ବାପାଙ୍କ ପରେ ଆଖି ବୁଜିଲେ ମା’ ଏବେ ପୁଅ କରୋନାରେ 

ସୁନ୍ଦରଗଡ଼: ହୃଦଘାତରେ ବାପାଙ୍କ ମୃତ୍ୟୁ ହେଲା। ତା’ର ଚାରି ଦିନ ନଯାଉଣୁ କରୋନା ସଂକ୍ରମଣରେ ଆଖି ବୁଜିଲେ ମା’। ଆଉ ଏବେ ଏକମାତ୍ର ପୁଅ କରୋନା କବଳିତ। ସବୁଠାରୁ ହୃଦୟବିଦାରକ କଥାଟି ହେଲା, ହୃଦଘାତରେ ବାପାଙ୍କ ମୃତ୍ୟୁ ହୋଇଥିବା ଜାଣି ମଧ୍ୟ କରୋନା ସନ୍ଦେହରେ ପଡ଼ୋଶୀ, ପରିଚିତ କେହି ପାଖ ମାଡ଼ି ନଥିଲେ। ଦାହ ସଂସ୍କାର ପାଇଁ ହାତ ବଢ଼ାଇବା ତ ଦୂରର କଥା, ଦ୍ବାର ମୁହଁକୁ ଆସି ଆହା ପଦେ ବି କହି ନଥିଲେ। ମା’ ତ ସହଜ କରୋନାରେ ପ୍ରାଣ ହରାଇଥିଲେ। ତାଙ୍କ ବେଳକୁ ଅବା କିଏ ଆସିଥାନ୍ତା। ଶେଷକୁ କରୋନା ଆକ୍ରାନ୍ତ ପୁଅ ଓ ସ୍ଥାନୀୟ ଜଣେ ଯୁବ ସାମାଜିକକର୍ମୀଙ୍କ ସହଯୋଗରେ ଭିନ୍ନ ଭିନ୍ନ ସମୟରେ ଦୁଇ ଶବକୁ ସତ୍କାର କରିଥିଲେ ମଶାଣିବନ୍ଧୁ ।

କରୋନା କାଳର ଏ ଦାରୁଣ ଘଟଣାଟି ଘଟିଛି ସୁନ୍ଦରଗଡ଼ ସହରର ରଙ୍ଗାଢିପାରେ। ମୃତକ ହେଲେ ବିଜୟ କୁମାର ବରାଇ। ସରକାରୀ ମହାବିଦ୍ୟାଳୟରେ ପ୍ରାଧ୍ୟାପକ ଭାବେ ଅବସର ନେଇଥିବା ସ୍ବର୍ଗତ ବରାଇ ଅବସର ଜୀବନକୁ ସମାଜସେବା ପାଇଁ ଢାଳି ଦେଇଥିଲେ। ଅନ୍ୟର ଦୁଃଖ ତାଙ୍କୁ ବିଚଳିତ କରୁଥିଲା। ବିନା ଡାକରାରେ ସେ ଦୁଃଖୀ ଲୋକ ପାଖରେ ପହଞ୍ଚି ଆଶ୍ବାସନା ଦେଉଥିଲେ, ସାହାଯ୍ୟ କରୁଥିଲେ। ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ସେ ଏକ ପ୍ରକାର ବୁଡ଼ି ରହୁଥିବା ବେଳେ ନିଃସ୍ବାର୍ଥପର ସେବା ପାଇଁ ସମସ୍ତଙ୍କ ପ୍ରିୟପାତ୍ର ହୋଇଯାଇଥିଲେ। ଗତ ୨୯ ତାରିଖରେ ତାଙ୍କ ହୃଦଘାତ ହୋଇଥିଲା, ଆଉ ସେଥିରେ ତାଙ୍କ ପ୍ରାଣ ଚାଲି ଯାଇଥିଲା। ଭେଡ଼ାବାହାଲ କଲେଜରେ ଅଧ୍ୟାପକ ଥିବା ପୁଅ ଅଶୋକ ଆଶା କରିଥିଲେ ସମସ୍ତଙ୍କୁ ନିଃସ୍ବାର୍ଥପର ସେବା ଯୋଗାଇଥିବା ବାପାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ପାଖ ପଡ଼ୋଶୀ, ଚିହ୍ନା ପରିଚିତ ସମସ୍ତେ ଆସି କାନ୍ଧ ଦେବେ। କିନ୍ତୁ କେହି ପାଖ ମାଡ଼ି ନଥିଲେ।

ବାପାଙ୍କ ମୃତ୍ୟୁ ସହ ଏ ଯନ୍ତ୍ରଣାରେ ଅଶୋକ ପୂରା ଭାଙ୍ଗି ପଡ଼ିଥିଲେ। ଶେଷକୁ ସ୍ଥାନୀୟ ଜଣେ ଯୁବ ସମାଜସେବୀ ଅମୀୟ ପଟ୍ଟନାୟକ ଆସି ମଶାଣିବନ୍ଧୁଙ୍କୁ ଖବର ଦେଇଥିଲେ। ଚାରି ମଶାଣି ବନ୍ଧୁ ତୁରନ୍ତ ମହାପ୍ରୟାଣ ଗାଡ଼ିରେ ସ୍ବର୍ଗତ ବରାଇଙ୍କ ମୃତଦେହକୁ ନେଇ ସମ୍ମାନର ଶେଷକୃତ୍ୟ ସମ୍ପନ୍ନ କରିଥିଲେ। କରୋନା ଯନ୍ତ୍ରଣା କିନ୍ତୁ ଏତିକିରେ ସରି ନଥିଲା। ବାପାଙ୍କ ମୃତ୍ୟୁ ପୂର୍ବରୁ ଶଯ୍ୟାଶାୟୀ ମା’ଙ୍କୁ ଗୁରୁତର ଅବସ୍ଥାରେ ଗତ ୨୭ ତାରିଖରେ  ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କୁ ସାଲାଇନ୍ ଦିଆଯାଇଥିଲା। ତେବେ ଆଣ୍ଟିଜେନ୍ ପରୀକ୍ଷାରେ ସେ କରୋନା ସଂକ୍ରମିତ ଜଣାପଡ଼ିବା ପରେ ଡାକ୍ତରଖାନା କର୍ମଚାରୀଙ୍କ ମନରେ ଯେମିତି ଛନକା ପଶି ଯାଇଥିଲା।

ଅମାନବୀୟ ଭାବେ ସେଠାରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମଚାରୀ ସାଲାଇନ୍ ଖୋଲି ଦେଇ ତୁରନ୍ତ କୋଭିଡ୍ ହସ୍ପିଟାଲକୁ ନେଇଯିବାକୁ କହିଥିଲେ। ପରେ ଆମ୍ବୁଲାନ୍ସରେ ତାଙ୍କୁ ଏନଟିପିସି କୋଭିଡ୍ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ରୋଗୀଙ୍କ ବ୍ୟତୀତ ଅନ୍ୟ କାହାର ପ୍ରବେଶ ନିଷେଧ ଥିବାରୁ ଡାକ୍ତରଙ୍କ ପାଖରୁ ଔଷଧ ଚିଠି ଧରି ମା’ଙ୍କୁ ଘରକୁ ନେଇ ଆସିଥିଲେ। ବାପାଙ୍କ ମୃତ୍ୟୁର ଲୁହ ଶୁଖି ନଥିବା ବେଳେ ଚାରି ଦିନ  ନଯାଉଣୁ ମା’ ଆଖି ବୁଜିଥିଲେ।  ଏଥର ବି କେହି ପାଖ ମାଡ଼ି ନଥିଲେ। ଶେଷକୁ ସୂଚନା ପାଇ ଚାରି ମଶାଣି ବନ୍ଧୁ ଆସି ଶବକୁ ନେଇ ପୁଅ ଅଶୋକ ଓ ଯୁବ ସମାଜସେବୀ ଅମୀୟ ପଟ୍ଟନାୟକଙ୍କ ଉପସ୍ଥିତିରେ ଦାହ ସଂସ୍କାର କରିଥିଲେ। ମାତ୍ର ୪ ଦିନ ମଧ୍ୟରେ ବାପାମା’ଙ୍କୁ ହରାଇଥିବା ଅଶୋକ ଏବେ ନିଜ କରୋନା ସଂକ୍ରମିତ।  କରୋନା କାଳର ଏ କଷଣ ତାଙ୍କୁ ଭିତରେ ଭିତରେ କୋରି ଖାଉଥିବା ବେଳେ ଘଟଣାଟି ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର