ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବୁଦ୍ଧିକୋମନା ପଞ୍ଚାୟତ ପଣ୍ଡରାପଥର ଗ୍ରାମର ବରପଦରପଡ଼ାରୁ ୩୫୩ନଂ ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ରହିଥିଲା। ବର୍ଷା ମାସରେ ରାସ୍ତାରେ ସାଇକଲ, ବାଇକ୍ ସହ ଚାଲିକି ଯିବା ମଧ୍ୟ ସମ୍ଭବ ହେଉନଥିଲା। ଗୁରୁତର ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସରେ ନେବାକୁ ବହୁ ଅସୁବିଧା ହେଉଥିଲା। ରାସ୍ତା ସମସ୍ୟା ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ଶେଷରେ ଗ୍ରାମବାସୀ ଗାଁରେ ଏକ ବୈଠକ କରି ନିଜେ ରାସ୍ତା ମରାମତି କରିବାକୁ ଆଲୋଚନା କରିଥିଲେ।
ଘର ପିଛା ଏକ ହଜାର ଟଙ୍କା ସହ ଘରର ଜଣେ ବ୍ୟକ୍ତି ସାମିଲ ହୋଇ ବର୍ଷା ପୂର୍ବରୁ ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇ ଦିନ ହେଲା ମୋଟ ୩୦ ଜଣ ପୁରୁଷ ମହିଳା ରାସ୍ତା ମରାମତି କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ବର୍ତ୍ତମାନ ଅଧା କାମ ସରିଥିବା ବେଳେ ଶନିବାର କାମ ଶେଷ ହେବ ବୋଲି ଗଇନ୍ଦୁ ଗୌଡ଼, ନବରଙ୍ଗୀ ମାଝୀ, ବୀର ମାଝୀ, ଯଦୁ ମାଝୀ ପ୍ରମୁଖ ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏ ସମ୍ପର୍କରେ ବିଡିଓ ସୁଶାନ୍ତ ରଣାଙ୍କୁ ପଚାରିବାରୁ ଏହି ରାସ୍ତାକୁ ଏନ୍ଆରଜିଏସ ଯୋଜନାରେ ସାମିଲ କରାଯାଇ ଠିକ୍ ଭାବେ ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରକାଶ କରିଛନ୍ତି।