ଖଣି ମାଫିଆଙ୍କ ବିରୋଧରେ ଆଦିବାସୀଙ୍କ ବିକ୍ଷୋଭ 

ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଂଚଳରେ ଖଣି ମାଫିଆଙ୍କ ଦ୍ୱାରା ଘରୋଇ ଜମି ଠାରୁ ଆରମ୍ଭ କରି ଶ୍ମଶାନ ଜମିରେ ବେଆଇନ ଖନନ ନେଇ ଅନେକ ଅଭିଯୋଗ ହୋଇଆସିଛି । ତେବେ ପ୍ରଶାସନ ପକ୍ଷରୁ ବେଆଇନ ପଥର ଚାଲାଣ ଉପରେ ଜୋରିମାନା ବ୍ୟତୀତ ଅନ୍ୟ ପଦକ୍ଷେପ ନିଆଯାଇନାହିଁ । ଆଜି ଖଣି ମାଫିଆଙ୍କ ବିରୋଧରେ ଓଳସିଂହ ପଂଚାୟତର ଆଦିବାସୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଗ୍ରାମବାସୀଙ୍କ କହିବାନୁସାରେ, ଟାଙ୍ଗୀ ବ୍ଲକ ଓଳସିଂହ ପଂଚାୟତର ପ୍ରାୟ ୨୦ ଆଦିବାସୀ ସଅର ପରିବାରଙ୍କୁ ୧୯୯୧ରେ ସରକାର ନୟାକୋଟ ମୌଜାରେ ଥିବା ଖାତା ନଂ ୨୮୪/ପ୍ଲଟ ନଂ ୪୨୪ରେ ଜଣଙ୍କ ପିଛା ୫୫୦ ଡେସିମଲ ଜମି ଦେଇଥିଲେ । ପରବର୍ତୀ ସମୟରେ ଭୋଗଦଖଲ କରିଥିବା ଖାତା ନଂ ୨୯୩/ପ୍ଲଟ ନଂ ୪୪୦ର ଜମି ଅନ୍ୟ ୨୦ ଜଣଙ୍କୁ ଜମି ଦିଆଯାଇଥିଲା । ଏହି ଜମି ପ୍ରଦାନ ବେଳେ ସରକାରଙ୍କ ଚୁକ୍ତି ଅନୁସାରେ ଜମି କାହାରିକୁ ବିକ୍ରି କରିପାରିବେ ନାହିଁ କିନ୍ତୁ ଉଦ୍ୟାନ ଭିତ୍ତିକ ଚାଷ କରି ନିଜର ଜୀବିକା ନିର୍ବାହ କରିବେ । ଏହି ଅନୁସାରେ ଆଦିବାସୀ ପରିବାର ସେଠାରେ କାଜୁ ଜଙ୍ଗଲ ସୃଷ୍ଟି କରି ପରିବାର ଚଳାଉଥିଲେ ।
ତେବେ ଗତ କିଛି ମାସରେ ଏହି ଜମିରେ ଓଳସିଂହ ଓ ଦେଉଳିପାଟଣାର ଦୁଇଜଣ ଖଣି ମାଫିଆ ବଳପୂର୍ବକ କାଜୁ ଜଙ୍ଗଲ ସଫା କରି ମାଙ୍କଡ଼ା ପଥର ଖୋଳିବା ଆରମ୍ଭ କରିଛନ୍ତି । ଏନେଇ ୪୦ ଆଦିବାସୀ ପରିବାର ପ୍ରତିବାଦ କରିଥିଲେ, କିନ୍ତୁ ଖଣି ମାଫିଆ ସେମାନଙ୍କୁ ଗୁଣ୍ଡା ଲଗାଇ ବନ୍ଧୁକ ଓ ବୋମା ଦ୍ୱାରା ଧମକଚମକ ଦେବା ସହ ପ୍ରତିବାଦ କଲେ ପରିଣାମ ଭୟାବହ ହେବ ବୋଲି କହିଥିଲେ । ଏହାପରେ ସେମାନେ ଜଙ୍କିଆ ଥାନା, ଟାଙ୍ଗୀ ତହସିଲଦାର ଓ ଅଚ୍ୟୁତପୁର ରାଜସ୍ୱ ନିରୀକ୍ଷକଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ । ଏଣୁ ସେମାନେ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ବୋଲି ୱାର୍ଡ ମେମ୍ବର ବାସନ୍ତି ନାୟକ କହିଛନ୍ତି ।
ଧାରଣା ପରେ ଗ୍ରାମବାସୀମାନେ ଉପଜିଲ୍ଲାପାଳ ଇଶାଲୱର ଗୌରବ ଶିବାଜୀଙ୍କୁ ଦାବିପତ୍ର ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଓଳସିଂହର ପ୍ରାୟ ୩୦ ଆଦିବାସୀ ପରିବାରର ସଦସ୍ୟ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର