୪ ବର୍ଷ ବିତିଲା, ଓଡ଼ିଶାର ଅନ୍ୟତମ ପୁରାତନ ଉଦ୍ୟାନ ପ୍ରଶିକ୍ଷଣ କେନ୍ଦ୍ରର ନିର୍ମାଣ ସରୁନି

ଖୋର୍ଦ୍ଧା: ଅନୁମାନ କରନ୍ତୁ, ସରକାରୀ ସ୍ତରରେ ସାଧାରଣ କୋଠାଟିଏ ନିର୍ମାଣ ଓ ମରାମତି ପାଇଁ କେତେ ସମୟ ଲାଗିବ? ବର୍ଷେ, ଦୁଇ ବର୍ଷ। କିନ୍ତୁ ରାଜ୍ୟ ରାଜଧାନୀ ଖୋର୍ଦ୍ଧା ଜିଲ୍ଲାର ସଦର ମହକୁମା ଖୋର୍ଦ୍ଧା ସହରର ଏକ ପୁରାତନ ହେରିଟେଜ୍ କୋଠାର ମରାମତି ଓ ନିକଟରେ କର୍ମଚାରୀ କ୍ୱାଟର ଆଦିର ନିର୍ମାଣ ପାଇଁ ଗତ ୫ ବର୍ଷ ଧରି କାମ ଚାଲିଛି, କିନ୍ତୁ ଶେଷ ହେବାର ନା’ ନେଉନାହିଁ। ଖୋର୍ଦ୍ଧା ସହରରେ ବିଡିଏ କଲୋନୀରେ ଥିବା ଉଦ୍ୟାନ ସ୍କୁଲ। ପ୍ରାୟ ୧୭ ଏକର ଅଚଂଳରେ ମଧ୍ୟରେ ଥିବା କୋଠାଟି ବ୍ରିଟି୍‌ଶ ଅମଳର। କୁହାଯାଏ ଡଟ୍ ନାମକ ଜଣେ ବ୍ରିଟିଶ୍ ଅଧିକାରୀ ଥିଲେ। ସେ ସେଠାରେ ରହିବା ସହ ଏକ ବଡ଼ ସୁଦୃଶ୍ୟ ଉଦ୍ୟାନ କରିଥିଲେ। ଦେଶ ସ୍ୱାଧୀନ ହେବା ପରେ ସେ ଏହି କୋଠାଟି ରାଜ୍ୟ ସରକାରଙ୍କୁ ବିକ୍ରି କରିଦେଇଥିଲେ।

ସ୍ୱାଧୀନତାର କିଛି ବର୍ଷ ପରେ ସେଠାରେ ରାଜ୍ୟ ସରକାର ଉଦ୍ୟାନ ସ୍କୁଲ ଓ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଥିଲେ। ୨୦୧୭ ବେଳକୁ କୋଠାଟି ପୁରାତନ ହୋଇଯାଇଥିବାରୁ ଏହାର ମରାମତି ଆବଶ୍ୟକ ପଡ଼ିଲା। ତେବେ କୋଠାଟିର ନିର୍ମାଣ ଶୈଳୀ ଓ ପୁରାତନତାକୁ ଦୃଷ୍ଟିରେ ରଖି ଏହାକୁ ହେରିଟେଜ୍ କୋଠା ଘୋଷଣା କରାଯାଇ ଏହାର ମୂଳ ଢାଞ୍ଚା ଅବିକଳ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଣୁ ୨୦୧୭ରେ ଏନେଇ କାମ ଆରମ୍ଭ ହେଲା। ପ୍ରସ୍ତାବିତ ଯୋଜନାନୁସାରେ, ମୂଳ କୋଠାର ମରାମତି ସହ ପରିସର ମଧ୍ୟରେ ମହିଳା-ପୁରୁଷ ହଷ୍ଟେଲ୍, ଷ୍ଟାଫ୍ କ୍ୱାଟର, ଅଫିସର୍ସ ମେସ୍, ବେଡ୍ମିଂଟନ୍ ପଡ଼ିଆ, ସମ୍ମିଳନୀ କକ୍ଷର ମରାମତି, ପ୍ରାଚୀର ନିର୍ମାଣ ଆଦି କାମ କରାଯିବ।

ଏଥିପାଇଁ ରାଜ୍ୟ ସରକାର ୧୧ କୋଟି ୫୦ଳକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। ଏହା ମଧ୍ୟରେ ୪ ବର୍ଷ ଅତିକ୍ରାନ୍ତ ହେଲାଣି କିନ୍ତୁ ପ୍ରସ୍ତାବିତ କାର୍ଯ୍ୟ ଶେଷ ହୋଇନାହିଁ। ଅପରପକ୍ଷରେ, ପରିସରରେ ୨୦୦୮ରେ ସୁରେନ୍ଦ୍ର ନାୟକ ରାଜ୍ୟ କୃଷିମନ୍ତ୍ରୀ ଥିବା ବେଳେ ଏକ ସମ୍ମିଳନୀ କକ୍ଷ ନିର୍ମାଣ କରିଥିଲେ। ବର୍ତମାନ ଏହି ସମ୍ମିଳନୀ କକ୍ଷ ରକ୍ଷଣାବେକ୍ଷଣ ଅଭାବରେ ପଲସ୍ତରା ଖସିବାକୁ ବସିଲାଣି। କେବଳ ସମ୍ମିଳନୀ କକ୍ଷ ନୁହେଁଁ, ପରିସରରେ ଥିବା ବ୍ଲକ ପ୍ରଶିକ୍ଷଣ କେନ୍ଦ୍ର, ଗ୍ୟାରେଜ୍, କର୍ମଚାରୀଙ୍କ ପୁରାତନ କ୍ୱାଟର ମଧ୍ୟ ମରାମତି ଅଭାବରୁ ଭାଙ୍ଗିରୁଜି ଗଲାଣି। ଏବେ ପ୍ରଶ୍ନଉଠୁଛି, ରାଜ୍ୟ ରାଜକୋଷର ପ୍ରାୟ ୧୨ କୋଟି ଟଙ୍କା କାହା ସ୍ୱାର୍ଥରେ ସେଠାରେ ଖର୍ଚ୍ଚ କରାଯାଉଛି। ଏହାର ସୁଫଳ କାହାକୁ ମିଳୁଛି। ଏଭଳି ଅହେତୁକ ବିଳମ୍ବ ପଛରେ କାହାର ସ୍ୱାର୍ଥ ରହିଛି?

Sambad

ବିଭାଗର ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯେଉଁ ଯୋଜନାରେ ଏହାର ବିକାଶ ହେବା କଥା ସେପରି ହେଉନାହିଁ। ଏହାର ତଦାରଖ ଉପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣ ନାହିଁ। ଠିକାଦାର ମାନେ ମନଇଚ୍ଛା କାମ କରୁଛନ୍ତି, ମୂଳ ବ୍ଲୁପ୍ରିଣ୍ଟ ଠାରୁ ଏହା ଦୂରେଇ ଗଲାଣି। ଏନେଇ ସ୍କୁଲର ଡେପ୍ୟୁଟି ଡାଇରେକ୍ଟର ଗୌରାଙ୍ଗ ଚନ୍ଦ୍ର ସ୍ୱାଇଁଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ପୂର୍ବର ଡେପ୍ୟୁଟି ଡାଇରେକ୍ଟରଙ୍କ କରୋନା ସଂକ୍ରମଣରେ ଦେହାନ୍ତ ଘଟିବା ପରେ ମାତ୍ର ୨-୩ ପୂର୍ବେ ଏଠାକୁ ବଦଳି ହୋଇ ଆସିଛନ୍ତି।

ନିର୍ମାଣର ଅଗ୍ରଗତି ଓ ସ୍ଥିତି ନେଇ ସେ ବିଶେଷ କିଛି ଜାଣନ୍ତି ନାହିଁ। ତେବେ ପ୍ରସ୍ତାବିତ ଯୋଜନାରେ ଓଡ଼ିଶା ସ୍ମଲ୍ ସ୍କେଲ୍ ଇଣ୍ଡଷ୍ଟି୍ରଜ୍ ଏହି ମରାମତି ଓ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି। ସେ ଅନ୍ୟ ଠିକାଦାରଙ୍କୁ ଏଥିରେ ନିୟୋଜିତ କରିଛି। ଉଦ୍ୟାନ ବିଭାଗ ନିର୍ଦେଶକ ଏହାର ତଦାରଖ କରୁଛନ୍ତି। ଏହା ମଧ୍ୟରେ ମହିଳା ହୋଷ୍ଟଲ୍ ଓ ୪ ଜଣ କର୍ମଚାରୀଙ୍କ ପାଇଁ କ୍ୱାଟର ନିର୍ମାଣ ସରିଛି। ପୁରୁଷ ହଷ୍ଟେଲ୍ କାମ ଚାଲୁଛି। ମୂଳ କୋଠାର ମରାମତି ହୋଇଛି ଓ ଅନ୍ୟକାମ ଗୁଡ଼ିକ ଜାରି ରହିଛି। ବ୍ରିଟିଶ ଅମଳର କୋଠା, ରାଜ୍ୟ ସରକାରଙ୍କୁ ହସ୍ତାନ୍ତର ହୋଇଥିଲା। ପରେ ସେଠାରେ ଉଦ୍ୟାନ ବିଭାଗର ସ୍କୁଲ ଚାଲିଲା।

ସମ୍ବନ୍ଧିତ ଖବର