ଯାଜପୁରଟାଉନ/ସଦର: ଯାଜପୁରର ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କୁ ମିଥ୍ୟା ମାମଲାରେ ଗିରଫ କରିବା ଓ ବିଂଝାରପୁରର ସୂଚନା ଅଧିକାର କର୍ମୀ ସୀମାନ୍ତ ପାତ୍ରଙ୍କୁ ଉଠାଇ ନେଇ ମାଡ଼ ମାରିବା ପ୍ରତିବାଦରେ ଆଜି ଓଡ଼ିଶା ସୂଚନା ଅଧିକାର ଅଭିଯାନ ଯାଜପୁର ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି।
ପ୍ରକାଶ ଯେ, ଆଜି ସଂଗଠନର ୫୦ରୁ ଊର୍ଦ୍ଧ୍ବ ସୂଚନା ଅଧିକାର କର୍ମୀ ଓ ସଦସ୍ୟ ଯାଜପୁର କିଆନାଳୀ କୂଳ ଛକରୁ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଘଟଣାର ନିରପେକ୍ଷ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଧର୍ମଶାଳାର ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା ପ୍ରଶାସନର ଅନେକ ଦୁର୍ନୀତି ସାମ୍ନାକୁ ଆଣିଥିବା ବେଳେ ମାଳମାଳ ଅଭିଯୋଗକୁ ନେଇ ହାଇକୋର୍ଟ, ଲୋକାୟୁକ୍ତ ଓ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।
ଏଥିପାଇଁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା କେସ୍ କରି ଜେଲ୍ ପଠାଯାଇଥିବା ସଂଗଠନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ କିଛିଦିନ ପୂର୍ବରୁ ବିଂଝାରପୁରର ସୂଚନା ଅଧିକାର କର୍ମୀ ସୀମାନ୍ତ ପାତ୍ରଙ୍କୁ ମଧ୍ୟ କିଛି ଅସାମାଜିକ ଲୋକ ଘରୁ ଉଠାଇନେଇ ମାଡ଼ ମାରିବା ସହ ଖରାପ ବ୍ୟବହାର କରିଥିଲେ। ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଚୁପ ରହିଛି। ଏହି ଘଟଣାକୁ ସଂଗଠନ ପକ୍ଷରୁ ଘୋର ନିନ୍ଦା କରାଯିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। କାର୍ଯ୍ୟକ୍ରମରେ ସୂଚନା ଅଧିକାର ଅଭିଯାନ ପକ୍ଷରୁ ସଂଯୁକ୍ତା ପାଣିଗ୍ରାହୀ, ଜିତେନ୍ଦ୍ର ସାହୁ, ତାରିଣୀ ପଟ୍ଟନାୟକ, ରବୀନ୍ଦ୍ର ଜେନା, ଭୁବନାନନ୍ଦ ସାମଲଙ୍କ ସମେତ ବହୁ ସଦସ୍ୟ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/17-13.jpg)