ଚନ୍ଦାହାଣ୍ଡିରେ ଦାଦନ ଦୁଃଖ, ପଙ୍ଗୁ ହୋଇ ଫେରିଲା ନାବାଳକ ଦାଦନ ଶ୍ରମିକ

ବିଜୁ ସ୍ବାସ୍ଥ୍ୟ କାର୍ଡ ଥାଇ ମଧ୍ୟ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଦେଖାଇ ଦେଇଛି ଏକ ଦାଦନ ଦୁଃଖ। କିଭଳି ଭାବେ ଜଣେ ବାପା ଛେଉଣ୍ଡ ନାବାଳକ ଦାଦନ ଶ୍ରମିକ ଆନ୍ଧ୍ର ପ୍ରଦେଶରେ ଦାଦନ ଖଟିବାକୁ ଯାଇ ପଙ୍ଗୁ ହୋଇ ଫେରିଛି। ଏଭଳି ଏକ ଦାରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଚନ୍ଦାହାଣ୍ଡି ବ୍ଲକ ସଦର ପଞ୍ଚାୟତର ସାଲେବିଦି ଗ୍ରାମରେ। ବିବରଣୀରୁ ପ୍ରକାଶ ଯେ ସାଲେବିଡି ଗ୍ରାମର ଜଣେ ବାପା ଛେଉଣ୍ଡ ୧୭ ବର୍ଷର ପୁଅ କୌଣସି କାମ ଧନ୍ଦା ନପାଇ ନିଜର ବିଧବା ମାଁର ପ୍ରତିପୋଷଣ ପାଇଁ ସୁଦୂର ଆନ୍ଧ୍ରପ୍ରଦେଶକୁ ସେଠାକାର ରାକେଶ ନାମକ ଠିକାଦାର ଜରିଆରେ କାମ ଅନ୍ଵେଷଣରେ ଯାଇଥିଲା। ଆନ୍ଧ୍ରପ୍ରଦେଶର କରିମ ନଗରରେ କିଛିଦିନ ଜେସିବି ହେଲ୍ପର ଭାବେ କାର୍ଯ୍ୟ କରିଥିଲା। ତେବେ ରାତିରେ ସେ କାର୍ଯ୍ୟସ୍ଥଳରେ ବିଶ୍ରାମ ନେଉଥିବା ସମୟରେ ମିକ୍ସଚର ମେସିନ ଚାପି ହେବା ଦ୍ବାରା ନାବାଳକର ଦୁଇଟି ଗୋଡ଼ ଭାଙ୍ଗି ଯାଇଥିଲା। ଏହାପରେ ସଂମ୍ପୃକ୍ତ ଠିକାଦାର ଜଣକ ତାକୁ ଆନ୍ଧ୍ର ପ୍ରଦେଶର ୱାରଙ୍ଗଲ ଠାରେ ପ୍ରାଥମିକ ଚିକିତ୍ସା କରି ନବରଙ୍ଗପୁର ଆଣି ଛାଡ଼ି ଦେଇଥିଲା।

ନବରଙ୍ଗପୁର ହସ୍ପିଟାଲରେ କୌଣସି ଚିକିତ୍ସା ନ କରି ତାକୁ କୋରାପୁଟ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତେବେ ତାର ବିଧବା ମାଁ ତାକୁ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଡାକ୍ତର ଏକ୍ସରେ କରି ବାହାରକୁ ନେବାକୁ ପରାମର୍ଶ ଦେଇଥିଲେ। ଶେଷରେ ବିଧବା ମା ଜଣଖ ଉପାୟ ନପାଇ କୋରାପୁଟରୁ ନିଜ ଘରକୁ ଫେରାଇ ଆଣି ନିଜ ଘରେ ରଖି ଘରୋଇ ଚିକିତ୍ସା କରୁଛନ୍ତି। ନିଜ ପାଖରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ରହି ମଧ୍ୟ ଏହି ପଙ୍ଗୁ ପ୍ରାୟ ନାବାଳକ ଦାଦନ ଶ୍ରମିକ ବର୍ତ୍ତମାନ ଶଯ୍ୟାଶାୟୀ ହୋଇ ପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳି ନଥିରୁ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଚନ୍ଦା ହାଣ୍ଡି ସମିତି ସଭ୍ୟ ପୌରସ ମାଝୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର