ସୁନ୍ଦରଗଡ଼: ୬ ତାରିଖ ରାତିରେ ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ରେମଣ୍ଡା ଛକରେ ଅଜଣା ଗାଡ଼ି ଧକ୍କାରେ ସରଧାପାଲି ଯଶୋଦା ବିଷ୍ଣୁ ଡିଗ୍ରି କଲେଜ କର୍ମଚାରୀ ଯୋଗେଶ୍ବର ନାଏକ (୩୨)ଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଯୁବକ ଉତ୍କଳ‌ ସେଠ ଆହତ ହୋଇଥିଲେ। ଦୁର୍ଘଟଣା ପରେ ୭ ତାରିଖ ସକାଳେ ଉତ୍ତ୍ୟକ୍ତ ଜନସାଧାରଣ, କଲେଜ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା, ଜନପ୍ରତିନିଧି ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ, ଜଣକୁ ଚାକିରି ଓ ରେମଣ୍ଡା ରାସ୍ତାରେ ବେଆଇନ କୋଇଲା, ପାଉଁଶ ପରିବହନ ବନ୍ଦ ଦାବିରେ ରାସ୍ତାରୋକ କରିଥିଲେ।

Advertisment

ଅବରୋଧ ସ୍ଥଳକୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଟାଙ୍ଗରପାଲି ତହସିଲଦାର ରାଜୀବ ହାଁସଦା, ସୁନ୍ଦରଗଡ଼ ମୋଟରଯାନ ନିରୀକ୍ଷକ ଦଳନି ସା ଓ ଭସ୍ମା ପୁଲିସ ଟିମ ଯାଇ ବୁଝାସୁଝା କରିଥିଲେ ମଧ୍ୟ ଲୋକେ ଶୁଣି ନଥିଲେ। ଭଷ୍ମା ପୁଲିସର ଉଦାସୀନତା ଯୋଗୁଁ ଦୁର୍ଘଟଣା ଘଟାଇଥିବା ଗାଡ଼ି ଫେରାର ହେବାରେ ସକ୍ଷମ ହେଲା ବୋଲି ଲୋକେ ଅଭିଯୋଗ କରି ପୁଲିସ ବିରୋଧରେ ନାରାବାଜି କରିଥିଲେ। ପରେ ରାତି ୧୦ଟାରେ ସୁନ୍ଦରଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ହିମାଂଶୁ ବେହେରା ଯାଇ ଟାଙ୍ଗରପାଲି ତହସିଲଦାର ଶ୍ରୀ ହାଁସଦା ଯାଇ ଜିଙ୍କନଗର ଛକରୁ ରେମଣ୍ଡା ଦେଇ ଭଷ୍ମା ଯାଇଥିବା ରାସ୍ତାରେ ବେଆଇନ କୋଇଲା ଓ ପାଉଁଶ ପରିବହନ ବନ୍ଦ, ମୃତକଙ୍କ ପରିବାରକୁ ୪ ଲକ୍ଷର ସହାୟତା ଓ ରାସ୍ତାପରେ ଦ୍ରୁତଗତିରୋଧକ ଲଗାଇବା ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ଏହି ଅବସରରେ ମୃତକଙ୍କ ପରିବାରକୁ ପୂର୍ବତନ ବିଧାୟକ ତଥା ଆମ ଓଡ଼ିଶା, ନବୀନ ଓଡ଼ିଶା ଜିଲ୍ଲା ସଂଯୋଜକ ଯୋଗେଶ କୁମାର ସିଂଙ୍କ ତରଫରୁ ଜିଲ୍ଲା ପରିଷଦ ସଭ୍ୟା ଗେଲବତୀ ପଟେଲ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେଇଥିଲେ। କୌଣସି କାମରେ ଭୁବନେଶ୍ବର ଯାଇଥିବା କଲେଜ କର୍ମଚାରୀ ଯୋଗେଶ୍ବର ଓ ସାଥୀ ଉତ୍କଳ ୬ ତାରିଖରେ ଝାରସୁଗୁଡ଼ାକୁ ଟ୍ରେନ୍‌ରେ ଫେରିଥିଲେ। ପରେ ସେମାନେ ଝାରସୁଗୁଡ଼ାରୁ ବାଇକ୍‌ରେ ଘରକୁ ଫେରୁଥିବାବେଳେ ରାତ୍ରି ୧ଟାରେ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଏଥିରେ ଯୋଗେଶ୍ବରଙ୍କ ମୃତ୍ୟୁ ହୋଇଥିଲା। ଉତ୍କଳଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଥିଲା