ପାଞ୍ଚ ଦଶନ୍ଧିର ଦାବି ପରେ ବି ସ୍ବପ୍ନ ଅଧୁରା; ପର୍ଯ୍ୟଟନ ବିଭାଗର ‘ଡେଷ୍ଟିନେସନ୍‌ ବନ୍ଦର’ କେବେ?

ମାଛଗାଁ: ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ୍ ମରିଚିପୁର ପଂଚାୟତରେ ଥିବା ବନ୍ଦରକୁ ଆଜି ପର୍ଯ୍ୟନ୍ତ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳୁନାହିଁ। ଦଶନ୍ଧି ଦଶନ୍ଧି ଧରି ଅଞ୍ଚଳବାସୀ ବନ୍ଦରକୁ ପର୍ଯ୍ୟଟନ ବିଭାଗର ପ୍ରମୁଖ ଡେଷ୍ଟିନେସନ୍‌ ଭାବେ ଦାବି କରୁଛନ୍ତି। ଏଣେ ସରକାର ନଜରଅନ୍ଦାଜ କରି ଚାଲୁଛି। ଜନପ୍ରତିନିଧିଙ୍କ ଆନ୍ତରିକତାର ଅଭାବ, ପ୍ରଶାସନର ଦୃଢ଼ ଇଚ୍ଛାଶକ୍ତି ଓ ଯୋଜନାବଦ୍ଧ ଉଦ୍ୟମ ନଥିବାରୁ ବନ୍ଦରକୁ ପର୍ଯ୍ୟଟନସ୍ଥଳୀ ଘୋଷଣା ବିଳମ୍ବିତ ହେଉଛି। ନିର୍ବାଚନ ପରେ ନିର୍ବାଚନ ଯାଉଛି। ନେତା ବି ବଦଳୁଛନ୍ତି। ହେଲେ ବନ୍ଦରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି ଏବେବି ଅଧୁରା ରହିଛି। ଜଗତସିଂହପୁର ଜିଲ୍ଳା ସଦର ମହକୁମା ଦେଇ ବାଳିକୁଦା–ତିହୁଡ଼ି–ନହରଣା ଦେଇ ପ୍ରାୟ ୪୦ କିଲୋମିଟର ଗଲେ ସୌନ୍ଦର୍ଯ୍ୟର ଗନ୍ତାଘର ବନ୍ଦରର ଅପରୂପ ସୌନ୍ଦର୍ଯ୍ୟକୁ ଯେ କେହି ବି ଦେଖିଲେ ମୋହରେ ପଡ଼ିବ।

ବନ୍ଦର ନିକଟରେ ରହିଛି ପୂଣ୍ୟତୋୟା ଦେବୀ ନଦୀର ସଙ୍ଗମ ସ୍ଥଳ। ଯେଉଁଠି ପ୍ରକୃତି ରାଣୀ ତାର ସବୁ ସୌନ୍ଦର୍ଯ୍ୟକୁ ଅଜାଡ଼ି ଦେଇଛି। ବିସ୍ତୀର୍ଣ୍ଣ ବେଳାଭୂମି, ହଜାରହଜାର ଏକର ଝାଉଁ, ବନି, କାଜୁ ଜଙ୍ଗଲର ସୁସୁ ଗର୍ଜନ ତ କେବେ ସୁଲୁସୁଲିଆ ବାଆ ପ୍ରକୃତି ରାଣୀର ଗୀତ ଭଳି ଲାଗେ। ଜଙ୍ଗଲ ଭିତରେ ହରିଣମାନଙ୍କ ଲୁଚକାଳି ଖେଳ ବେଶ୍ ରୋମାଞ୍ଚକର। ମାଛଧରା ଜେଟି, ନୌଯାତ୍ରା, ଭିତରକନିକା ପରି ଦେବୀ ନଦୀ କୂଳରୁ ସମୁଦ୍ର ନିକଟକୁ ଯିବା ବାଟରେ ଦୁଇ କଡ଼ରେ ଥିବା ଗ୍ରୀଷ୍ମକାଳୀନ ବୃକ୍ଷ ପ୍ରକୃତିର ଶୋଭାକୁ ଦ୍ବିଗୁଣିତ କରିଥାଏ। ବନ୍ଦରରେ ପ୍ରକୃତିର ଶୋଭାରାଜିକୁ ମନଭରି ଉପଭୋଗ କରିବା ପାଇଁ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥାଏ। ଲୋକକଥା ମୁତାବକ ମରିଚିପୁରରେ ରାଜାଙ୍କ ରାଜତ୍ବ ସମୟରେ ଏଠାରେ ମା’ ଏକ ଗଛ ମୂଳେ ପୂଜା ପାଉଥିଲେ। ମାଙ୍କ ନାମ ଅନୁସାରେ ଗାଁର ନାମ ବନ୍ଦର ରଖାଯାଇଛି। ଏହା ଏକ ଶକ୍ତୀପୀଠ ଭାବେ ମଧ୍ୟ ପରିଚିତ। ମା ବନ୍ଦରେଇଙ୍କ ଉପରେ ରହିଛି ପ୍ରଗାଢ଼ ବିଶ୍ବାସ।

ଯାହା ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥାଏ। ରଜ, ନୂଆବର୍ଷ ତଥା ଶୀତଦିନେ ବଣଭୋଜି ପାଇଁ ଅଧିକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ମା ବନ୍ଦରେଇଙ୍କ ପାଖରେ ବିଶେଷ ଭାବେ ପୋଡ଼ା ମାଛ ବଳି ପ୍ରସିଦ୍ଧ। ମତ୍ସଜୀବୀମାନେ ସମୁଦ୍ରକୁ ଯିବାବେଳେ ଏଠାରେ ମୁଣ୍ତିଆ ମାରି ଯାଇଥାନ୍ତି। ଚୈତ୍ର ଶୁକ୍ଳ ନବମୀ ତିଥିରେ ମା’ଙ୍କର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୁଏ। ଏଥିରେ ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୁଏ। ମନସ୍କାମନା ପୂରଣ ପାଇଁ ମା’ଙ୍କୁ ଶ୍ରଦ୍ଧାଳୁ ମାଟିଘୋଡ଼ା ଯାଚିଥାନ୍ତି। ମାନସିକ ପୂରଣ ହେଲେ ମାଟି ଘୋଡ଼ା ଦେଇ ପୂଜାର୍ଚ୍ଚନା କରିଥାନ୍ତି।

Sambad

ଏହି ଅଞ୍ଚଳର ଅନ୍ୟ ଏକ ସୁନ୍ଦର ସ୍ଥାନ ସମୂଦ୍ରକୁ ଲାଗି ରହିଛି ପିଲିପାଇ। ଏଠି ସତ୍ୟ ମହିମା ଦୁର୍ଗାଶ୍ରମ ରହିଛି। ପିଲିପାଇ ଚଉରାକୁ ଦେଖିବାକୁ ଅନେକ ପର୍ଯ୍ୟଟକ ଓ ଗବେଶକ ଆସିଥାଆନ୍ତି। ଲୋକଶ୍ରୁତି ଅଛି ଜଳପଥରେ ଏହି ବାଟ ଦେଇ ପ୍ରଥମେ ଇଂରେଜମାନେ ଓଡ଼ିଶାକୁ ପ୍ରବେଶ କରିଥିଲେ। ସ୍ଥାନ ଚିହ୍ନଟ ପାଇଁ ଏଠାରେ ଏକ ସ୍ତମ୍ଭ କରିଥିଲେ। ଯାହା ପିଲିପାଇ ଚଉରା ନାମରେ ନାମିତ। ସଂଧ୍ୟା ହେଲେ ହରିଣମାନେ ଅତି ନିକଟରେ ଦେଖା ଦିଅନ୍ତି। ଏଥିପାଇଁ ଅନେକ ପର୍ଯ୍ୟଟକ ଏହି ସ୍ଥାନକୁ ଆସିଥାନ୍ତି। ହଜାର ହଜାର ପର୍ଯ୍ୟଟକଙ୍କୁ ଏହା ଆକର୍ଷିତ କରୁଛି।

ତେଣୁ ଏହାକୁ ପର୍ଯ୍ୟଟନସ୍ଥଳ ମାନ୍ୟତା ସଦବାକୁ ପ୍ରାୟ ୫ ଦଶନ୍ଧି ହେଲା ଦ‌ାବି ହୋଇ ଆସୁଛି। ସ୍ଥାନୀୟ ବୁଦ୍ଧିଜୀବୀମାନେ ଏକାଠି ହୋଇ ବାରମ୍ବାର ଜନ ପ୍ରତିନିଧି ଓ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ପ୍ରତିଶ୍ରୁତି ବି ମିଳିଛି। ହେଲେ ତାହା ଆଜି ଯାଏ ପୂରଣ ହୋଇ ପାରିନାହିଁ। ମାଳ ମରିଚିପୁର ଉନ୍ନୟନ ପରିଷଦ, ଓଳାଷ ଲୋଟସ୍‌ କ୍ଳବ୍, ତଳମାଳ ବିକାଶ ମ‌ଞ୍ଚ ଭଳି ସାମାଜିକ ଅନୁଷ୍ଠାନ ଏଥିପାଇଁ ସ୍ବର ଉଠାଇଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ତଳମାଳ ବିକାଶ ମଞ୍ଚ ପକ୍ଷରୁ ଅଞ୍ଚଳବାସୀଙ୍କୁ ନେଇ ବନ୍ଦରରେ ଏକ ସଭା ଆୟୋଜନ କରାଯାଇ ଥିଲା। ବନ୍ଦରକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ନମିଳିଲେ ଅଞ୍ଚଳବାସୀ ଭୋଟ୍ ବର୍ଜନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। ଏହାପରେ ବାଇକ୍ ଶୋଭାଯାତ୍ରାରେ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା।

ସେତେବେଳେ ବିଧାୟକ ଅଂଚଳବାସୀଙ୍କ ସହ ତତକାଳୀନ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ତାଙ୍କୁ ଭେଟି ଦାବି ପତ୍ର ଦେଇଥିଲେ। ପ୍ରତିଶ୍ରୁତି ମିଳିଲା। ହେଲେ ପୂରଣ ହେଲା ନାହିଁ। ଏ ନିର୍ବାଚନ ମଣ୍ତଳୀରୁ ପୂର୍ବତନ ମନ୍ତ୍ରୀ ବାସୁଦେବ ମହାପାତ୍ର, ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ବାଇଁ, ପୂର୍ବତନ ବିଧାୟକ ଡାକ୍ତର ଲଲାଟେନ୍ଦୁ ମହାପାତ୍ର, ବର୍ତମାନର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରମୁଖ ପ୍ରତିନିଧିତ୍ବ କରିଛନ୍ତି। ଏବେ ରାଜ୍ୟର ଦୁଇ ଦୁଇଟି ଗୁରୁତ୍ବୂପୂର୍ଣ୍ଣ ପଦବିରେ ଅଛନ୍ତି ମନ୍ତ୍ରୀ ରଘୁନନ୍ଦନ ଦାସ। ମାଳମରିଚିପୁର ଅଞ୍ଚଳବାସୀ ଅନେକ ଥର ମନ୍ତ୍ରୀଙ୍କ ନିକଟରେ ଏହି ଦାବି ରଖିଛନ୍ତି। ନିଜ ଅଞ୍ଚଳର ମର୍ଯ୍ୟାଦାରକ୍ଷା ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ କେବେ ପଦକ୍ଷେପ ନେବେ ବୋଲି ମଧ୍ୟ ଅଞ୍ଚଳବାସୀ କ୍ଷୋଭ ବ୍ୟକ୍ତ କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଖାସ୍‌ ଏହି ପ୍ରସଙ୍ଗକୁ ନେଇ ଯେଉଁ ଭୁଲ୍ କରିଛନ୍ତି ପଂଚାୟତ ନିର୍ବାଚନରେ ତାର ପ୍ରାୟଶ୍ଚିତ ନିଶ୍ଚିତ ‌ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର