ବିବାଦୀୟ ହୋଇ ଯାଇଥିଲେ, ପୁଣି ଫେରିଲେ

ସାଂସଦଙ୍କ ସୁପାରିଶକ୍ରମେ ଗୁଣପୁରକୁ ବଦଳି!

ରାୟଗଡା: ରାୟଗଡା ଜିଲ୍ଲା ତତ୍କାଳନୀ ଜିଲ୍ଲା ମଙ୍ଗଳ ଅଧିକାରୀ ଧନେଶ୍ୱର ପୃଷ୍ଟିଙ୍କ ଆତ୍ମହତ୍ୟା ଘଟଣାରେ ବିବାଦୀୟ ହୋଇଥିବା ବରିଷ୍ଠ ଓଏଏସ ଅଧିକାରୀ ଗୋରାଚାନ୍ଦ ଗମାଙ୍ଗ ପ୍ରାୟ ଅଢେଇ ବର୍ଷ ପରେ ପୁଣି ରାୟଗଡା ଜିଲ୍ଲାକୁ ବଦଳି ହୋଇ ଆସିଛନ୍ତି। ପୂର୍ବରୁ ଶ୍ରୀ ଗମାଙ୍ଗ ୧୪ବର୍ଷ ଧରି ରାୟଗଡା ଜିଲ୍ଲାର ବିଭିନ୍ନ ପଦବିରେ କାର୍ଯ୍ୟ କରିଥିଲେ। ଏପରିକି ତାଙ୍କ କାର୍ଯ୍ୟକାଳ ସମୟରେ ତାଙ୍କ ବିରୋଧରେ ଏକାଧିକ ଅଭିଯୋଗ ହୋଇଥିଲା। ତେବେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କ ଆଡକୁ ଅଙ୍ଗୁଳି ଉଠିଥିଲା। କାରଣ ମୃତ୍ୟୁ ପୂର୍ବରୁ ସ୍ୱର୍ଗତ ଧନେଶ୍ୱର ପୃଷ୍ଟି ଲେଖିଥିବା ସୁଇସାଇଡ୍‌ ନୋଟରେ ଗୋରାଚାନ୍ଦ ତାଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ନେଇ ଉଲ୍ଲେଖ କରିଥିଲେ। ସରକାର ଘଟଣାର ତଦନ୍ତ ଆରମ୍ଭ କରି କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇଥିଲେ। ବର୍ତମାନ ତଦନ୍ତ କେତେଦୂର ଆଗେଇଛି ଜଣାପଡି ନାହିଁ। ଅପରପକ୍ଷରେ ଶାସକ ଦଳର ଜଣେ ସାଂସଦଙ୍କ ସୁପାରିଶକ୍ରମେ ଗୋରାଚାନ୍ଦଙ୍କୁ ପୁଣି କନ୍ଧମାଳ ଜିଲ୍ଲାରୁ ରାୟଗଡା ଜିଲ୍ଲାକୁ ବଦଳି ହୋଇଛି।

ଏପରିକି ତାଙ୍କୁ ଗୁଣପୁର ପିଏ ଆଇଟିଡିଏ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଥଇଥାନ କରାଯାଇଛି। ଅନ୍ୟପକ୍ଷରେ ମାତ୍ର ୪ମାସ ତଳେ ଗୁଣପୁର ପିଏ ଆଇଟିଡିଏ ଭାବେ ଯୋଗ ଦେଇଥିବା ବିଶ୍ୱ ରଂଜନ ନାୟକଙ୍କୁ ଏଠାରୁ ବଦଳି କରାଯାଇଛି। କିନ୍ତୁ ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଇ ନାହିଁ କିମ୍ବା କେଉଁ କାରଣରୁ ବଦଳି କରାଗଲା ସେନେଇ ସରକାର କିଛି ସ୍ପଷ୍ଟ କରିନାହାନ୍ତି। ଏ ସଂପର୍କରେ କୋରାପୁଟ ସାଂସଦ ଝିନ୍ନ ହିକକାଙ୍କୁ ଯୋଗାଯୋଗ କରାଯିବାରୁ ଗୋରାଚାନ୍ଦଙ୍କୁ ଗୁଣପୁର ଆଣିବା ପାଇଁ ସେ ସୁପାରିଶ କରି ନଥିବା ରୋକ୍‌ଠୋକ୍‌ ଜଣାଇଛନ୍ତି। ଏଠାରୁ ବଦଳି ହୋଇଥିବା ବିଶ୍ୱ ରଂଜନ ନାୟକ  ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଗତ ତିନି ମାସ ହେଲା ଚାପରେ ଅଣ ନିଶ୍ୱାସୀ ହୋଇପଡ଼ିଛନ୍ତି। ରାଜ୍ୟ ସରକାର ଯେତେବେଳେ ଯେଉଁଠି କି ପଠାଇଲେ ଯିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଗୋରାଚାନ୍ଦ ରାୟଗଡାକୁ ଫେରିବା ପରେ ବିରୋଧୀ ରାଜନୈତିକ ଦଳ ଗୁଡିକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଡ଼ିସିସି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଏଭଳି ନିଯୁକ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେଣୁ ଆଗାମୀ ବିଧାନସଭାର ଶୀତକାଳୀନ ଅଧିବେଶନରେ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବାକୁ ସେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ସହ ଆଲୋଚନା କରିବେ ବୋଲି  ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀ ଗମାଙ୍ଗ ରାୟଗଡା ଜିଲ୍ଲାରେ ପ୍ରାୟ ୧୪ବର୍ଷ ଧରି ବିଭିନ୍ନ ପଦପଦବିରେ ରହିଥିଲେ। ପଦ୍ମପୁର ବିଡିଓ ଭାବେ ପ୍ରାୟ ଦେଢ ବର୍ଷ, ଗୁଣପୁର ତହସିଲଦାର ଭାବେ ସାଢେ ୪ବର୍ଷ, ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ ଭବେ ସର୍ବାଧିକ ସାଢେ ୫ବର୍ଷ କାର୍ଯ୍ୟ କରିଥିଲେ। ରାୟଗଡା ପିଏ ଆଇଟିଡିଏ ଭାବେ ପ୍ରାୟ ଦେଢ ବର୍ଷ ରହିଥିବା ବେଳେ ଏହି ସମୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଧନେଶ୍ୱର ପୃଷ୍ଟି ନିଜ କାର୍ଯ୍ୟାଳୟରେ ଆତ୍ମହତ୍ୟା କରିଥିଲେ। ତତ୍କାଳୀନ ଜିଲ୍ଲାପାଳ ଶଶିଭୂଷଣ ପାଢୀ ଏବଂ ପିଏଆଇଟିଡିଏ ଗୋରାଚାନ୍ଦ ଗମାଙ୍ଗଙ୍କ ଯୋଗୁଁ ହିଁ ସେ ଆତ୍ମହତ୍ୟା କରିଥିବା ନେଇ ପୁଲିସ ଜବତ କରିଥିବା ସୁଇସାଇଡ୍‌ ନୋଟରେ ଧନେଶ୍ୱର ପୃଷ୍ଟି ଉଲ୍ଲେଖ କରିଥିଲେ। ତେବେ ଘଟଣାକୁ ଅଢେଇ ବର୍ଷ ବିତି ଯାଇଥିବା ବେଳେ ତଦନ୍ତ କେତେଦୂର ଆଗେଇଛି ସେନେଇ କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରୁନାହିଁ। ତେଣୁ ସରକାର ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ ହେଲାଣି। କିନ୍ତୁ ଗୋରାଚାନ୍ଦଙ୍କୁ ପୁଣି ରାୟଗଡା ଜିଲ୍ଲାକୁ ବଦଳି କରି ସରକାର ପୁଣି ବିବାଦକୁ ବଢାଇ ଦେଇଛନ୍ତି। କାରଣ ଧନେଶ୍ୱର ପୃଷ୍ଟିଙ୍କ ମୃତ୍ୟୁକୁ ନେଇ ସେହି ସମୟରେ କଂଗ୍ରେସ, ବିଜେପି, କଳିଂଗ ସେନା ପକ୍ଷରୁ ବନ୍ଦ ପାଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ତେଣୁ ଆଗାମୀ ଦିନରେ ଗୋରାଚାନ୍ଦଙ୍କ ନିଯୁକ୍ତିକୁ ନେଇ ପୁଣି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ବର୍ତମାନ ଠାରୁ ଅନୁମାନ କରାଗଲାଣି।

ସମ୍ବନ୍ଧିତ ଖବର