ୩୦ତାରିଖ ରାତିରେ ଦୁର୍ବୃତ୍ତମାନେ ମଣିଜଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ତାଲା ଭାଙ୍ଗି ବଡ଼ଧରଣର ଚୋରି କରିଥିଲେ। ଏଠାରୁ ନଗଦ ଟଙ୍କା, ଏଲ୍ସିଡି ଟିଭି, ଏସି, ସିସିଟିଭି କ୍ୟାମେରା, ହାର୍ଡ ଡିସ୍କ ଆଦି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ସେହିପରି ଉତ୍ତରକୁଳ ମେହେନ୍ଦୀପୁର ଗ୍ରାମର ବିଭୂତି ଦାସଙ୍କ ଗୁହାଳରୁ ୨୫ଟି ଛେଳି ଚୋରି ହୋଇଥିଲା ବେଳେ ମୁଗୁରିଆର ସୁବାସ ବେଉରା, ଦୁଲ୍ଲୁପୁରର ଶରତ ମଲ୍ଲ, ବାବୁଜଙ୍ଗର ତାରୁନ୍ ନିଶା ବିବି, ଖୁର୍ସିଦ୍ ବେଗ ଓ ଅକ୍ଷୟ ରାଉତ, ଉତ୍ତରକୁଳ ଚମ୍ପା ଗ୍ରାମର ସୌଦାମିନୀ ତ୍ରିପାଠୀଙ୍କ ଘରୁ ଚୋରି ହୋଇଥିବା ଜଣାଯାଇଛି। ହେଲେ, ଉକ୍ତ ସମସ୍ତ ଘଟଣାରେ ଅଦ୍ୟାବଧି ପୁଲିସ ଚୋରଙ୍କ ପତ୍ତା ପାଇପାରି ନ ଥିବା ସୂଚନା ମିଳିଛି।