ଦୀର୍ଘ ତିନିବର୍ଷ ପରେ ପଞ୍ଚପାଇକ ସ୍ମାରକୀ ସ୍ଥାନାନ୍ତର କାମ ଆରମ୍ଭ

ଖୋର୍ଦ୍ଧା: ଖୋର୍ଦ୍ଧାର ପରିଚୟ ସାଜିଥିବା ଐତିହାସିକ ପାଇକ ବିଦ୍ରୋହର ଅଗ୍ରଜ ଜୟୀ ରାଜଗୁରୁ, ସେନାପତି ବକ୍ସି ଜଗବନ୍ଧୁ, ମାଧବ ରାଉତରାୟ, ପିଣ୍ଡିକି ବାହୁବଳେନ୍ଦ୍ର ଓ କୃତ୍ତିବାସ ପାଟ୍ଟଷାଣୀଙ୍କ ଅର୍ଦ୍ଧ ପ୍ରତିମୂର୍ତି ସ୍ଥାନାନ୍ତର ପାଇଁ ସ୍ଥାନ ମିଳୁନଥିଲା। ଦୀର୍ଘ ତିନିବର୍ଷ ଟଣାଓଟରା ପରେ ଆଜି ଏନେଇ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ପୂର୍ବାହ୍ନରେ ୧୬ ନମ୍ବର ଜାତୀୟ ରାଜପଥର ନିର୍ମାଣକାରୀ ଠିକା ସଂସ୍ଥା ଏଆଇପିଏଲ୍, ତହସିଲଦାର ଇପସିତ ସାହୁ ପ୍ରମୁଖ ଖୋର୍ଦ୍ଧାଗଡ଼ ଛକ ନିକଟସ୍ଥ ପଂଚପାଇକ ସ୍ମାରକୀ ନିକଟରେ ପହଂଚିଥିଲେ। ନିକଟରେ ଗଡ଼ଦ୍ୱାରା ଶ୍ମଶାନ ପାଇଁ ନିରୂପଣ କରାଯାଇଥିବା ସ୍ଥାନକୁ ମାଟି ଆଦି ଦେଇ ସମତଳ କରିବା ଆରମ୍ଭ କରିଥିଲେ। ତେବେ ଏନେଇ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ କହିଛନ୍ତି ଯେ ଜାତୀୟ ରାଜପଥର କଡ଼ରେ ୧୩୧ ନମ୍ବର ପ୍ଲଟଟି ଗଡ଼ଦ୍ୱାର ଶ୍ମଶାନର ସ୍ଥାନ ନୁହେଁ। ଏହାପଛକୁ ଶ୍ମଶାନ ପାଇଁ ସ୍ଥାନ ରେକର୍ଡଭୁକ୍ତ ହୋଇଛି। ଏଣୁ ୧୩୧ ନମ୍ବର ପ୍ଲଟର ଶ୍ମଶାନକୁ ରେକର୍ଡଭୁକ୍ତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ସେହି ପ୍ଲଟରେ ପଂଚ ପାଇକ ପ୍ରତିମୂର୍ତି ସ୍ଥାପିତ ହେବ।

ସୂଚନାଯୋଗ୍ୟ, ୧୬ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ ନିମନ୍ତେ ପଂଚପାଇକ ସ୍ମାରକୀ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଥିଲା। ଖୋର୍ଦ୍ଧା ସନ୍ନିକଟ ଓ ଜାତୀୟ ରାଜପଥ କଡ଼ର କୌଣସି ସ୍ଥାନକୁ ସ୍ଥାନାନ୍ତର କରିବାକୁ ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ ଓ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଦାବି ହୋଇଥିଲେ। କିନ୍ତୁ ନିର୍ଦ୍ଧାରିତ ସ୍ଥାନ ନିରୂପଣ କରିବାକୁ ପ୍ରଶାସନକୁ ପ୍ରାୟ ୩ବର୍ଷ ସମୟ ଲାଗିଯାଇଥିଲା। ଚଳିତ ମାସ ୪ ତାରିଖରେ ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ, ପୂର୍ବତନ ବିଧାୟକ ଦିଲିପ ଶ୍ରୀଚନ୍ଦନ, ତହସିଲଦାର, ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିଦେ୍ର୍ଦଶକ ହରିକୃଷ୍ଣ, ଏଆଇପିଏଲ୍ର ପ୍ରକଳ୍ପ ନିର୍ଦେଶ ରାମଚନ୍ଦ୍ରନ, ସ୍ଥାନୀୟ ୱାର୍ଡ କାଉନ୍ସିଲର ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଗଡ଼ ଖୋର୍ଦ୍ଧା ମୌଜାର ପ୍ଲଟ ନଂ ୧୩୧ରେ ନୂତନ ଭାବେ ସ୍ଥାପିତ ହୋଇଥିବା ଗଡଦ୍ୱାରା ଶ୍ମଶାନ ସ୍ଥାନରେ ସ୍ମାରକୀ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଶ୍ମଶାନ ନିକଟରେ ଏଭଳି ସ୍ମାରକୀ ସ୍ଥାପନକୁ ସ୍ଥାନୀୟ ବାସିନ୍ଦା ବିରୋଧ କରି ଚଳିତ ମାସ ୮ ତାରିଖରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ।

ସମ୍ବନ୍ଧିତ ଖବର