କେନାଲରେ ଗୋଡ଼ ଖସି ବୃଦ୍ଧ ନିଖୋଜ; ୩୦ଘଣ୍ଟା ହେବ ଓଡ୍ରାଫ ଓ ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ୍‌ ଜାରି

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅର୍ନ୍ତଗତ ଦଣ୍ଡସେନାଗୁଡ଼ା ନିକଟ ଦେଇ ଯାଇଥିବା କୋଲାବ ମୁଖ୍ୟ କେନାଲରେ ‌ଜଣେ ବୃଦ୍ଧ ଗୋଡ଼ ଖସି ନିଖୋଜ ହେବାର ୩୦ଘଣ୍ଟା ପରେ ବି କିଛି ଖୋଜ ଖବର ମିଳି ପାରିନି। ନିଖୋଜ ବ୍ୟକ୍ତି ଜଣକ ହେଉଛନ୍ତି ଦଣ୍ଡସେନାଗୁଡ଼ାର ସମ୍ବାରୁ ଜାନି(୭୦)। ରିପୋର୍ଟ ଲେଖା ହେବା ଯାଏଁ କୋରାପୁଟ ଓଡ୍ରାଫ ଟିମ୍ ଖୋଜୁଥିଲେ ହେଁ ସମ୍ବାରୁ ମିଳିନଥିବା କହିଛନ୍ତି ଓଡ୍ରାଫ ଟିମ୍ ଲିଡର ସନ୍ତୋଷ କୁମାର ଦଣ୍ଡସେନା।

ମିଳିଥିବା ସୂଚନା ଅନୁଯାୟୀ, ସମ୍ବାରୁ ଗାଈ ଚରାଇବାକୁ ଯାଇଥିଲେ। ସେ ନେଇ ଯାଇଥିବା ଗାଈ, ମଇଁଷିଙ୍କ ମଧ୍ୟରୁ ମଇଁଷି ଗୋଟାକୁ ଗାଧେଇ ଦେବାକୁ ନେଇ ଯାଇଥିଲେ। ସଂପ୍ରତି ରବି ଚାଷ ପାଇଁ କୋଲାବ ଜଳ‌ଭଣ୍ଡାରରୁ ମୁଖ୍ୟ କେନାଲରେ ପାଣି ଛଡାଯାଇଛି। ତଳମୁଣ୍ଡ କୋଟପାଡ ପର୍ଯ୍ୟନ୍ତ ପାଣି ପହଚୁଂନଥିବା ଅଭିଯୋଗ ହେଉଥିବାରୁ ଅଧିକା ପାଣି ଛଡାଯାଇଛି। ତେବେ ସବୁ ଦିନ ଭଳି ଆଜି ବି ସମ୍ବାରୁ ପାଣିରେ ମଇଁଷିକୁ ଗାଧେଇବାକୁ କେନାଲ ମଧ୍ୟକୁ ଓହ୍ଲାଇ ଥିଲେ।

Sambad

ପାଣିର ସ୍ରୋତ ଏତେ ପ୍ରଖର ‌ଥିଲା ଯେ ଗୋଡ଼ ଖସିବା ମାତ୍ରକେ ସମ୍ବାରୁ ଭାସି ଯାଇଥିଲେ। ଏହା ଅନ୍ୟ ଗାଇ ଚରାଉଥିବା ଲୋକେ ଦେଖି ଦଣ୍ଡସେନାଗୁଡ଼ା ଗାଁରେ ଖବର ଦେଇଥିଲେ। ଗ୍ରାମବାସୀ ମାନେ ଜୟପୁର ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନଙ୍କୁ ଏନ‌େଇ ସୂଚନା ଦେଇଥିଲେ। ସେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।

ଅଗ୍ନିଶମ ବିଭାଗ ଜୟପୁର ଏହି ସୂଚନା ପାଇ ଘଟଣାସ୍ଥଳରେ ପହଚିଂ ବୋଟ ଦ୍ବାରା ଏବଂ ବିଭାଗର ସ୍କୁବା ଡାଇଭ୍ ବୁଡ଼ାଳି ମାନେ ଖୋଜି ଥିଲେ ହେଁ ପାଇ ପାରି ନଥିଲେ। ଏବଂ ଓଡ୍ରାଫ ଟିମକୁ ସୂଚନା ଦେଇଥିଲେ। ଗତ କାଲି ମଧ୍ୟାହ୍ନରେ କୋରାପୁଟ ଓଡ୍ରାଫ ଟିମ ବି ପହଚିଂ ଖୋଜିଥିଲେ। ଗତ କାଲି ସଂଧ୍ୟା ପର୍ଯ୍ୟନ୍ତ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜା ଯାଉଥିଲେ‌ ହେଁ ନିଖୋଜ ସମ୍ବାରୁଙ୍କ ଖୋଜ ଖବର କିଛି ମିଳି ପାରି ନଥି‌ଲା। ଆଜି କେବଳ ଓଡ୍ରାଫ ଟିମ୍ ପକ୍ଷରୁ ମୁଖ୍ୟ କେନାଲରେ ଖୋଜାଖୋଜି ଚାଳିଛି। ରିପୋର୍ଟ ଲେଖାହେବା ଯାଏଁ ୩୦ଘଣ୍ଟା ପରେ ବି ନିଖୋଜ ସମ୍ବାରୁଙ୍କର କୌଣସି ପତ୍ତା ମିଳିନି।

ସମ୍ବନ୍ଧିତ ଖବର