ପୁଣି ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଉପେକ୍ଷା

ପୁନଃ ବିଚାର କରିବାକୁ ଦାବି କଲେ ବିଧାୟକ

ଜୟପୁର: ଏକକ ବିଶ୍ବବିଦ୍ୟାଳୟ ମାନ୍ୟତାରୁ ପୁଣି ବଂଚିତ ହେଲା ଅଭିବକ୍ତ କୋରାପୁଟ ଜିଲ୍ଲାର ତଥା ଦକ୍ଷିଣ ଓଡିଶାର ସର୍ବପୁରାତନ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ। ରାଜ୍ୟ ସରକାର ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରିଛନ୍ତି। ଖଲ୍ଲିକୋଟକୁ ମାନ୍ୟତାକୁ ସ୍ବାଗତ, ତେବେ ବିକ୍ରମ ଦେବ ମହାବିଦ୍ୟାଳୟକୁ ଉପେକ୍ଷା କରାଯାଇଛି ବୋଲି ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରୀୟା ଆରମ୍ଭ ହୋଇଛି। ପଂଚମ ଅଧିସୂଚିତ ଅଂଚଳରେ ଥିବା ଏହି କଲେଜକୁ ଏଭଳି ମାନ୍ୟତାରୁ ବଂଚିତ କରିବା ଠିକ୍ ନୁହେଁ ବୋଲି ବିଧାୟକ ତାରା ପ୍ରସାଦ ବାହିନୀପତି ରାଜ୍ୟ ସରକାରଙ୍କୁ ଚିଠି କରି ଅବଗତ କରିବା ସହ ଟୁଇଟ୍‌ କରିଛନ୍ତି। ଅଭିବକ୍ତ କୋରାପୁଟ ଜିଲ୍ଲାର ପିଲା ମାନେ ଏହି ମହାବିଦ୍ୟାଳୟ ଉପରେ ନିର୍ଭର। ଏଜୁକେସନ୍ ହବ୍ ଭାବେ ଜୟପୁର ପରିଚିତ। ଏଠାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ଦିନ ମଜୁରିଆ, ଖଟିଖିଆ ତଥା ଗରିବ ଶ୍ରେଣୀର ଲୋକଙ୍କ ପିଲା ମାନେ ପାଠ ପଢ଼ୁଛନ୍ତି।

ଏମାନେ ଉଚ୍ଚ ଶିକ୍ଷା ପାଇଁ ଏହାକୁ ଏକକ ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ଜରୁରୀ ଥିଲା ବୋଲି ବିଧାୟକ ଦାବି କରିଛନ୍ତି। ଜୟପୁରରୁ ବ୍ରହ୍ମପୁର ୪ଶହ ଏବଂ ଭୁବନେଶ୍ବର ସାଢ଼େ ୫ଶହ କିଲୋ ମିଟର ଦୂର। ସେଠାରେ ଥିବା ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଉଚ୍ଚଶିକ୍ଷା ପଢ଼ିବାକୁ ଯିବା ପାଇଁ ଏହି ପିଲା ମାନଙ୍କର ସମ୍ବଳ ଅଭାବ। ଏନେଇ ସେ ବାରମ୍ବାର ବିଧାନସଭାରେ ପ୍ରଶ୍ନ ଉଠାଇବା ପରେ ଦାବି ପୁରଣ ହୋଇନି। ତେଣୁ ରାଜ୍ୟ ସରକାର ପୁନଃ ବିଚାର କରି ସାମିଲ କରିବାକୁ ଦାବି କରିଛନ୍ତି ବିଧାୟକ। ନଚେତ ସେ ଆନ୍ଦୋଳନ କରିବେ ଏବଂ ଏଥି ପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି କହିଛନ୍ତି ବିଧାୟକ। ଖଲ୍ଲିକୋଟରେ ହେବା ସ୍ବାଗତଯୋଗ୍ୟ, ତା ସହ ସର୍ବପୁରାତନ ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବି ସାମିଲ୍ କରାଯିବାର ଆବଶ୍ୟକତା‌ ରହିଛି ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଓ ଡଃ. ଇନ୍ଦିରା ନନ୍ଦ। ବିକ୍ରମ ଦେବ ମହାବିଦ୍ୟାଳୟରେ ଏହା କରାଗଲେ ଏଠାକାର ବିଭିନ୍ନ ବର୍ଗର ଗରିବ ପିଲା ମାନେ ଉଚ୍ଚଶିକ୍ଷା ପାଇ ପାରିବେ ବୋଲି କହିଛନ୍ତି। ଉଭୟ ରାଜ୍ୟସରକାରଙ୍କ ଦୃଷ୍ଟି ଆକର୍ଷଣ କରି କିଭଳି ଏହାର ମାନ୍ୟତା ପାଇବ ସେ ଦିଗରେ ପ୍ରୟାସକରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର