କୋରାପୁଟ: ବାପାଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟଙ୍କୁ ଗୁପ୍ତଧନ ମିଳିଛି। ଏହା କାହାଣୀ ଭଳି ମନେ ହେଉଥିଲେ ମଧ୍ୟ ଏକ ସତ ଘଟଣା। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ବୋରିଗି ପଞ୍ଚାୟତ କେଲୁବାଡ଼ି ଗାଁରେ ଏହା ଘଟିଛି।

Advertisment

ମୃତ ସୀତାରାମ ମେଲେକା ଜୀବନସାରା କଷ୍ଟ ଉପାର୍ଜିତ ଟଙ୍କା ଓ ସୁନାକୁ ଗଛମୂଳରେ ମାଟି ତଳେ ପୋତି ରଖିଥିଲେ। ମୃତ୍ୟୁ ପୂର୍ବରୁ ପୁଅ-ବୋହୂ ଓ ନାତି-ନାତୁଣୀଙ୍କୁ ଡାକି ଏସମ୍ପର୍କରେ କହିଥିଲେ।

ତା’ପରେ ୭୦ ବର୍ଷୀୟ ସୀତାରାମ ମେଲେକାଙ୍କର ମୃତ୍ୟୁ ଘଟିଥିଲା। ବାପାଙ୍କ ଅନ୍ତିମ ସଂସ୍କାର ପରେ ପରିବାର ଲୋକେ ଗଛ ମୂଳରେ ମାଟି ଖୋଳି ୩୨ ହଜାର ଟଙ୍କା ଉଦ୍ଧାର କରିଛନ୍ତି। ଏବେ ମଧ୍ୟ ମାଟି ତଳେ ଥିବା ଅନ୍ୟ ସମ୍ପତ୍ତିର ଖୋଜା ଜାରି ରହିଛି।

ସୀତାରାମ ମେଲେକାଙ୍କର ଜମିବାଡ଼ି ବୋଲି କିଛି ନ ଥିଲା। ଅନ୍ୟର କାମଦାମ କରି ସେ ପରିବାର ଭରଣ ପୋଷଣ କରୁଥିଲେ। ସୀତାରାମଙ୍କ ପରିବାରରେ ୩ ପୁଅ, ଏକମାତ୍ର ଝିଅ ଏବଂ ସ୍ତ୍ରୀ ଥିଲେ। ସେ ଯାହା ରୋଜଗାର କରୁଥିଲେ, ସେଥିରେ  ପରିବାର ଚଳୁଥିଲା। ୩ ପୁଅ ଓ ଝିଅର ସେ ବାହାଘର କରାଇଥିଲେ। ।

ପିଲାମାନଙ୍କୁ ରୋଜଗାରକ୍ଷମ କରିବା ପରେ ସୀତାରାମ ପତ୍ନୀ ସମୀଙ୍କ ସହିତ ଘରଠାରୁ ୩ କିଲୋମିଟର ଦୂରରେ ଏକ କୁଡ଼ିଆ କରି ରହୁଥିଲେ। ପିଲାଙ୍କ ଉପରେ ନିର୍ଭର ନ କରି ନିଜେ ରୋଜଗାର କରୁଥିଲେ।

ଚଳିବା ପାଇଁ ଜଙ୍ଗଲ ଜମିରେ ବିରି, ମାଣ୍ଡିଆ ଓ ଧାନ ଚାଷ କରୁଥିଲେ। ଚାଷରୁ ଯାହା ଉପାର୍ଜନ ହେଉଥିଲା, ସେଥିରୁ କିଛି ବିକ୍ରି କରିଦେଉଥିଲେ ଓ ଆଉ କିଛି ଖାଇବାକୁ ରଖୁଥିଲେ। ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ପାଉଥିଲେ। 

ନିଜର ରୋଜଗାର ଟଙ୍କା ଓ ସୁନାକୁ ଭବିଷ୍ୟତ ପାଇଁ ଘର ପାଖରେ ଥିବା ଆମ୍ୱ ଗଛ ମୂଳରେ ଗାତ ଖୋଳି ପୋତି ଦେଇଥିଲେ। ବର୍ଷ ବର୍ଷ ଧରି ସେ ଏମିତି ଟଙ୍କା ପୋତି ଚାଲିଥିଲେ। ଖାସ୍‌ କରି ପିଲାଙ୍କ ଭବିଷ୍ୟତ ପାଇଁ।

‌ହଠାତ୍‌ ସୀତାରାମଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ପତ୍ନୀ ସମୀଙ୍କୁ ପାଖକୁ ଡାକି ଶେଷ ସମୟରେ ପୁଅ ବୋହୂ ଓ ନାତି ନାତୁଣୀଙ୍କୁ ଦେଖିବାକୁ ଚାହୁଁଛି ବୋଲି କହିଥିଲେ।

ସ୍ୱାମୀଙ୍କଠାରୁ ଏ କଥା ଶୁଣିବା ପରେ ସମୀ ପୁଅ ବୋହୂ ଓ ନାତି ନାତୁଣୀଙ୍କୁ ଡକାଇ ପଠାଇଥିଲେ। ଡାକରା ପାଇଁ ସେମାନେ ପହଞ୍ଚିଥିଲେ। ସୀତାରାମ ପୁଅ-ବୋହୂ ଓ ନାତି-ତାତୁଣୀଙ୍କୁ ନିଜର ଗଚ୍ଛିତ ଧନ ସମ୍ପତ୍ତି ସମ୍ପର୍କରେ ଅସ୍ପଷ୍ଟ ଭାବେ କହିଥିଲେ। ଘର ପାଖ ଆମ୍ୱ ଗଛ ମୂଳରେ ମାଟି ତଳେ ପ୍ରାୟ ୧ ଲକ୍ଷ ୧୦ ହଜାର ଟଙ୍କା ଓ ୧୧ ଗ୍ରାମ ୫୫୦ ମିଲି ଗ୍ରାମ ସୁନା ପୋତି ଥିବା ଅସ୍ପଷ୍ଟ ଭାବେ ସୀତାରାମ କହିଥିଲେ। ତା’ପରେ ତାଙ୍କର ପରଲୋକ ଘଟିଥିଲା। 

ସୀତାରାମଙ୍କ ଅନ୍ତିମ ସଂସ୍କାର ପରେ  ସମ୍ପତ୍ତି ଖୋଜା ଆରମ୍ଭ ହୋଇଥିଲା। ୩ ପୁଅ ଓ ସମ୍ପର୍କୀୟମାନେ ଘର ପାଖ ଆମ୍ୱ ଗଛ ମୂଳରେ ଖୋଳିବା ଆରମ୍ଭ କରିଥିଲେ।

ଅଧିକ ପଢ଼ନ୍ତୁ: ଚଢ଼ାଦରରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ: ରେଟ ଚାର୍ଟ ମାରିବାକୁ ତାଗିଦ୍

ମାଟି ଖୋଳିବା ବେଳେ ୩୨ ହଜାର ଟଙ୍କା ମିଳିଥିଲା। ଯେଉଁଥିରେ ନୂଆ ୫୦୦ ଟଙ୍କିଆ, ନୂଆ ଓ ପୁରୁଣା ୧୦୦ ଟଙ୍କିଆ, ୫୦ ଟଙ୍କିଆ, ୨୦ ଟଙ୍କିଆ ଓ ୧୦ ଟଙ୍କିଆ ନୋଟ୍‌ ରହିଛି। କେତେକ ନୋଟ୍‌ ନଷ୍ଟ ହୋଇଯାଇଛି।

ତେବେ ବାକି ଟଙ୍କା ଓ ସୁନା ମିଳିନି। ତେଣୁ ପରିବାର ଲୋକେ ଆମ୍ୱ ଗଛ ମୂଳରେ ଖୋଳିବାରେ ଲାଗିଛନ୍ତି।

ଅଧିକ ପଢ଼ନ୍ତୁ: ଘୁଷୁରିକୁ ଜିଅନ୍ତା ଖାଇବା ଘଟଣା: ଜଣେ ଗିରଫ