ଖୋଲା ଆକାଶତଳେ ଚାଲିଛି ପ୍ରାଥମିକ ଶିକ୍ଷାର ଏନ୍ତୁଡ଼ିଶାଳ

୩୬୯ କେନ୍ଦ୍ର ଅଧାପନ୍ତରିଆ, ୨୮୭ କେନ୍ଦ୍ରକୁ ମିଳୁନି ଅନୁଦାନ

ରାୟଗଡ଼ା: ଜିଲ୍ଲାର ୬୫୬ ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ବ କୋଠା। ୩୬୯ କେନ୍ଦ୍ରର ନିର୍ମାଣଧୀନ ଅଛି। ବର୍ଷବର୍ଷ ଧରି ନିର୍ମାଣ ସରୁନଥିବାରୁ ଅଧାପନ୍ତରିଆ ହୋଇ ପଡିଛି। ଅନୁଦାନ ଅଭାବରୁ ୨୮୭ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନି। ଫଳରେ ଗଛମୂଳରେ, ଭଡ଼ା ଘରେ, ସ୍କୁଲ ଘରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ଫଳରେ ୦ରୁ ୫ ବର୍ଷ ପିଲାଙ୍କ ଶିକ୍ଷା-ସ୍ବାସ୍ଥ୍ୟ-ପୁଷ୍ଟିସାଧନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଅଙ୍ଗନବାଡ଼ି କେନ୍ଦ୍ର ଗଛମୂଳେ, ଭଡ଼ା ଘରେ, ସ୍କୁଲ ଘରେ ଚାଲିଛି। ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା କ୍ଷେତ୍ରରେ ଅଙ୍ଗନବାଡ଼ି କେନ୍ଦ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

ପ୍ରତି ମାସରେ ମମତା ଦିବସ ପାଳନ ସହ ଗର୍ଭବତୀଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ, ଜନ୍ମରୁ ୫ ବର୍ଷର ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ୨ରୁ ୫ ବର୍ଷ ଶିଶୁଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ, ଅପପୁଷ୍ଟି ଦୂର ଭଳି ଅନେକ କାମ ଅଙ୍ଗନବାଡ଼ି କେନ୍ଦ୍ର ଦ୍ବାରା ସରକାର ପରିଚାଳନା କରୁଛନ୍ତି। କିନ୍ତୁ ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଲକରେ ଥିବା ୨୦୫୯ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୬୫୬ କେନ୍ଦ୍ର ବିନା ଗୃହରେ ପରିଚାଳନା ହେଉଛି। ୧୭୭୨ କେନ୍ଦ୍ରର ନିଜସ୍ବ କୋଠା ନିର୍ମାଣ ପାଇଁ ସରକାର ଅନୁମୋଦନ କରି ଅନୁଦାନ ଯୋଗାଇ ଦେଇଛନ୍ତି। ସେଥି ମଧ୍ୟରୁ ୧୪୦୩ କେନ୍ଦ୍ର ନିର୍ମାଣ ଶେଷ ହୋଇଛି। ୩୬୯ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡିଛି। ବିଷମକଟକ ବ୍ଲକ‌ର ୨୭, ଚନ୍ଦ୍ରପୁରର ୨୦, ଗୁଡାରିର ୧୦, ଗୁଣପୁରର ୪୪, କଲ୍ୟାଣସିଂହପୁରର ୩୦, କାଶୀପୁରର ୮୨, କୋଲନରାର ୨୭, ମୁନିଗୁଡ଼ାର ୧୭, ପଦ୍ମପୁରର ୧୫, ରାମନାଗୁଡ଼ାର ୩୩, ରାୟଗଡ଼ାର ୬୪ ଅଙ୍ଗନବାଡ଼ି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାରୁ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ପରିଚାଳନାରେ ଅଙ୍ଗନବାଡ଼ିକର୍ମୀ, ସୁପରଭାଇଜର ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କେନ୍ଦ୍ର ନିର୍ମାଣରେ ଅନୁଦାନ ବାଧକ ସାଜିବା ପରେ ସରକାର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨ ଲକ୍ଷ ଏବଂ ମନରେଗା ଯୋଜନାରେ ୫ ଲକ୍ଷ ଖର୍ଚ୍ଚ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ମନରେଗା ଯୋଜନାରେ କାମ କରୁଥିବା ଶ୍ରମିକଙ୍କୁ ରାୟଗଡ଼ା ଜିଲ୍ଲାରେ ମାସ ମାସ ଧରି ମଜୁରି ମିଳୁନଥିବାରୁ ଯୋଜନାରେ କାମ କରିବାକୁ ହିତାଧିକାରୀ ଆଗ୍ରହ ପ୍ରକାଶ କରୁନାହାନ୍ତି। ଫଳରେ କେନ୍ଦ୍ର ନିର୍ମାଣ କଚ୍ଛପ ଗତିରେ ଚାଲିଛି। କେନ୍ଦ୍ର ନିର୍ମାଣ ତ୍ବରାନିତ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରତି ମାସରେ ସମୀକ୍ଷା ବୈଠକ ହେଉଥିବା ସତ୍ତ୍ବେ ବିଶେଷ ଅଗ୍ରଗତି ହେଉନଥିବା ଜଣା ପଡିଛି। ଅନ୍ୟପକ୍ଷରେ ଅପପୁଷ୍ଟି ରୋକିବାକୁ ନୂତନ ଭାବେ ଜିଲ୍ଲାରେ ଖୋଲିଥିବା ୧୧୨ ଅଙ୍ଗନବାଡ଼ି କେନ୍ଦ୍ରକୁ ମିଶାଇ ମୋଟ ୨୮୭ କେନ୍ଦ୍ରର ନିର୍ମାଣ ପାଇଁ ବାରମ୍ବାର ନିବେଦନ ସତ୍ତ୍ବେ ଅନୁଦାନ ମିଳିପାରୁନି। ଫଳରେ ବିଷମକଟକ ବ୍ଲକର ୧୨, ଚନ୍ଦ୍ରପୁରର ୧୨, ଗୁଡାରିର ୨୨, ଗୁଣପୁରର ୨୬, କଲ୍ୟାଣସିଂହପୁରର ୧୨, କାଶୀପୁରର ୯୨, କୋଲନରାର ୧୨, ମୁନିଗୁଡ଼ାର ୨୦, ପଦ୍ମପୁରର ୧୭, ରାମନାଗୁଡ଼ାର ୧୭, ରାୟଗଡ଼ାର ୪୫ ଅଙ୍ଗନବାଡ଼ି କେନ୍ଦ୍ର ଗାଁରେ ଥିବା କମ୍ୟୁନିଟ ହଲ, ଭଡ଼ା ଘର, ସ୍କୁଲ ଅତିରିକ୍ତ ଶ୍ରେଣୀଗୃହରେ ଚାଲିଛି। କାଶୀପୁର ବ୍ଲକର କିଛି କେନ୍ଦ୍ର ଭଡ଼ା ଘରେ ଚାଲିଛି।

ସମ୍ବନ୍ଧିତ ଖବର