ରାୟଗଡ଼ା: ଗୁଡାରୀ ବ୍ଲକର ବିଡିଓଙ୍କୁ ନେଇ ବିବାଦ ଥମିବାର ନାମ ନେଉ ନାହିଁ। ଲୋକ ପ୍ରତିନିଧିମାନଙ୍କୁ ଉପେକ୍ଷା କରିବା, କୌଣସି ଉନ୍ନୟନ ମୂଳକ କାର୍ଯ୍ୟରେ ଲୋକ ପ୍ରତିନିଧିଙ୍କୁ ସାମିଲ ନକରିବା ଏବଂ ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ଉପେକ୍ଷା କରିବାକୁ ନେଇ ଲୋକପ୍ରତିନିଧିମାନେ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବୁଧବାର ଠାରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଗୁଡାରି ବିଡିଓଙ୍କର ବଦଳି ନହେବା ପର୍ଯ୍ୟନ୍ତ ଧରଣା ଦିଆଯିବ ବୋଲି ବ୍ଲକ ଅଧ୍ୟକ୍ଷା ପ୍ରକାଶ କରିଛନ୍ତି।
ଗତ ୨୧ ତାରିଖରେ ଲିଖିତ ଅଭିଯୋଗ କରାଯାଇଥିବା ଯେ ଦାବି ପୂରମ ନହେଲେ ୨୮ ତାରିଖରୁ ଆନ୍ଦୋଳନ ନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କର୍ଣ୍ଣପାତ ନକରିବା ବିଡିଓଙ୍କୁ ସମର୍ଥନ କରୁଥିବା ସଂଦେହ ସୃଷ୍ଟି ହୋଇଛି। ବାରମ୍ବାର ଲୋକ ପ୍ରତିନିଧି ବିଡିଓଙ୍କ ବିରୋଧରେ ଅଭିଯୋଗ କରିବା ପରେ ମଧ୍ୟ ଏହାର ତଦନ୍ତ ନହେବା ଦୁଃଖର ବିଷୟ ବୋଲି ଲୋକ ପ୍ରତିନିଧିମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି।
ପ୍ରକାଶ ଥାଉକି ଗତ ଜାନୁଆରି ୧୧ ତାରିଖରେ ପ୍ରଥମେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ଏହାର ତଦନ୍ତ ପାଇଁ ଜିଲ୍ଲାପରିଷଦ ପତ୍ର ସଂଖ୍ୟା ୧୩୨୯/୨୪,ତାରିଖ-୧୩.୨.୨୪ରେ ଅଭିଯୋଗର ସତ୍ୟାସତ୍ୟ ଏବଂ ଅନୁସନ୍ଧାନ ପାଇଁ ୧୬ ଫେବ୍ରୁଆରି ଦିନ ଧାର୍ଯ୍ୟ କରାଯାଇଥିଲା। ଏହି ଦିନ ସମସ୍ତ ଲୋକ ପ୍ରତିନିଧି ଆସିଥିବା ବେଳେ ଜିଲ୍ଲା ପରିଷଦ ସିଡିଓ ସେହି ଦିନ ଗୁଡାରି ପହଞ୍ଚିଲେ ନାହିଁ, ଯାହାଫଳରେ ଲୋକ ପ୍ରତିନିଧିମାନେ ନଖଇ ନପିଇ ଅପେକ୍ଷା କରି ଘରକୁ ଫେରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ସେହି ଦିନ ଜିଲ୍ଲା ପ୍ରଶାସନ ତରଫରୁ ଅଧିକାରୀ ଆସିନଥିବା ଅଭିଯୋଗ କରାଯାଇଥିଲା।ଏପରିକି ଶୁଣାଣୀର ବାତିଲ ସଂପର୍କରେ ମଧ୍ୟ କୌଣସି ଲୋକ ପ୍ରତିନିଧିଙ୍କୁ ଅବଗତ କରିଲେ ନାହିଁ।ଏହି ଘଟଣାରେ ରାଜନୈତିକ ଚାଲ ରହିଥିବା ଲୋକ ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି। ବିଡିଓ ନିଜେ ହିଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ହୋଇଛନ୍ତି। କନିଷ୍ଠ ଯନ୍ତ୍ରୀଙ୍କୁ ନିଜେ କାମଗୁଡିକର ଆବଣ୍ଟନ କରି କାମ ଚଳାଉଛନ୍ତି। ଗ୍ରାମାଞ୍ଚଳର ବାସ୍ତବ ସମସ୍ୟା ଉପରେ କୌଣସି ଗୁରୁତ୍ବ ଦେଉନାହାନ୍ତି ବୋଲି ଅଭିଯୋଗ କରାଯଆଇଛି। ଲୋକ ପ୍ରତିନିଧିଙ୍କୁ ଅଣଦେଖା କରିବା ଅର୍ଥାତ ଜନସାଧାରଣଙ୍କୁ ଅପମାନ କରିବା ଭଳି କାମ କରୁଥିବା କୁହାଯାଇଛି।ଯେତେ ଦିନ ପର୍ଯ୍ୟନ୍ତ ବିଡିଓଙ୍କୁ ବଦଳି କରାନଯାଏ, ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି।ତେବେ ଏନେଇ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା।