ସମ୍ବଲପୁର: ବର୍ଷା ଆରମ୍ଭ ହେବା ପରେ ପୁଣି ଲକ୍ଷ୍ମୀଡୁଂଗୁରିରୁ ଅତଡ଼ା ଖସିବା ଆରମ୍ଭ ହେଲାଣି। ଗତକାଲି ରାତିରେ ଛୋଟ ମାଟି ଅତଡ଼ା ଖସିଥିଲା। ହେଲେ, ଏଥିରେ କାହାର କିଛି କ୍ଷତି ହୋଇନାହିଁ। ପୂର୍ବବର୍ଷ ଭଳି ଏଥର ମଧ୍ୟ ଜାତୀୟ ରାଜପଥର ଲକ୍ଷ୍ମୀଡୁଂଗୁରି ପାର୍ଶ୍ବ ରାସ୍ତା ବନ୍ଦ କରିଦିଆଯାଇଛି। ମହାନଦୀ ବ୍ରିଜ୍ ଆରମ୍ଭରେ ଏବଂ ଦୁର୍ଗାପାଲି ରାସ୍ତାର ସଂଯୋଗସ୍ଥଳ ନିକଟରେ ରାସ୍ତା ବନ୍ଦ କରାଯାଇଥିବା ଜଣାପଡ଼ିଛି।

Advertisment

ଉଲ୍ଲେଖଯୋଗ୍ୟ ଯେ, ବହୁ ପ୍ରତୀକ୍ଷିତ ଲକ୍ଷ୍ମୀଡୁଂଗୁରି ଟନେଲ୍ ନିର୍ମାଣ ଶୀଘ୍ର ଆରମ୍ଭ ହେବା ଦିଶୁ ନାହିଁ। ଗତ ବର୍ଷ ଏହି ପ୍ରକଳ୍ପକୁ କେନ୍ଦ୍ର ସରକାର ସବୁଜ ସଂକେତ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ନିମନ୍ତେ ୩୭ କୋଟି ଟଙ୍କା ମଂଜୁର କରାଯାଇଛି। ଗତ ବର୍ଷ ନଭେମ୍ବର ମାସରେ ‌ଟନେଲ୍‌ର ଡିଜାଇନ୍ ପ୍ରସ୍ତୁତ ପାଇଁ ଭୁବନେଶ୍ବର ଆଇଆଇଟିକୁ ଦାୟିତ୍ବ ଦିଆଯାଇଥିଲା। ଇତିମଧ୍ୟରେ ଆଇଆଇଟି ଟିମ୍ ସମ୍ବଲପୁର ଆସି ଅନେକ ଥର ଉକ୍ତ ଅଂଚଳ ନିରୀକ୍ଷଣ କରିସାରିଛନ୍ତି। ତଥାପି, ଏପର୍ଯ୍ୟନ୍ତ ଡିଜାଇନ୍ ପ୍ରସ୍ତୁତ ହୋଇପାରି ନାହିଁ। ଉଲ୍ଲେଖଯୋଗ୍ୟ ଯେ, ବର୍ଷାଋତୁରେ ଲକ୍ଷ୍ମୀଡୁଂଗୁରିରୁ ଅତଡ଼ା ସାଧାରଣ ଘଟଣା ହୋଇଯାଇଛି। ସାମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଜାତୀୟ ରାଜପଥର ଲକ୍ଷ୍ମୀଡୁଂଗୁରି ପାର୍ଶ୍ବରେ ଯାତାୟାତ ବନ୍ଦ କରାଯାଇଛି। ବ୍ୟସ୍ତତମ ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ବରେ ଯାନବାହନ ଯାତାୟାତ କରୁଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏଥିରେ ଅନେକ ଲୋକ ମୃତାହତ ହେ‌ଉଛନ୍ତି। ଜାତୀୟ ରାଜପଥ ନିର୍ମାଣ ସମୟରୁ ଏଠାରେ ଏକ ଟନେଲ୍ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା। ବଳବନ୍ତ ସିଂ ଏଠାରେ ଜିଲ୍ଲାପାଳ ଥିବା ସମୟରେ ପ୍ରୟାସ ଆରମ୍ଭ ହୋଇଥିଲା। ତାଙ୍କ ପରେ ଜିଲ୍ଲାପାଳ ଦାୟିତ୍ବ ତୁଳାଇଥିବା ସମର୍ଥ ବର୍ମା ମଧ୍ୟ ଆରମ୍ଭ କରିଥିଲେ। ବହୁ ବର୍ଷ ଧରି ଏହି ପ୍ରକଳ୍ପ ଶୀତଳଭଣ୍ଡାରରେ ପଡ଼ି ରହିଥିଲା।