‘ଫନି’ ବାତ୍ୟାକୁ ତିନି ବର୍ଷ, ଏବେ ବି ପଲିଥିନ ତଳେ କ୍ଷତିଗ୍ରସ୍ତଙ୍କ ଜୀବନ

କଟକ: ନିଆଳି ବ୍ଲକ୍‌ର ଅଲଣା ପଞ୍ଚାୟତର ଅଡଙ୍ଗା ବସ୍ତିର ରୋସନ୍‌ ଅଲ୍ଲୀ। ପରିବାରର ୫ଜଣ ସଦସ୍ୟ ତିନି ବର୍ଷ ହେଲା ଦିନ କାଟୁଛନ୍ତି ପଲିଥିନ ତଳେ। ୨୦୧୯ ‘ଫନି’ ବାତ୍ୟାରେ ଭାଙ୍ଗି ଯାଇଥିଲା ଘରଦ୍ବାରା। ପକ୍କା ଘରଟିଏ ପାଇଁ ଆବେଦନ କରିଥିଲେ, ହେଲେ ଆଜି ପର୍ଯ୍ୟନ୍ତ କେବଳ ଫାଇଲ୍‌ରେ ନାଁ ଗଡ଼ୁଛି। ରୋସନ୍‌ଙ୍କ ଭଳି ଅନେକ ପରିବାର ଏବେ ବି ‘ପକ୍କା’ ଘରଟିଏ ପାଇବା ପାଇଁ ଚାହିଁ ବସିଛନ୍ତି। ଇତିମଧ୍ୟରେ ‘ଫନି’କୁ ତିନି ବର୍ଷ ପୂରିଲାଣି। ସବୁ ‘ଫନି’ କ୍ଷତିଗ୍ରସ୍ତଙ୍କୁ ପକ୍କାଘର ମିଳିବ ବୋଲି ସରକାରଙ୍କ ଘୋ‌ଷଣା କେବଳ ଘୋଷଣାରେ ସୀମିତ ରହି ଯାଇଛି। ‘ଫନି’ ପରେ କଟକ ଜିଲ୍ଲାର ୨ ଲକ୍ଷ ୬୮ ହଜାର ପରିବାର ନିଜକୁ କ୍ଷତିଗ୍ରସ୍ତ ଏବଂ କଚ୍ଚା ଘରେ ରହୁଥିବା ଦର୍ଶାଇ ପକ୍କା ଘର ପାଇଁ ଆବେଦନ କରିଥିଲେ। ସେଥିରୁ ଯାଂଚ ପରେ ୨୪ ହଜାର ପରିବାର ଘର ପାଇବା ପାଇଁ ଯୋଗ୍ୟ ବୋଲି ତାଲିକା ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ୨ ବର୍ଷ ହେଲା ଫାଇଲ୍‌ରେ ସେମାନଙ୍କ ନାଁ ଗଡୁଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବାସ ତାଲିକା ଚୂଡାନ୍ତ ହେଉ ନଥିବା ଓ ଆବାସ ଘର ଯୋଗାଣ ପାଇଁ ନିର୍ଦ୍ଦେଶ ଆସୁ ନଥିବାରୁ କ୍ଷତିଗ୍ରସ୍ତଙ୍କୁ ପକ୍କା ଘର ଯୋଗାଇ ଦିଆଯାଇ ପାରୁନି ବୋଲି ଅଧିକାରୀ କହୁଛନ୍ତି।

ତଥ୍ୟ ଅନୁଯାୟୀ ‘ଫନି’ ବାତ୍ୟା ପରେ ଜିଲ୍ଲାର ୧୪ଟି ବ୍ଲକ୍‌ର ୩୭୩ଟି ପଞ୍ଚାୟତରେ ୨ ଲକ୍ଷ ୬୮ହଜାର ୩୦୨ଜଣ ‘ଆବାସ’ ବା ‘ପକ୍କା’ ଘର ପାଇଁ ଆବେଦନ କରିଲେ। ଏତେ ସଂଖ୍ୟକ ଆବେଦନ ଆସିବା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ୪୧୪ଜଣଙ୍କ କର୍ମଚାରୀଙ୍କୁ ନେଇ ୧୬୭ଟି ଟିମ୍‌ ଗଠନ ସହ ଏହାର ସର୍ଭେ କରାଯାଇଥିଲା। ଏକ କେନ୍ଦ୍ରୀୟ ପ୍ରତିନିଧି ମଣ୍ଡଳୀ ମଧ୍ୟଏହାର ଯାଂଚ ପାଇଁ ଆସିଥିଲେ। ବିଭିନ୍ନ ପର୍ଯ୍ୟାୟ ଯାଞ୍ଚ ପରେ ୨୪ ହଜାର ହିତାଧିକାରୀଙ୍କୁ ଆବସ ଯୋଜନାରେ ପକ୍କା ଘର ମିଳିବ ବୋଲି ଏକ ପ୍ରାଥମିକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହି ତାଲିକା ୨ବର୍ଷ ହେଲା ପ୍ରସ୍ତୁତ ହୋଇ ରହିଛି। କିନ୍ତୁ ବାସହରା ବା କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ମିଳୁନି ଆବାସ ବା ପକ୍କା ଘର। କଟକ ଜିଲ୍ଲାର ମାହାଙ୍ଗାରୁ ସର୍ବାଧିକ ୩୨,୪୦୯ ଜଣ ଆବେଦନ କରିଥିବା ବେଳେ ନିଆଳିରୁ ୩୦, ୬୧୨, ସାଲେପୁରରୁ ୨୮,୫୦୩, ବଡମ୍ବାରୁ ୨୩,୪୧୫, ବାରଙ୍ଗରୁ ୧୭,୧୨୮, ଆଠଗଡ଼ରୁ ୧୫,୭୯୫, ବାଙ୍କୀରୁ ୧୩, ୦୭୦, ବାଙ୍କୀ-ଡମପଡାରୁ ୧୦, ୫୫୫, କଟକ ସଦରରୁ ୧୪, ୯୭୨, କଣ୍ଟାପଡାରୁ ୧୫, ୦୮୦, ନରସିଂହପୁରରୁ ୧୯,୨୭୦, ଟାଙ୍ଗୀ-ଚୌଦ୍ବାର ୧୮, ୦୨୩, ତିଗିରିଆରୁ ୮୯୬୭ ଟି ପକ୍କା ଘର ପାଇଁ ଆବେଦନ ଆସିଥିଲା। ଏଥିରୁ ନରସିଂହପୁରରେ ସବୁଠାରୁ ଅଧିକ ଅର୍ଥାତ୍‌ ୪ ହଜାର ଓ କଣ୍ଟାପଡାରେ ସବୁଠାରୁ କମ୍‌ ଅର୍ଥାତ୍‌ ୨ଶହ ହିତାଧିକାରୀ ପକ୍କା ଘର ବା ଆବାସ ଯୋଜନାରେ ଘର ପାଇବାକୁ ଯୋଗ୍ୟ ଥିବା ଯାଂଚ ପରେ ଜଣା ପଡିଛି। କିନ୍ତୁ ହିତାଧିକାରୀ ଉପକୃତ ହେବାକୁ ଆଉ କେତେ ବର୍ଷ ଲାଗିବ, ତାହା ଏବେ ସନ୍ଦେହର ପ୍ରସଙ୍ଗ ହୋଇଛି।

ସମ୍ବନ୍ଧିତ ଖବର