ପରାଜୟ ପରେ ବି ପାଦ ପଛକୁ ହଟିନି, ଉଠା ଦୋକାନୀଙ୍କ ପାଇଁ ସ୍ବର ଉଠାଇଲେ ନିନିମା

ସୁନ୍ଦରଗଡ଼: ବସ୍ତି ବାସିନ୍ଦା ଓ ଅନ୍ୟ ପୀଡ଼ିତଙ୍କ ପାଇଁ ସ୍ବର ଉଠାଇ ଚର୍ଚ୍ଚାରେ ଥିଲେ ଯୁବ ନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀ। ସେହି ସ୍ବରକୁ ପାଥେୟ କରି ପୌର ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷିତ ଅଧ୍ୟକ୍ଷା ଆସନରେ ତାଙ୍କ ପତ୍ନୀ ନିନିମା ପଟେଲ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ ମଧ୍ୟ ପରାଜିତ ହୋଇଥିଲେ। କିନ୍ତୁ ପରାଜୟର ଦୁଇ ଦିନ ନଯାଉଣୁ ସମସ୍ତଙ୍କୁ ବିସ୍ମିତ କରି ଡ. ଷଡ଼ଙ୍ଗୀ ପୁଣି ଲୋକଙ୍କ ପାଇଁ ଲଢ଼େଇକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି। ସୋମବାର ନିନିମା ପଟେଲଙ୍କ ନେତୃତ୍ବରେ ଉଠା ଦୋକାନୀ ଓ ସହର ବାସିନ୍ଦା ଉପଜିଲ୍ଲାପାଳଙ୍କୁ ଘେରାଉ କରିଥିଲେ। ବିଶେଷ କରି ଉଠା ଦୋକାନୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଭେଣ୍ଡିଂ ଜୋନ୍ ବ୍ୟବସ୍ଥା, ନୂଆ ବସଷ୍ଟାଣ୍ଡରେ ନିର୍ମାଣାଧୀନ ମାର୍କେଟ କମ୍ପ୍ଲେକ୍ସ ଶୀଘ୍ର ସାରି ଦୋକାନୀଙ୍କୁ ହସ୍ତାନ୍ତର, ସହରରେ ପାର୍କିଂ ବ୍ୟବସ୍ଥା, ଖରାଦିନେ ପାଣି ସମସ୍ୟା ଦୂର କରିବା, ବିଜାପଡ଼ା, ଫିଟିଂପଡ଼ା, ଡ୍ୟାମପଡ଼ାକୁ ପାଣି ଯୋଗାଣ ବ୍ୟବସ୍ଥା, ବ୍ରାହ୍ମଣପଡ଼ା, ମହାନ୍ତିପଡ଼ା, ରିଜେଣ୍ଟ ମାର୍କେଟ ଓ ୱାର୍ଡ ନମ୍ବର ୧, ୨ରେ ଥିବା ନଜୁଲ ଜମିର ସର୍ଭେ ସହ ସବୁ ପ୍ରକ୍ରିୟା ଶେଷ ହୋଇଥିବାରୁ ତୁରନ୍ତ ଘରବାରି ପଟ୍ଟା ପ୍ରଦାନ ଆଦି ଦାବି ଉଠାଇଛନ୍ତି। ଲୋକଙ୍କ ସମସ୍ୟା ଶୀଘ୍ର ଦୂର କରାନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀମତୀ ପଟେଲ ପ୍ରଶାସନକୁ ଚେତାବନୀ ଦେଇଥିଲେ। ଘେରାଉରେ ଡ. ଷଡ଼ଙ୍ଗୀଙ୍କ ସମେତ ବୈକୁଣ୍ଠ ବନଛୋର, ସୁନୀଳ ମହାନନ୍ଦ, ଅବନୀ ମିଶ୍ରଙ୍କ ସମେତ ବହୁ ଉଠାଦୋକାନୀ ଓ ସହରବାସୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର