ରେଳମନ୍ତ୍ରୀଙ୍କ ଜନ ଆଶୀର୍ବାଦ ଯାତ୍ରା ପରେ, ଟ୍ରାକକୁ ଫେରିବ କି ରାୟଗଡ଼ା ବିଜେପି?

ରାୟଗଡ଼ା: ‌ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିକୁ ରାୟଗଡ଼ା ଜିଲ୍ଲାରେ ଟ୍ରାକକୁ ଆଣିବାକୁ ଆରମ୍ଭ ହୋଇଛି ପ୍ରୟାସ। ଗ୍ରାମାଞ୍ଚଳ ବୁଥସ୍ତରରେ ସଂଗଠନ ସଜାଡ଼ିବା, କର୍ମୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ହୋଇଛି ମାଷ୍ଟର ପ୍ଲାନ୍। ରାଜ୍ୟ ନେତୃବୃନ୍ଦଙ୍କ ସ୍ତରରେ ଦକ୍ଷିଣ ଓଡ଼ିଶାକୁ ଫୋକସ୍ କରି ଦଳ ଆରମ୍ଭ କରିଛି ଜନ ଆଶୀର୍ବାଦ ଯାତ୍ରା। ଯାହାର ଶୁଭାରମ୍ଭ ରାୟଗଡ଼‌ା ଗସ୍ତରେ ଆସି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କରିଛନ୍ତି। ରେଳମନ୍ତ୍ରୀଙ୍କ ଗସ୍ତ ପରେ ବିଜେପି ଶିବିରରେ ଉତ୍ସାହ ଭରିବା ସହ ସୁପ୍ତ ଅବସ୍ଥାରେ ଥିବା ବିଜେପି ସଂଗଠନ ଚଳଚଞ୍ଚଳ ହୋଇଛି। ଏକଦା କଂଗ୍ରେସର ଗଡ଼ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏବେ ବିଜେଡ଼ି ବିଜୟ ବାନା ଉଡ଼ାଇ ଆସଛି। ରାଜ୍ୟରେ କଂଗ୍ରେସକୁ ପଛରେ ପକାଇ ବିଜେପି ବିରୋଧୀ ଦଳ ଭାବେ ଉଭା ହୋଇଥିବାବେଳେ କେନ୍ଦ୍ରରେ ଶାସନ କ୍ଷମତାକୁ ହାତରେ ରଖିଛି। ଆଗାମୀ ପଞ୍ଚାୟତ-ପୌର-ବିଧାନସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ଭଲ ସ୍ଥିତିକୁ ଫେରିବା ପାଇଁ ଦଳ ପକ୍ଷରୁ ସ୍ବତନ୍ତ୍ର ଏଜେଣ୍ଡା ହୋଇଛି। ପଶ୍ଚିମ ଓଡ଼ିଶାରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବା ପରେ ତାହାର ପ୍ରଭାବ ୨୦୧୯ ସାଧାରଣ ନିର୍ବାଚନରେ ପଡିଥିଲା। ଦଳ ବିଧାନସଭା ସହ ଲୋକସଭା ଆସନକୁ ଅକ୍ତିଆର କରିଥିଲା। ଖଣିଜ ସଂପଦରେ ପରିପୂର୍ଣ୍ଣ ଅବିଭକ୍ତ କୋରାପୁଟ ଜିଲ୍ଲାରେ ମଧ୍ୟ ବିଜେପି ଆଗାମୀ ପଞ୍ଚାୟତ ନିର୍ବାଚନରେ ସ୍ଥିତି ସୁଦୃଢ଼ କରିବାକୁ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କରିଛି।

ତାହା ପୁଣି କେନ୍ଦ୍ର ମନ୍ତ୍ରୀ ତଥା ମୋଦି କ୍ୟାବିନେଟର ମୋଷ୍ଟ୍ ପାୱାର ଫୁଲ ରେଳ ବିଭାଗର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଜରିଆରେ। ଗତ ୨୦ରୁ ୨୨ ପର୍ଯ୍ୟନ୍ତ ୩ ଦିନ ଧରି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଜିଲ୍ଲାକୁ ଦଳୀୟ କାର୍ଯ୍ୟକ୍ରମରେ ଆସି ରୋଡ୍ ସୋ, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ, କର୍ମୀ ସମ୍ମିଳନୀରେ ଯୋଗଦେବା ସହ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି। ଯାହା ୩ ଜିଲ୍ଲାରେ ବିଜେପି ସଂଗଠନକୁ ଜୀବନ୍ୟାସ ଦେଇଛି। ସାଧାରଣ ନିର୍ବାଚନ ପରେ ଦଳୀୟ ପ୍ରାର୍ଥୀ, ନିର୍ବାଚନ ପରିଚାଳନା କରୁଥିବା ନେତା ଓ କର୍ମୀ ଚୁପଚାପ ଥିବାରୁ ପୁଣି ଥରେ ମନରେ ଜୋସ୍ ଭରି ସଂଗଠନ ସଜାଡ଼ିବା ପାଇଁ ତୃଣମୂଳସ୍ତରକୁ ଯିବା ପାଇଁ ଅଶ୍ବିନୀ ଗୁରୁମନ୍ତ୍ର ଦେଇଛନ୍ତି। ଯାହା ବିଜେପି ସଂଗଠନ ପାଇଁ ସଞ୍ଜୀବନୀ ସଦୃଶ୍ୟ ହୋଇଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଅବିଭକ୍ତ କୋରାପୁଟର ୪ ଜିଲ୍ଲା ମଧ୍ୟରୁ କେବଳ ମାଲକାନଗିରିରେ ବିଜେପି ଜିଲ୍ଲା ପରିଷଦ ହାତେଇଛି। ରାୟଗଡ଼ାର ୨୨ ଆସନରୁ ୪ଟିରେ, କୋରାପୁଟର ୨୯ ଆସନରୁ ଗୋଟିଏରେ ଏବଂ ନବରଙ୍ଗପୁରର ୨୭ ଆସନରୁ ଦଳ ବିଜୟୀ ହୋଇଥିଲା।

ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ଦଳ କେବଳ ମାଲକାନଗିରି ବିଧାନସଭା ଆସନରେ ଦଳ ବିଜୟୀ ହୋଇଛି। ରାୟଗଡ଼ା ଜିଲ୍ଲାର ସଂଗଠନ ସ୍ଥିତିକୁ ବିଚାରକୁ ନେଲେ ବିଜେପି ଶିବିରରେ ବହୁ ଅଭିଜ୍ଞ ନେତା ରହିଛନ୍ତି। ଯାହାର ଦବଦବା ଗତ ୩୦ ବର୍ଷ ଧରି ଅବିଭକ୍ତ କୋରାପୁଟ ରାଜନୀତିରେ ପ୍ରତିଫଳିତ ହୋଇଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କୋରାପୁଟ ଲୋକସଭା ଆସନରୁ ୯ ଥର କଂଗ୍ରେସ ଟିକେଟରେ ସଂସଦକୁ ନିର୍ବାଚିତ ହୋଇଥିବା ଗିରୀଧର ଗମାଙ୍ଗ କଂଗ୍ରେସ ଛାଡ଼ି ଏବେ ବିଜେପିରେ। ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶରେ ଗିରୀଧରଙ୍କ ଉଦ୍ୟମ କିଛି କମ୍ ନୁହେଁ। ସେହିପରି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ କୋରାପୁଟ ଲୋକସଭା ସାଂସଦ ବରିଷ୍ଠ ଆଦିବାସୀ ନେତା ଜୟରାମ ପାଙ୍ଗୀ ମଧ୍ୟ ବିଜେଡ଼ି ଛାଡ଼ି ଏବେ ବିଜେପି ଶିବିରରେ। ଗିରୀଧର, ପାଙ୍ଗୀଙ୍କୁ ଛାଡ଼ିଲେ ଦଳରେ ବହୁ ଜିଲ୍ଲା ଓ ତୃଣମୂଳସ୍ତରର ନେତା ଅଛନ୍ତି। ଯେଉଁମାନେ ଗୋଷ୍ଠୀ କନ୍ଦଳ ପାଇଁ ବିଜେଡ଼ି, କଂଗ୍ରେସ ଛାଡ଼ି ବିଜେପି ମୁହାଁ ହୋଇଛନ୍ତି। ଯାହାଙ୍କ ନେତୃତ୍ବ ଓ ଭରସାରେ ଦଳ ଆଗାମୀ ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛି।

ସମ୍ବନ୍ଧିତ ଖବର