ବ୍ରାଉନ୍ ସୁଗାର ମାମଲାରେ ୩୬ ଘଂଟା ପରେ ମୁହଁ ଖୋଲିଲା ପୁଲିସ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ସାମନ୍ତରାପୁର ଠାରେ ମଙ୍ଗଳବାର ରାତିରେ ବ୍ରାଉନ୍ ସୁଗାର ଚାଲାଣ କରିଥିବା ବେଳେ କେତେକ ଦୁର୍ବୃତ୍ତ ଧରାପଡ଼ିଥିଲେ। ଏହି ଘଟଣାର ୩୬ ଘଂଟା ପରେ ଆଜି ପୁଲିସ ଏନେଇ ମୁହଁ ଖୋଲିଛି। ଘଟଣାରେ ୨ଜଣ ଗିରଫ ହୋଇଥିବା ବେଳେ ଗୋଟିଏ ଏକ୍ସୟୁଭି, ଅଢ଼େଇ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଓ ୨୦ହଜାର ଟଙ୍କା ଆଦି ଜବତ ହୋଇଥିବା ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଟାଉନ୍ ଥାନା ପକ୍ଷରୁ ମିଳିଥିବ ସୂଚନାନୁସାରେ, ୨ ତାରିଖରେ ଗୁଇନ୍ଦାସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଏସ୍ପି ରାଜ କିଶୋର ଦୋରାଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ସୁଶୀଲ କୁମାର ମିଶ୍ର, ଟାଉନ୍ ଥାନା ଅଧିକାରୀ ସଂଜୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏସ୍ଆଇ ଅନୁଭା ଦାସ, ଏସ୍ଆଇ ଏକେ ରଥ, ହାବିଲଦାର ବିକେ ପ୍ରତାପସିଂହ ଓ ଅନ୍ୟ କନେଷ୍ଟବଳଙ୍କୁ ନେଇ ଏକ ଟିମ୍ କରାଯାଇଥିଲା। ଟିମ୍ ପୂର୍ବରୁ ସାମନ୍ତରାପୁର ସ୍ୱପ୍ନେଶ୍ୱର ସାହିର ମହେନ୍ଦ୍ର ବେହେରା ଓରଫ କାଳିଆଙ୍କ ଘର ନିକଟରେ ଛପି ରହିଥିଲେ। ଏହି ସମୟରେ ଏକ ଏକ୍ସୟୁଭି (ଓଡି ୦୨ ବିସି ୩୦୦୯) ଆସି ସେଠାରେ ଅଟକିଥିଲେ। ଛପି ରହିଥିବା ପୁଲିସ ଟିମ୍ ଏକ୍ସୟୁଭିକୁ ଚାରିପଟରୁ ଘେରିଯାଇଥିଲେ। ଯାଂଚରେ ଗାଡ଼ିରେ ଥିବା ଦୁଇଜଣ ଯୁବକଙ୍କ ନିକଟରୁ ୫୫ ଗ୍ରାମ ବ୍ରାଉନ୍ ସୁଗାର ଯାହାର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ହେବ ଜବତ ହୋଇଥିଲା।

Sambad

ଏହା ସହ ସେମାନଙ୍କ ଠାରୁ ବ୍ରାଉନ୍ ସୁଗାର ବିକ୍ରି ବାବଦରେ ୨୦ ହଜାର ୩୦୦ଟଙ୍କା ୩ଟି ଦାମୀ ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା। ଗିରଫ ହୋଇଥିବା ଦୁଇଜଣ ଯୁବକ ହେଲେ ଶରତ ବେହେରା ଓରଫ ବାୟା (୨୧), ଭରତ ବେହେରା ଓରଫ ଟିକିନା। ଉଭୟଙ୍କ ଘର ସାମନ୍ତରାପୁର ସ୍ୱପ୍ନେଶ୍ୱରସାହି ଅଟେ। ଏନେଇ ଖୋର୍ଦ୍ଧା ଟାଉନ୍ ଥାନାରେ ୨୧୯/୨୦୨୧ରେ ଏକ ମାମଲା ରୁଜୁ କରାଯିବା ସହ ଘଟଣାର ତଦନ୍ତ ଦାୟିତ୍ୱ ଏସ୍ଆଇ ରଶ୍ମୀରଂଜନ ଦାଶଙ୍କୁ ଦିଆଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର