ଏସିଡ୍‌ ପୀଡ଼ିତଙ୍କ ସହ ଧୋକା, ଚାରି ବର୍ଷ ପରେ ବି ମିଳୁନି ନ୍ୟାୟ

କେନ୍ଦ୍ରାପଡା: ଏସିଡ୍‌ ପୀଡ଼ିତଙ୍କୁ ନ୍ୟାୟ ଦେଇପାରିଲାନି ମାର୍ଶାଘାଇ ପୁଲିସ । ଶେଷରେ ପୁଲିସ ଉପରୁ ଭରସା ତୁଟାଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପୀଡ଼ିତଙ୍କ ପରିବାର । କେନ୍ଦ୍ରାପଡ଼ା ପୌରପାଳିକା ଟାଉନ ହଲ୍ରେ ଆଜି ଅନୁଷ୍ଠିତ ମିଳିତ ଜନଶୁଣାଣି ଶିବିରରେ ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ା ଅଭିଯୁକ୍ତ ମାନେ ଖୁଲମଖୁଲ୍ଲା ଗାଁରେ ବୁଲୁଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିବା ପରିବର୍ତ୍ତେ ଘଣ୍ଟ ଘୋଡ଼ାଉଥିବା ପୀଡ଼ିତ ଓ ତାଙ୍କ ପରିବାର ଜିଲ୍ଲାପାଳଙ୍କ ପାଖେ ଅଭିଯୋଗ କରିବା ସହିତ ନ୍ୟାୟ ଭିକ୍ଷା କରିଛନ୍ତି ା ଏସିଡ୍‌ ମାଡ଼ ଭଳି ଏକ ଜଘନ୍ୟ ଘଟଣାରେ ପୁଲିସର ଅଭିଯୁକ୍ତଙ୍କ ପ୍ରତି ଏତାଦୃଶ ନରମ ଆଭିମୁଖ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ଉଠିଲାଣି ା ଆଉ କେତେ ଯନ୍ତ୍ରଣାସିକ୍ତ ଜୀବନ ଭୋଗିଲେ ପୁଲିସ ପୀଡ଼ିତଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ତତ୍ପରତା ଦେଖାଇବ, ତାହାକୁ ନେଇ ସାଧାରଣ ଲୋକ ପ୍ରଶ୍ନ କରିବା ଆରମ୍ଭ କଲେଣି। ଘଟଣାଟି ହେଉଛି ଏମିତି ା ୨୦୧୮ ମସିହା ଅକ୍ଟୋବର ୯ ତାରିଖ ବିଳମ୍ବିତ ରାତିରେ ମାର୍ଶାଘାଇ ଥାନା ପାଟଳିପଙ୍କ ଗ୍ରାମର ହିମାଂଶୁ ବାରିକ ଓ ତାଙ୍କ ପରିବାରଙ୍କ ଉପରକୁ ଏସିଡ଼ ମାଡ଼ କରାଯାଇଥିଲା। ଏଥିରେ ହିମାଂଶୁଙ୍କ ସମେତ ତାଙ୍କ ପତ୍ନୀ ମିନତୀ ଓ ଶିଶୁ କନ୍ୟା ଶୁଭଶ୍ରୀ ଗୁରୁତର ଆହତ ହୋଇଥିଲେ। ଏହା ପଛର କାରଣ ଥିଲା ଚୋରା ମଦ ବେପାରକୁ ବିରୋଧ। ଗାଁରେ ଚୋରା ମଦ ବେପାରକୁ ହିମାଂଶୁ ବିରୋଧ କରି ମାର୍ଶାଘାଇ ଥାନାରେ ଏତଲା ଦେବାରୁ ମାଫିଆଙ୍କ ଆକ୍ରୋଶର ଶିକାର ହୋଇଥିବା କୁହାଯାଇଥିଲା। ଅଭିଯୁକ୍ତମାନେ ଘଟଣା ଦିନ ବିଳମ୍ବିତ ରାତିରେ ହିମାଂଶୁ ଶୋଇଥିବା ଘର ଝରକା ଫାଙ୍କରେ ଏସିଡ଼ ମାଡ଼ କରି ଫେରାର ହୋଇଯାଇଥିଲେ।ଏସିଡ୍‌ ମାଡ଼ରେ ହିମାଂଶୁଙ୍କ ଦୁଇ ଆଖି ଓ ଦୁଇ କାନ ସମେତ ମୁହଁ ଓ ଶରୀରର ୭୦ ପ୍ରତିଶତରୁ ଅଧିକ ପୋଡି ନଷ୍ଟ ହୋଇଯାଇଛି। ବିଡ଼ମ୍ବନାର ବିଷୟ ହେଉଛି ଯେ ନ୍ୟାୟ ପାଇଁ ହିମାଂଶୁ ଓ ତାଙ୍କ ବାପା ବୈଷ୍ଣବ ବାରିକ ବାରମ୍ବାର ମାର୍ଶାଘାଇ ଥାନାକୁ ଦୌଡ଼ିଥିଲେ ଫଳ ଶୂନ୍।

ଶେଷରେ ପୁଲିସ ଉପରୁ ଭରସା ତୁଟାଇ ପୀଡ଼ିତଙ୍କ ପରିବାର କେନ୍ଦ୍ରାପଡ଼ା ଏସଡ଼ିଜିଏମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ପାଇଁ କୋର୍ଟ ମାର୍ଶାଘାଇ ଥାନାକୁ ନିର୍ଦେଶ ଦେଇଥିଲେ ା ‌ହେଲେ ଏଯାଏ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଧରୁନଥିବା ହିମାଂଶୁ ଅଭିଯୋଗ କରିଛନ୍ତି ା ଅନ୍ୟପକ୍ଷରେ ପୀଡ଼ିତଙ୍କ ବାପା ବୈଷ୍ଣବ ଚରଣ ବାରିକ କହିଛନ୍ତି ଯେ ଗାଁର ଭଲ ପାଇଁ ପୁଅ ସ୍ବର ଉଠାଇଥିଲା। ହେଲେ ତାର ପରିଣାମ ସ୍ବରୂପ ପୁଅକୁ ପଙ୍ଗୁ କରିଦିଆଗଲା। ରୋଜଗାରିଆ ପୁଅ ଆମ କାନ୍ଧରେ ବନ୍ଧା ହେଇଛି। ପୁଅର ଚିକିତ୍ସା ବ୍ୟବସ୍ଥା ସରକାର କରିବାକୁ ସେ ଅନୁରୋଧ କରିବା ସହିତ ଅଭିଯୁକ୍ତଙ୍କୁ ବାନ୍ଧିବା ପାଇଁ ଦାବି କରିଛନ୍ତି ା ମା’ କୁନିଲତା ଓ ପତ୍ନୀ ମିନତିପ୍ରଭା ବାରିକ ବି ସମାନ କଥା ଦୋହରାଇଛନ୍ତି। ପ୍ରଭାବଶାଳୀଙ୍କ ଛତ୍ରଛାୟା ତଳେ ଅଭିଯୁକ୍ତମାନେ ରହିଥିବାରୁ ପୁଲିସ ସେମାନଙ୍କୁ ଧରିବା ପାଇଁ ସାହସ କରିପାରୁନାହିଁ। ଘଟଣାକୁ ଚାରି ବର୍ଷ ପୂରିବାକୁ ବସିଲାଣି ା ରୋଜଗାରିଆ ବ୍ୟକ୍ତି ଘରେ ପଙ୍ଗୁ ହେଇ ବସିଥିବାରୁ ପରିବାର ଚଳିବା କଷ୍ଟ। ଚିକିତ୍ସା ପାଇଁ ଅର୍ଥ ନାହିଁ। ଏଭଳି ସ୍ଥିତିରେ ଆମକୁ ନ୍ୟାୟ ଦେବା ପାଇଁ ଆଉ କେତେ କାଳ ଲାଗିବ ବୋଲି ଦୁଇ ମହିଳା କ୍ଷୋଭର ସହ ପ୍ରଶ୍ନ କରିବା ସହିତ ତୁରନ୍ତ ଗୁହାରି ଶୁଣିବାକୁ ସରକାରଙ୍କ ପାଖେ ନିବେଦନ କରିଛନ୍ତି ା

ସମ୍ବନ୍ଧିତ ଖବର