ମାଲକାନଗିରିରେ କରୋନା କଟକଣା ବଢିଲା: ୫ରୁ ପୁଣି କର୍ଫ୍ୟୁ ଆରମ୍ଭ, ପୁଲିସ ଓ ପ୍ରଶାସନର ଯାଞ୍ଚ କଡାକଡି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କରୋନା କଟକଣା ପୁଣି ବଢିଲା। ଆସନ୍ତା ୫ ତାରିଖରୁ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହେବାକୁ ଯାଉଛି।ଆସନ୍ତା ୫ ତାରିଖ ଠାରୁ ରାତି ୧୦ରୁ ସକାଳ ୫ ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି କୁହାଯାଇଛି। ଏହି ଅନିର୍ଦ୍ଧିଷ୍ଟ କାଳ ପାଇଁ ରହିବ ବୋଲି ଜଣାପଡିଛି। ମାଲକାନଗିରି ଜିଲ୍ଲାକୁ ତେଲେଙ୍ଗାନା, ଆନ୍ଧ୍ର ଏବଂ ଛତିଶଗଡ ଲାଗି ରହିଥିବାରୁ ଓଡିଶା ଭିତରକୁ ପ୍ରବେଶ ପଥରେ କଡା ଯାଞ୍ଚ ଚାଲିଛି। ପୁଲିସ ଏବଂ ପ୍ରଶାସନ ତରଫରୁ ମୁହଁରେ ମାସ୍କ ପିନ୍ଧିବା ନେଇ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ ଏଥିରେ ଅବମାନନା କରୁଥିବା ଲୋକଙ୍କୁ ଜବରଦସ୍ତ ଜୋରିମାନା ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି।

ଛତିଶଗଡ ସୀମାନ୍ତ ଚାଲାଣଗୁଡା ଠାରେ ପୁଲିସ ରାସ୍ତା ଅବରୋଧ କରି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି। ଛତିଶଗଡ ପଟରୁ ଆସୁଥିବା ସମସ୍ତ ଗାଡିକୁ ଯା଼ଞ୍ଚ କରାଯାଉଛି। ଲୋକମାନେ କେଉଁଠାରୁ ଆସିଲେ, କେଉଁଠାକୁ ଯାଉଛନ୍ତି ଇତ୍ୟାଦି ଲିପିବଦ୍ଧ କରାଯାଉଛି। କୌଣସି ଢିଲା ଛଡାଯାଉ ନାହିଁ। ଆଜି ଜିଲ୍ଲାରେ ଦୁଇଟି କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହାକୁ ଗମ୍ଭୀରତାର ସହ ନେଇଛି ପ୍ରଶାସନ। ଲୋକେ ସଚେତନ ହେଲେ ହିଁ ଏହି ରୋଗକୁ ପୁଣି କାବୁ କରାଯାଇପାରିବ ବୋଲି କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୫ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ଏହି ରୋଗ କାବୁ କରିଥିବା ବେଳେ ସେଥିରୁ ମାତ୍ର ୨୫ ଜଣ ହିଁ ମୃତ୍ୟୁବରଣ କରିଥିଲେ। ତେବେ ଦ୍ବିତୀୟ ପର୍ଯ୍ୟାୟରେ ପୁଣି ଏହି ରୋଗ ମାରାତ୍ମକ ହୋଇ ଆସୁଥିବାରୁ ଏହାକୁ ରୋକ ଲଗାଇବା ପାଇଁ ସମସ୍ତ ନିୟମକୁ ମାନିବାକୁ ପଡିବ ବୋଲି କୁହାଯାଇଛି।

Sambad

ସୀମାନ୍ତ ମୋଟୁ ଠାରେ ମଧ୍ୟ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶ ପଟରୁ ଆସୁଥିବା ଲୋକଙ୍କୁ ଯାଞ୍ଚ କରାଯାଉଛି। ଜିଲ୍ଲାରେ କରୋନା ପରୀକ୍ଷା ପୁଣି ଆରମ୍ଭ କରାଯାଇଛି। ପଡୋଶୀ ତିନି ରାଜ୍ୟରେ କରୋନାର ପ୍ରକୋପ ବେଶୀ ରହିଥିବାରୁ ସେପଟରୁ ଆସୁଥିବା ଲୋକଙ୍କୁ କରୋନା ପରୀକ୍ଷା କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ମୁହଁରେ ମାସ୍କ ଏବଂ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ରାତିରେ କର୍ଫ୍ୟୁ ହେବା ଫଳରେ ରାତିରେ କୌଣସି ହଲଚଲକୁ ବରଦାସ୍ତ କରାଯିବ ନାହିଁ ବୋଲି କୁହାଯାଇଛି। କେବଳ ଅତ୍ୟାବଶକୀୟ ଜିନିଷ ପାଇଁ ହିଁ ଛଡା ଯାଇପାରିବା ବୋଲି କୁହାଯାଇଛି।

ମାଲକାନଗିରି ପୁଲିସ ତରଫରୁ ସୀମାନ୍ତରେ ଯାଞ୍ଚ ସହ ସହରରେ ମଧ୍ୟ ଯାଞ୍ଚକୁ କଡାକଡି କରିଛି।ସେହିପରି ମାଲକାନଗିରି ତହସିଲ ପକ୍ଷରୁ ମଧ୍ୟ ଡାକବାଜି ଯନ୍ତ୍ର ଏବଂ ସହରର ଛକ ଜାଗାମାନଙ୍କରେ ଠିଆ ହୋଇ ପ୍ରଚାର କରାଯାଉଛି। ଲୋକେ ସଚେତନ ନହେଲେ ପୁଣି ଜିଲ୍ଲାକୁ କରୋନା ଫେରିବ ଏବଂ ଏଥର ସ୍ଥିତି ଗମ୍ଭୀର ହେବ ବୋଲି ଚେତାବନୀ ଦିଆଯାଇଛି। ତେଣୁ ଲୋକଙ୍କୁ କୌଣସି ସ୍ଥାନରେ ଭିଡ ନକରି ସାମାଜିକ ଦୂରତାକୁ ରକ୍ଷା କରିବା ପାଇଁ କୁହାଯାଇଛି। ଯାନିଯାତ୍ରା, ମହୋତ୍ସବ, ମେଳା ଇତ୍ୟାଦିକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି। ତେବେ ଆଗାମୀ ଦିନରେ କରୋନା ଜିଲ୍ଲାରେ କି ପ୍ରଭାବ ପକାଉଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର