ରାଇସୁଆଁ: ଯୁକ୍ତ ୨ ପରେ ହଠାତ୍‌ କେଉଁଆଡ଼େ ଚାଲିଗଲେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ରାଇସୁଆଁ ପଞ୍ଚାୟତ ରାଣୀବେଡା ଗ୍ରାମର ସ୍ୱର୍ଗତ ଧରଣୀଧର ସିଂହଙ୍କ ମଝିଆ ପୁଅ ଶରତ ଚନ୍ଦ୍ର ସିଂହ। ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ପାଇନଥିଲେ। ନିଖୋଜର ୨୬ ବର୍ଷ ପରେ ଶରତ ଘରକୁ ଫେରିଥିବାରୁ ପରିବାରରେ ଖୁସିର ଲହରି ଖେଳିଯାଇଛି। ୨୬ ବର୍ଷର ବ୍ୟବଧାନ ପରେ ବି ଭାଇକୁ ଚିହ୍ନି ପାରିଛନ୍ତି ଭଉଣୀ ।

Advertisment

ଶରତ ଯୁକ୍ତ ୨ ପାସ୍‌ କରିବା ପରେ ୧୯୯୭ ମସିହାରେ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ବର୍ଷବର୍ଷ ପରେ ବିତିବା ପରେ ପରିବାର ଲୋକେ ପୁଅର ଫେରିବା ଆଶା ଛାଡ଼ି ଦେଇଥିଲେ। ଜଣକ ପରେ ଜଣେ ହୋଇ ବାପା, ମା’ ଓ ସାନଭାଇ ଆରିପାରିକୁ ଚାଲିଗଲେ। ଭଉଣୀ ମଧ୍ୟ ବାହା ହୋଇ ଶାଶୂଘରକୁ ଚାଲିଗଲା। କିନ୍ତୁ ଶରତ ଘରକୁ ଫେରିଲେ ନାହିଁ। ଗତ ୨୬ ତାରିଖରେ ଶରତ ହରିଚନ୍ଦନପୁର ବ୍ଲକ୍‌ ନନ୍ଦରା ଗ୍ରାମରେ ବୁଲୁଥିଲେ। ଉକ୍ତ ଗ୍ରାମରେ ବିବାହ କରିଥିବା ଭଉଣୀ ପ୍ରମିଳା ତାଙ୍କୁ ଚିହ୍ନି ପାରିଥିଲେ। ବହୁବର୍ଷ ପରେ ଭାଇଭଉଣୀଙ୍କ ଭେଟ ହେବାରୁ ଉଭୟ ଖୁସିରେ ଆତ୍ମହରା ହୋଇଯାଇଥିଲେ। ଏନେଇ ପ୍ରମିଳା ତୁରନ୍ତ ଫୋନ୍‌ କରି ବାପଘରକୁ ଜଣାଇଥିଲେ।

ପରିବାର ଲୋକେ ନନ୍ଦରା ଗ୍ରାମରେ ପହଞ୍ଚି ଶରତଙ୍କୁ ଚିହ୍ନିଥିଲେ। ଏନେଇ ସେମାନେ ନିକଟସ୍ଥ ଥାନାକୁ ଯାଇ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲେ। ଥାନା ଅଧିକାରୀଙ୍କ ପରାମର୍ଶକ୍ରମେ ପରିବାର ଲୋକେ ଶରତଙ୍କୁ ଘରକୁ ଆଣିଛନ୍ତି। ଘର ଛାଡ଼ିବା ବେଳେ ମାତ୍ର ୧୭ ବର୍ଷର ହୋଇଥିବା ଶରତଙ୍କୁ ଏବେ ୪୩ ବର୍ଷ। ତାଙ୍କୁ ଦେଖିବା ପାଇଁ ଘରେ ଗ୍ରାମବାସୀଙ୍କ ଭିଡ଼ ଜମିଛି। ସରପଞ୍ଚ ବାଗୁନ ଚାମ୍ପିଆ, ସମିତିସଭ୍ୟ ଅଶୋକ କୁମାର ନାୟକ, ଗୋଣ୍ଡ ସାଂସ୍କୃତିକ ସମାଜର ସଭାପତି ପଦ୍ମଚରଣ ନାୟକ, ସମ୍ପାଦକ କନ୍ଦର୍ପ ନାୟକ, ସାମ୍ବାଦିକ ଈଶ୍ବର ଚନ୍ଦ୍ର ବାରିକ ପ୍ରମୁଖ ରାଣୀବେଡ଼ା ଗ୍ରାମକୁ ଯାଇ ତାଙ୍କୁ ଭେଟିଛନ୍ତି। ଶରତଙ୍କ କହିବା ହେଲା, ସେ ସାମାନ୍ୟ ମାନସିକ ନ୍ୟୂନ ଥିବାରୁ ଘର ଛାଡ଼ି ଚାଲିଯାଇଥିଲେ। ବହୁଦିନ ଧରି ସେ ଛତିଶଗଡ଼ରେ ରହି ଦାଦନ ଶ୍ରମିକ ଭାବେ କାମ କରୁଥିଲେ। କିନ୍ତୁ ଘର କଥା ତାଙ୍କର ମନେ ଥିଲା। ଗତ ପାଞ୍ଚମାସ ହେଲା ସେ ବ୍ରହ୍ମପୁରରେ ରହି କାମ କରୁଥିଲେ। ୨୬ ବର୍ଷ ପରେ ଘରକୁ ଫେରି ପରିବାରକୁ ପାଇଥିବାରୁ ସେ ବେଶ ଖୁସିଥିବା କହିଛନ୍ତି ଶରତ।