୮ ବର୍ଷ ହେଲା ଶେଷ ହେଉନି ସେତୁ କାମ; ବିପଦପୂର୍ଣ୍ଣ ପଟାପୋଲ ଲୋକଙ୍କ ଭରସା

ଭଦ୍ରକ: ଲୋକଙ୍କ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସେତୁ ନିର୍ମାଣ କରୁଛନ୍ତି। ହେଲେ ବର୍ଷବର୍ଷ ଧରି ସେତୁ ନିର୍ମାଣ ସରୁନି। ଫଳରେ ଅତି ବିପଦପୂର୍ଣ୍ଣ ଅବସ୍ଥାରେ ଭରା ନଦୀ ଉପରେ କାଠ ପଟା ପକାଇ ବାଉଁଶ ଚାରା ବାନ୍ଧି ନଦୀ ପାରି ହେଉଛନ୍ତି ଲୋକେ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାହାବଳପୁର ପଂଚାୟତରେ ମନ୍ତେଇ ନଦୀ ଉପରେ ନିର୍ମାଣାଧୀନ ବାହାବଳପୁର କଂକ୍ରିଟ ସେତୁ। ଗୋଟେ ପଟେ ଅଧାଗଢା ସେତୁ ଅନ୍ୟପଟେ ଭଙ୍ଗା ଦଦରା ପଟାପୋଲ। ଏ ହେଉଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାହାବଳପୁର ପଞ୍ଚାୟତର ଶଙ୍କରପୁର ଓ ଦୋହରାସାହି ମଝିରେ ଥିବା ମନ୍ତେଇ ନଦୀର ପଟ୍ଟାପୋଲର ।

ପଟାପୋଲରୁ ବହୁ ଜାଗାରେ ପଟା ବାହାରି ଯାଇଥିବାରୁ ଲୋକମାନେ ବାଉଁଶ ଉପରେ ଯିବା ଆସିବା ସହ ବିପଦପୂର୍ଣ୍ଣ ଭାବେ ସାଇକେଲ ନେଇ ମଧ୍ୟ ଯାଉଛନ୍ତି। ଏ ସମସ୍ୟା ଆଜି କି କାଲିର ନୁହେଁ। ବର୍ଷବର୍ଷ ହେଲା ବାହାବଳପୁର ପଞ୍ଚାୟତ ସମେତ ଆଖପାଖ ୧୦ରୁ ଊର୍ଦ୍ଧ୍ବ ପଞ୍ଚାୟତର ଲୋକେ ଏହି ଭଙ୍ଗା ଦଦରା ପଟାପୋଲ ଉପରେ ବିପଦପୂର୍ଣ୍ଣ ଭାବେ ଯିବା ଆସିବା କରୁଛନ୍ତି। ପିଲା ଠୁ ବୁଢା, ଏମିତି କି କଲେଜ ପଢୁଆ ପିଲା ଠାରୁ ସ୍କୁଲ ପିଲା ସମସ୍ତେ ଏହି ପଟାପୋଲ ପାର ହୋଇ ଆସିଥାନ୍ତି ତିହିଡ଼ି ବଜାରକୁ। ୮ ବର୍ଷ ହେଲା ସେତୁ କାମ ଚାଲିଥିବା ବେଳେ ସରିବାର ନାଁ ଧରୁନି । ଗ୍ରାମ୍ୟ ଉନ୍ନୟନ ବିଭାଗର ଅବହେଳା ପାଇଁ ସେତୁ କାର୍ଯ୍ୟ କରୁ ନଥିବା ବେଳେ ବାହାବଳପୁର ପଞ୍ଚାୟତବାସୀଙ୍କ ଭଙ୍ଗା ଦଦରା ପଟାପୋଲ ସାଜିଛି ଗମନାଗମନର ମାଧ୍ୟମ।

Sambad

ଏହି ପୋଲକୁ ନେଇ ଲୋକମାନଙ୍କ ମଧ୍ୟରେ ରହିଛି ତୀବ୍ର ଅସନ୍ତୋଷ। ନିର୍ବାଚନ ପରେ ନିର୍ବାଚନ ଯାଉଛି। ନେତା ପରେ ନେତା ଯାଇ ପୁଣି ନୂଆ ନେତା ତିଆରି ହେଉଛନ୍ତି। କିନ୍ତୁ ଏ ଅଞ୍ଚଳର ଦୁଃଖ କହି ବୁଝିବାର ନାହିଁ। ଦୋହରାସାହି ବାସିନ୍ଦାଙ୍କର ଏ ଭଳି ଅଭିଯୋଗ ଆଜି ନୁହେଁ। ବର୍ଷବର୍ଷର ଦାବି।

ବାରମ୍ବାର ଲୋକମାନଙ୍କ ଦାବି ପରେ ୨୦୧୩ ମସିହାରେ ଦୋହରା ସାହି ଠାରେ ମନ୍ତେଇ ନଦୀ ଉପରେ ସେତୁ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। କାମ ମଧ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ୬.୧୫ କୋଟି ଟଙ୍କା ସେତୁ ପାଇଁ ବ୍ୟୟବରାଦ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଆହୁରି ୨ କୋଟି ଟଙ୍କା ବଢିଥିଲା। ତାହା ସହ ୨ ଗୋଟି ପିଲର ଅଧିକ ନିର୍ମାଣ ପାଇଁ ମଧ୍ୟ ନିଷ୍ପତି ହୋଇଥିଲା। ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀଙ୍କ ଅବହେଳା ଓ ଠିକାଦାରଙ୍କ ମନମୁଖୀ କାମ ପାଇଁ ଆଜି ପର୍ଯ୍ୟନ୍ତ ସେତୁ କାର୍ଯ୍ୟ ସରି ପାରୁ ନଥିବା ବୋଲି ଅଭିଯୋଗ କରନ୍ତି ବାହାବଳପୁର ପଞ୍ଚାୟତବାସୀ। ସେତୁ ନ ସରିବାରୁ ଲୋକମାନେ ପ୍ରତ୍ୟେକ ଦିନ ନିଜ ଜୀବନକୁ ବିପଦରେ ପକାଇ ସେହି ଭଙ୍ଗା ଦଦରା ପଟ୍ଟାପୋଲ ଉପରେ ଯିବା ଆସିବା କରୁଛନ୍ତି। ଏହି ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଧାମରା ଓ ବାସୁଦେବପୁରରୁ ସିଧା ସଳଖ ତିହିଡ଼ିକୁ ଯୋଡି ହେବ। ଖୁବ୍ କମ୍ ସମୟ ଭିତରେ ବାସୁଦେବପୁରରୁୁ ତିହିଡ଼ିକୁ ଆସି ହେବ। ବାସୁଦେବପୁର ଓ ତିହିଡ଼ି ବ୍ଲକର ଲକ୍ଷାଧିକ ଲୋକ ଉପକୃତ ହେବେ। ହେଲେ ସେତୁ କାମ ନ ସରିବାରୁ ଲୋକମାନଙ୍କ ଭିତରେ ଅସନ୍ତୋଷ ବଢି ଚାଲିଛି।

Sambad

ଭଦ୍ରକ ଜିଲ୍ଳା ତିହିଡି ବ୍ଲକ ମନ୍ତେଇ ନଦୀ ଉପରେ ନିର୍ମାଣାଧୀନ ବାହାବଳପୁର ସେତୁ ନିର୍ମାଣରେ ବିଲମ୍ବତାକୁ ନେଇ ମୁହଁ ଖୋଲିଛନ୍ତି ବିଭାଗୀୟ ନିର୍ବାହୀଯନ୍ତ୍ରୀ। ସେତୁର ଡିଯାଇନ ପରିବର୍ତନ ଯୋଗୁ ୨ ଗୋଟି ବଡ଼ ସ୍ପାନ ନିର୍ମାଣ ସରିଥିଲେ ମଧ୍ୟ ଅନ୍ୟ ୨ ଗୋଟି ଛୋଟ ସ୍ପାନର କାମ ଚାଲିଛି। ଯାହାକି ଆଗାମୀ ମଇ ମାସ ସୁଦ୍ଧା ଶେଷ ହେବା ସହିତ ବର୍ଷା ରିତୁ ଆଗରୁ ସେତୁ ନିର୍ମାଣ ଶେଷ ହେବ ବୋଲି ଇଂ କିଶୋର ଚନ୍ଦ୍ର ଖଟୁଆ ନିର୍ବାହୀ ଯନ୍ତ୍ରୀ ୮ ହେଲା ସେତୁ କାମ ସରୁ ନଥିବାରୁ ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ବିଶେଷ କରି ରୋଗୀ, ଗର୍ଭବତୀ ମହିଳା, ବୟସ୍କ ଲୋକଙ୍କ ସକାସେ ଗୁରୁତର ପରିସ୍ଥିତି ସୃଷ୍ଟି କରିଛି। ସେତୁ ନିର୍ମାଣ ଦାଇତ୍ୱରେ ଥିବା ପୂର୍ତ୍ତ ବିଭାଗ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର