୯ମାସ ପରେ ଖୋଲିଲା ସ୍କୁଲ: ଉତ୍ସବମୁଖର ହେଲା ପରିବେଶ

ଜୟପୁର:‌ କରୋନା ସଂକ୍ରମଣ ଭୟରେ ଗତ ୯ମାସ ଧରି ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନକୁ ସରକାର ବନ୍ଦ କରି ଦେଇଥିଲେ। ପରିସ୍ଥିତି ସାମାନ୍ୟ ସ୍ବାଭାବିକ ହେବା ପରେ ଆଜି ଖୋଲିବାକୁ ନିର୍ଦେଶ ଦେଇଥିଲେ। କିଭଳି ଆଗାମୀ ଦିନରେ କେହି ସଂକ୍ରମିତ ହେବେ ନାହିଁ ଏଥି ପାଇଁ ବି କଟକଣା ଜାରୀ କରିଛନ୍ତି। ତେବେ ଗତ ୯ମାସ ଧରି ବିଦ୍ୟାଳୟ ପିଣ୍ଡା ମାଡ଼ି ନଥିବା ପିଲା ମାନେ ଆଜି ଖୁବ ଉତ୍ସାହିତ ହୋଇ ବିଦ୍ୟାଳୟକୁ ଆସୁଥିବା ଦେଖିବାକୁ ମିଳିଥିଲା। ଏପରିକି ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକରେ ପିଲାଙ୍କ ସହ ଅଭିଭାବକଙ୍କର ବି ଦେଖା ମିଳିଥିଲା। ଜୟପୁର ସହର ଏବଂ ବ୍ଲକ ଅଂଚଳରେ ଥିବା ସ୍କୁଲ ଗୁଡିକରେ ଆଜି ୮୦ପ୍ରତିଶତ ଉପସ୍ଥାନ ଥିବା ଦେଖିବାକୁ ମିଳିଥିଲା। ସହରର କାଁ ଭାଁ ବେସରକାରୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଯଦିଓ ଆଜି ଖୋଲି ପାରି ନଥିଲେ ହେଁ ସୋମବାର ଠାରୁ ଖୋଲିବାକୁ ଯୋଜନା କରିଛନ୍ତି।

ସେଭଳି ଗତ ୯ମାସ ହେବ ପିଲାଙ୍କ ସହ ସିଧାସଳଖ ସଂଷ୍ପର୍ଶରେ ଆସି ପାରି ନଥିବା ଶିକ୍ଷକ ମାନେ ବି ଆଜି ପୁରା ଜୋଶରେ ରହିଥିବା ଦେଖିବାକୁ ମିଳିଥିଲା। ବିଦ୍ୟାଳୟ ଗୁଡିକ ଖୋଲିବା ପରେ ଗାଇଡ୍ ଲାଇନ ଓଦିଆଯାଇଥିବା ଏସଓପିକୁ ପାଳନ କରୁଛନ୍ତି ନା ନାହିଁ ତାହାର ତଦାରଖ ବି ସ୍ବତନ୍ତ୍ର ଟିମ୍ କରିଥିଲେ। ସେଭଳି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସ୍କୁଲ ସମ୍ମୁଖ ଗେଟରେ ଥର୍ମାଲସ୍କାନର, ଓକ୍ସିମିଟର , ସାନିଟାଇଜର ଓ ମାସ୍କ ଧରି ଠିଆ ହୋଇ ରହି ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରୁଥିବା ଦେଖିବାକୁ ମିଳିଥିଲା। ବହୁ ଦିନ ପରେ ଆଜି ବିଦ୍ୟାଳୟ ଗୁଡିକରେ ଦେଖିବାକୁ ମିଳିଥିଲା ମନ୍ଦିର ଭଳି ଭିନ୍ନ ଏକ ପରିବେଶ। ଏହି ଅବସରରେ ଆମେ କିଛି ଛାତ୍ରଛାତ୍ରୀ , ଅଭିଭାବକ, ଓ ସ୍କୁଲ ଶିକ୍ଷକ ମାନଙ୍କର ପ୍ରତିକ୍ରୀୟା ନେଇଥିଲୁ। ତାକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା:

ରାହୁଲ ନାୟକ, ୟୁକେପି, ଉଚ୍ଚବିଦ୍ୟାଳୟ

ବହୁ ଦିନ ପରେ ସ୍କୁଲକୁ ଆସି ବହୁତ ଖୁସି ଲାଗୁଛି। ପୂର୍ବରୁ ଏମିତି ସ୍କୁଲକୁ ଆସିବା ଗୋଟେ ଖୁସିର କଥା ବୋଲି କେବେ ଭାବି ନଥିଲି। କମ୍ ଦିନ ମଧ୍ୟରେ ଅଧିକା ପରିଶ୍ରମ କରିବାକୁ ପଡ଼ିବ।

Sambad

ଭବାନୀ ସାହୁ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ

ଆଜି ବହୁତ ଖୁସି ଲାଗୁଛି। ଏଥି ପାଇଁ ଯେ ଅନଲାଇନରେ ପାଠ ପଡ଼ୁଥିଲୁ ସତ, କିନ୍ତୁ ପାଠ୍ୟକ୍ରମର ବହୁ ବିଷୟ ବୁଝି ପାରୁ ନଥିଲୁ। ଯେତେ ସବୁ ସଂଦେହ ଅଛି, ତାକୁ ୧୦୦ଦିନ ମଧ୍ୟରେ ଆୟତ୍ତ କରି ଭଲ ପରୀକ୍ଷା ଫଳ କରିବି।

ଚନ୍ଦନ ପାତ୍ର, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର

ବହୁତ ଦିନ ପରେ ସାଙ୍ଗସାଥୀଙ୍କୁ ସ୍କୁଲରେ ମିଶିବା , ଖୁସିର କଥା। କିନ୍ତୁ ଘରେ ଆକଟ କରିଛନ୍ତି। ସାନିଟାଇଜ କରି ମାସ୍କ ପିନ୍ଧି , କ୍ଲାସ୍ କରିବାକୁ ପଡ଼ିବ। ନ ଚାହିଁ ବି ସାମାଜିକ ଦୂରତା ରଖିବାକୁ ବାଧ୍ୟ।

ଶୁଭଶ୍ରୀ ନାୟକ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର

ଅନଲାଇନ୍ କ୍ଲାସ ହେଉଥିଲା, ଗୁରୁଜୀ, ଗୁରୁମା ମାନେ ପରିଶ୍ରମ ବି କରୁଥିଲେ। ଫୋନ ମାଧ୍ୟମରେ ବି ବୁଝାଉଥିଲେ। ତଥାପି ସବୁ ଜିନିଷ ବୁଝି ହେଉ ନଥିଲା। ଏବେ ବିଦ୍ୟାଳୟକୁ ସେ ସବୁ ସମସ୍ୟା ରହିବ ନି।

ଉଷାରାଣୀ ହାଲଦାର, ପ୍ରଧାନଶିକ୍ଷୟତ୍ରୀ, ଚନ୍ଦନବାଡ ହାଇସ୍କୁଲ
କିଛି ପିଲା ମାସ୍କ ଆଣି ନଥିଲେ ସେମାନଙ୍କୁ ସ୍କୁଲ ପକ୍ଷରୁ ମାସ୍କ ପ୍ରଦାନ କରାଯାଇଥିଲା। ଏମିତିକି କିଛି ପିଲା ଜଳଖିଆ ବି ଆଣି ନଥିଲେ। ସେମାନଙ୍କୁ ବିସ୍କୁଟ ଦେଇ ଖୁସିରେ ରଖି ବିଦ୍ୟାଳୟରେ ଖୁବ ଆଗ୍ରହର ସହ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପଡ଼ାଇଥିଲେ।

ଗଙ୍ଗା ଷଡଙ୍ଗୀ, ପୁଜାରୀପୁଟ ହାଇସ୍କୁଲ

ସରକାରଙ୍କ ସମସ୍ତ ନିର୍ଦେଶନାମାକୁ କାର୍ୟ୍ୟକାରୀ ପିଲା ମାନଙ୍କୁ ସ୍ବାଗତ କରାଯାଇଥିଲା। ପିଲା ମାନଙ୍କ ମଧ୍ୟରେ ଆଜି ଏକ ଭିନ୍ନ ରକମର ଉତ୍ସାହ ଦେଖିବାକୁ ପାଇଥିଲୁ। ଏବଂ ନିଜେ ବି ଉତ୍ସାହିତ ହୋଇଥିଲୁ।

ଡ.ଜ୍ୟୋତ୍ସ୍ନାରାଣୀ ମିଶ୍ର, ପ୍ରଧାନଶିକ୍ଷୟତ୍ରୀ, ଏକମ୍ବା ହାଇସ୍କୁଲ
ଗାଇଡଲାଇନଓ ଏସଓପି ପାଳନ କରାଯାଇଥିଲା। ସ୍କୁଲରେ ସମସ୍ତ ପିଲାଙ୍କୁ ମାସ୍କ, ସାନିଟାଇଜର ବିତରଣ କରାଯାଇଥିଲା। ଏପରିକି ସବୁ ୫ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ବି ଉପସ୍ଥିତ ରହି ଭିନ୍ନ ଏକ ପରିବେଶରେ ସ୍କୁଲ ଚାଳିଥିଲା।

Sambad

ସୁରେନ୍ଦ୍ର ପଟ୍ଟନାୟକ, ପ୍ରଧାନଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ
ସମସ୍ତ ପିଲାଙ୍କୁ ଅଲଗା ଅଲଗା ସାନିଟାଇଜର ଦେବା ସହ ହାତ ‌ସଫା କରିବା ପାଇଁ ୱାସିଂ ବେସିନର ବ୍ୟବସ୍ଥା କରାଯାଇଛି। ସ୍କୁଲ ସମ୍ମୁଖ ଗେଟରେ ଥର୍ମାଲସ୍କାନର, ଓକ୍ସିମିଟରରେ ବି ପରୀକ୍ଷା କରାଯାଇଛି। ଛାତ୍ରଛାତ୍ରୀଙ୍କ ଉତ୍ସାହରେ ସବୁ ଶିକ୍ଷକ, ଶିକ୍ଷୟତ୍ରୀ ବି ଉତ୍ସାହିତ ହୋଇ ପୁରାଦମରେ କ୍ଲାସ୍ କରିଥିଲେ।

ପ୍ରସନ୍ନ କୁମାର ବସ୍ତିଆ, ପ୍ରଧାନାଚାର୍ୟ୍ୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର

ସମସ୍ତ ବ୍ୟବସ୍ଥା କରିବା ସହ ସଂଗରୋଧ କକ୍ଷ ବି କରାଯାଇଛି। ନିର୍ଦେଶ ଅନୁସାରେ ଗୋଟିଏ ଶ୍ରେଣୀ ଗୃହରେ ମାତ୍ର ୨୦ରୁ ୨୫ଟି ପିଲା ବସିବା ବ୍ୟବସ୍ଥା କରାଯାଇଛି। ମମତା ମହାନ୍ତି, ଅଭିଭାବକ: ପିଲା ମାନେ ଘରେ ରହି ବିରକ୍ତ ହୋଇ ସାରିଥିଲେ। ପଢ଼ିବା ପାଇଁ ବାଧ୍ୟ କଲେ ବି ଆଗ୍ରହର ସହ ପଢ଼ୁ ନଥିଲେ। ଏତେ ଦିନ ପରେ ସ୍କୁଲ ଖୋଲିବା ପରେ ସେମାନଙ୍କ ମନୋବଳ ବଢ଼ିଛି। ମୁଁ ତ ଭାବୁଛି, ଆଉ କିଛି ଦିନ ପୂର୍ବରୁ ସ୍କୁଲ ଖୋଲିଲେ ଖୁବ ଭଲ ହୁଅନ୍ତା‌।

ଆଜି ପ୍ରଥମ ଦିନରେ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ପ୍ରଥମ ଦିନରେ ସରକାରୀ ଉଚ୍ଚବିଦ୍ୟାଳୟ ମୋଟ ୧୭୯ପିଲାଙ୍କ ମଧ୍ୟରୁ ୧୦୫ଜଣ ପିଲା ଉପସ୍ଥିତ ଥିଲେ। ସେଭଳି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ୨୨୫ରୁ ୧୬୬, ଜଗଦୀଶ ଚନ୍ଦ୍ର ନାୟକ ସରକାରୀ ଉଚ୍ଚବିଦ୍ୟାଳୟରେ ୪୬ରୁ ୧୨, ପୌରପାଳିକାବାଳିକା ଉଚ୍ଚବିଦ୍ୟାଳୟରେ ୬୮ରୁ ୫୨ଜଣ, ସିଟି ସ୍କୁଲ ୬୪ରୁ ୪୧, ୟୁକେପି ହାଇସ୍କୁଲରେ ୭୪ରୁ ୪୦ଜଣ, ବାରିଣୀପୁଟ ହାଇସ୍କୁଲରେ ୮୯ରୁ ୪୫, ଚନ୍ଦନବାଡ ହାଇସ୍କୁଲ ୪୧ରୁ ୨୧ଜଣ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଅରବିନ୍ଦନଗରରେ ୫୩ରୁ ୩୭ଜଣ, ଶାରଦାବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ୧୧୨ରୁ ୯୮, ଅରବିନ୍ଦପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ୫୩ରୁ ୩୭, ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟରେ ୧୭୫ରୁ ୧୨୦, ହାତୀଶାଳସ୍ଥିତ ସେଣ୍ଟ ଜାଭିୟାର୍ସ ହାଇସ୍କୁଲରେ ୨୩ରୁ ୧୫ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସେଭଳି ଜୟପୁର ବ୍ଲକର ଧନପୁର ଉଚ୍ଚବିଦ୍ୟାଳୟରେ ୩୦ରୁ ୨୧ଜଣ, ଏକମ୍ବା ହାଇସ୍କୁଲରେ ୬୭ରୁ ୫୨ଜଣ , ପୁଜାରୀପୁଟରେ ୮୫ରୁ ୫୦ଜଣ, କାଳିଆଗାଁରେ ୮୧ରୁ ୫୫, ସଲଫାରେ ୬୪ରୁ ୨୩ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର