ସୁନ୍ଦରଗଡ଼ ଯୋଗାଣ ବିଭାଗର ମହାଗୁମର : ଚାଉଳ ପରେ କିରାସିନି ବାଟମାରଣା

ମାସକୁ ପକେଟରେ ପଶୁଛି ୬୦ ଲକ୍ଷ !

ସୁନ୍ଦରଗଡ଼ : ଭୂତ କାର୍ଡରେ ପିଡିଏସ ସାମଗ୍ରୀ ବଣ୍ଟନ, ଓଜନରେ ହିତାଧିକାରୀଙ୍କୁ ଠକେଇ, ପ୍ରତି ମାସରେ ୩ ହଜାର କ୍ବିଣ୍ଟାଲ ଚାଉଳ ବାଟମାରଣା, ଓଭରଲୋଡିଂ, ଖୋଲା ବଜାରରେ ନକଲି ବ୍ରାଣ୍ଡରେ ପିଡିଏସ୍ ଚାଉଳ ବିକ୍ରି, ଟେଣ୍ଡର ନିୟମକୁ ଅଣଦେଖା ପରି ଅନେକ ଅନିୟମିତତା ଓ ବହୁ ଦୁର୍ନୀତିକୁ ନେଇ ଚର୍ଚ୍ଚାରେ ରହିଛି ସୁନ୍ଦରଗଡ଼ ଜିଲ୍ଲା ଯୋଗାଣ ବିଭାଗ। ଏପରିକି ଓଭରଲୋଡିଂ ଓ ଚାଉଳ ବାଟମାରଣାର ହାତେ ହାତେ ପ୍ରମାଣ ରହିଛି। ଏବେ ସେଥିରେ ଯୋଡ଼ି ହୋଇଛି କିରାସିନି। ପ୍ରତି ମାସରେ ପ୍ରାୟ ୩ ଲକ୍ଷ ଲିଟରରୁ ଅଧିକ କିରାସିନ ବାଟମାରଣା ହେଉଥିବା ଅଭିଯୋଗ ଆସିଛି। ଏହି ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାରରୁ ମାସକୁ ୬୦ ଲକ୍ଷରୁ ଅଧିକ ଟଙ୍କା ଡିଲର, ସୁଲଭ ମୂଲ୍ୟ ଦୋକାନ ଓ ବାବୁମାନଙ୍କ ପକେଟରେ ପଶୁଛି। ସୁନ୍ଦରଗଡ଼ ଜିଲ୍ଲାରେ ଜାତୀୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ୪ ଲକ୍ଷ ୨୪ ହଜାର ୭୮୬ ପରିବାର ପାଇଁ ମାସକୁ ୫ ଲକ୍ଷ ୭୩ ହଜାର ୮୮୬ ଲିଟର ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ୯୬୧୨ ପରିବାର ପାଇଁ ୧୨୯୮୫ ଲିଟର କିରାସିନି ଆସୁଛି। ଜାତୀୟ ଓ ରାଜ୍ୟ ମିଶି ଜିଲ୍ଲାକୁ ପ୍ରତି ମାସରେ ୫ ଲକ୍ଷ ୮୬ ହଜାର ୮୭୧ ଲିଟର କିରାସିନି ଯୋଗାଇ ଦିଆଯାଉଛି। ଏଥିରୁ ପରିବାର ପିଛା ଦେଢ଼ ଲିଟର କିରାସିନି ଦେବା ବ୍ୟବସ୍ଥା ହୋଇଛି। ତେବେ ପ୍ରତି ମାସରେ ତାର ମୂଲ୍ୟ ବୃଦ୍ଧି ହେଉଥିବାରୁ ଦର ସ୍ଥିର ନୁହେଁ। ଗତ ନଭେମ୍ବରରେ ୪୩ ଟଙ୍କା ୮୦ ପଇସା ଥିବା ବେଳେ ଏବେ ତାହା ୫୫ ଟଙ୍କାରେ ପହଞ୍ଚିଛି । କିନ୍ତୁ ଜିଲ୍ଲାର ଅନେକ ଗାଁକୁ ବିଦ୍ୟୁତ ସଂଯୋଗ ହୋଇ ସାରିଥିବା ଓ ବହୁ ଘରେ ଗ୍ୟାକସ ଚୁଲ୍ଲା ବ୍ୟବହାର ହେଉଥିବାରୁ ଘର ପାଇଁ କିରାସିନି ଚାହିଦା କମିବାରେ ଲାଗିଛି। ପଞ୍ଚାୟତରେ ଥିବା ବହୁ ହିତାଧିକାରୀ କିରାସିନି ନେଉ ନଥିବା ଜଣାପଡ଼ିଛି। ଏହି ସୁଯୋଗରେ କିରାସିନିର କଳାବଜାର ବ୍ୟାପକ ହୋଇଛି। ଜିଲ୍ଲାର ଅଧିକୃତ ଡିଲର ଓ ସବଡିଲର୍ ପାଖରୁ ହିଁ କିରାସିନି ବାଟମାରଣା ହୋଇଯାଉଛି। କେବଳ କାଗଜପତ୍ରରେ ପଞ୍ଚାୟତକୁ କିରାସିନି ପହଞ୍ଚୁଥିବା ଓ ହିତାଧିକାରୀଙ୍କୁ ଦିଆଯାଉଥିବା ଦର୍ଶାଇ ମିଳିମିଶି ହଡ଼ପ କରାଯାଉଥିବା ଅଭିଯୋଗ ହେଉଛି। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାରେ ପ୍ରତି ମାସରେ ୫ ଲକ୍ଷ ୮୬ ହଜାର ଲିଟରରୁ ୩ ଲକ୍ଷ ଲିଟରରୁ ଅଧିକ କିରାସିନି ପଞ୍ଚାୟତ ପରିବର୍ତ୍ତେ ସିଧାସିଧା କଳାବଜାରକୁ ପଠାଇ ଦିଆଯାଉଛି। କଳାବଜାରରେ କିରାସିନିର ମୂଲ୍ୟ ୮୫ରୁ ୯୦ ଟଙ୍କା ରହିଛି। ଯୋଗାଣ ବିଭାଗ ଓ ଡିଲରର ଅସାଧୁ ମେଣ୍ଟ ୭୫ ଟଙ୍କାରେ କଳାବଜାରକୁ ଛାଡ଼ୁଛନ୍ତି। ପ୍ରତି ଲିଟର ପିଛା ୨୦ରୁ ୨୫ ଟଙ୍କା ଏହି ଅସାଧୁ ମେଣ୍ଟର ପକେଟରେ ପଶୁଛି। ଏହି ହିସାବରେ କିରାସିନିରୁ ପ୍ରତି ମାସରେ ଅତି କମ୍ରେ ୬୦ ଲକ୍ଷରୁ ଅଧିକ କଳା ଟଙ୍କା ବାବୁମାନେ ଖାଇ ଯାଉଛନ୍ତି। ଏହି ହାରରେ ବାର୍ଷିକ ୭ କୋଟି ଟଙ୍କା ହଡ଼ପ ହେଉଛି। ଗତ ନଭେମ୍ବର ମାସରେ ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ବାଲିଶଙ୍କରା ବ୍ଲକକୁ ୩୧୧୭୦ ଲିଟର, ବଡ଼ଗାଁ ବ୍ଲକକୁ ୨୪୪୮୨ ଲିଟର, ବୀରମିତ୍ରପୁର ପୌରପାଳିକାକୁ ୮୭୮୦ ଲିଟର, ବିଶ୍ରା ବ୍ଲକକୁ ୨୨୪୦୦ ଲିଟର, ବଣାଇଁ ବ୍ଲକକୁ ୨୧୪୭୬ ଲିଟର, ଗୁରୁଣ୍ଡିଆ ବ୍ଲକକୁ ୨୨୯୪୨ ଲିଟର ଆଲଟମେଣ୍ଟ ଦିଆଯାଇଥିଲା। ସେହିପରି ହେମଗିର ବ୍ଲକକୁ ୨୮୯୩୮ ଲିଟର, କୋଇଡ଼ା ବ୍ଲକକୁ ୨୪୯୯୬ ଲିଟର, କୁଆରମୁଣ୍ଡା ବ୍ଲକକୁ ୩୩୨୦୮ ଲିଟର, କୁତ୍ରା ବ୍ଲକକୁ ୨୬୩୬୭ ଲିଟର, ଲହୁଣିପଡ଼ା ବ୍ଲକକୁ ୩୧୨୬୭ ଲିଟର, ଲାଠିକଟା ବ୍ଲକକୁ ୩୫୧୩୩ ଲିଟର, ଲେଫ୍ରିପଡ଼ା ବ୍ଲକକୁ ୨୭୫୩୧ ଲିଟର, ନୂଆଗାଁ ବ୍ଲକକୁ ୩୫୩୮୧ ଲିଟର, ରାଜଗାଙ୍ଗପୁର ବ୍ଲକକୁ ୩୨୪୬୯ ଲିଟର, ରାଜଗାଙ୍ଗପୁର ପୌରପାଳିକାକୁ ୧୧୮୩୧ ଲିଟର, ରାଉରକେଲା ପୌରପାଳିକାକୁ ୯୧୮୨୬ ଲିଟର, ସବଡେଗା ବ୍ଲକକୁ ୨୨୨୧୫ ଲିଟର, ସୁନ୍ଦରଗଡ଼ ବ୍ଲକକୁ ୨୩୮୩୩ ଲିଟର, ସୁନ୍ଦରଗଡ଼ ପୌରପାଳିକାକୁ ୭୧୪୯ ଲିଟର ଓ ଟାଙ୍ଗରପାଲି ବ୍ଲକକୁ ୨୩୪୬୫ ଲିଟର ଆଲଟମେଣ୍ଟ ଆସିଥିଲା। କିନ୍ତୁ ପଞ୍ଚାୟତଗୁଡ଼ିକୁ ନାମକୁ ମାତ୍ର କିରାସିନି ପଠାଇ କାଗଜପତ୍ରରେ ସବୁ ବିକ୍ରି ଦର୍ଶାଇ ହଡ଼ପ କରି ନିଆଯାଇଥିବା ଅଭିଯୋଗ ହୋଇଛି। ପିଡିଏସ୍ ଚାଉଳ ମହାଦୁର୍ନୀତିରେ ପ୍ରଶାସନର ତଦନ୍ତ ପରେ ବି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ବିଭାଗର ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଠିକାଦାର ଗରିବଙ୍କ ଚାଉଳ, କିରାସିନି ପରି ଅତ୍ୟାବଶ୍ୟକ ସାମଗ୍ରୀ ବେଧଡ଼କ ବାଟମାରଣା କରିଚାଲିଛନ୍ତି। ଏବେ ଗ୍ରାମାଞ୍ଚଳର ଅଧିକାଂଶ ହିତାଧିକାରୀ କିରାସିନି ବ୍ୟବହାର କରୁ ନଥିବାରୁ ସରକାର ଏହାର ସୁଲଭ ମୂଲ୍ୟ ଯୋଗାଣ ବନ୍ଦ କରିବା ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର