ଧାନମଣ୍ଡିର ଅବ୍ୟବସ୍ଥା ନେଇ ଚିଲିକା ଅଂଚଳ ଚାଷୀଙ୍କ ବିକ୍ଷୋଭ

ଖୋର୍ଦ୍ଧା : ଜିଲ୍ଲାରେ ଧାନମଣ୍ଡି ଆରମ୍ଭ ହୋଇ ୧ମାସ ପୂରିନାହିଁ, କିନ୍ତୁ ବିଭିନ୍ନ ସ୍ଥାନରୁ ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ଅଭିଯୋଗ ବଢ଼ିବାରେ ଲାଗିଛି । ଆଜି ଚିଲିକା-ବାଣପୁର ଅଂଚଳର ଶତାଧିକ ଚାଷୀ ଧାନମଣ୍ଡିର ଅବ୍ୟବସ୍ଥା ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାରେ ବାଣପୁର ଦେଓଗାଁ ସେବା ସମବାୟ ସମିତି ଅଧୀନରେ ପଂଜୀକୃତ ହୋଇଥିବା ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସମବାୟ ସମିତିର ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ପ୍ରଧାନଙ୍କ କହିବାନୁସାରେ, ଦେଓଗାଁ ଓ ଆୟତପୁର ପଂଚାୟତର ୪୦୦ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାକୁ ଅନ୍ଲାଇନ୍ ପଂଜୀକରଣ କରିଥିଲେ । ଧାନମଣ୍ଡିରେ ଟୋକେନ୍ ପାଇଥିବା ଚାଷୀ ଧାନ ବିକ୍ରି କରିପାରୁନଥିବାରୁ ଏନେଇ ଯୋଗାଣ ବିଭାଗ, ଜିଲ୍ଲାପାଳଙ୍କୁ ଲିଖିତ ଦରଖାସ୍ତ ଦେଇଥିଲେ । ତେବେ ଏହା ମଧ୍ୟରେ ୧୦ ଦିନ ବିତିଯାଇଥିଲେ ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନ ନହେବାରୁ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଚାଷୀ କମିଟିର ଆବାହକ ପ୍ରଦୀପ କୁମାର ସ୍ୱାଇଁ କହିଛନ୍ତି ଯେ ଚଳିତ ବର୍ଷ ନୁହେଁ ପ୍ରତିବର୍ଷ ଚାଷୀମାନଙ୍କୁ ପଂଜୀକରଣ କରାଯାଉଛି । ସେମାନଙ୍କୁ ଟୋକେନ୍ ପଠାଯାଉଛି, କିନ୍ତୁ ଅଧିକାଂଶ ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି । ମଣ୍ଡି ସହ ଯେଉଁ ମିଲରମାନଙ୍କ ଅନୁବନ୍ଧିତ ହୋଇଛନ୍ତି ସେମାନେ ନିର୍ଦ୍ଧାରିତ ସମୟରେ ଚାଷୀଙ୍କ ଠାରୁ ଧାର୍ଯ୍ୟ ଧାନ କିଣୁନାହାନ୍ତି । ଫଳରେ ଚାଷୀ ପ୍ରତିବର୍ଷ ଧାନ ବିକ୍ରି କରିନପାରି ଘୋର ଆର୍ଥିକ ଅନଟନର ସମ୍ମୁଖିନ ହେଉଛି ।

ଆଜିର ଏହି ବିକ୍ଷୋଭ ଓ ଧାରଣାରେ ଚାଷୀଙ୍କ ସହ ଖୋର୍ଦ୍ଧାରୁ ବରିଷ୍ଠ ଓକିଲ ଶିଶିର କୁମାର ପରିଡ଼ା, କମିଟିର ଉପସଭାପତି ତ୍ରିନାଥ ସାହୁ, ସଭାପତି ସମୀର ସାମନ୍ତରାୟ, ଚାଷୀ ବାଂଛାନିଧି ପ୍ରଧାନ, ମେଘାସ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ସନତ କୁମାର ମହାନ୍ତି ଚାଷୀମାନଙ୍କ ନିକଟକୁ ଆସି ସେମାନଙ୍କ ସମସ୍ୟା ଶୁଣିବା ସହ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ସମ୍ବନ୍ଧିତ ଖବର