ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ପୌରପାଳିକା ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ବ୍ଲକ୍ପଡ଼ାଠାରେ ପାନୀୟ ଜଳ ଯୋଗାଣରେ ଅନିୟମିତତା ଅଭିଯୋଗ ହୋଇଛି। ନିୟମିତ ପାନୀୟ ଜଳଯୋଗାଣ ଦାବିରେ ଶୁକ୍ରବାର ସ୍ଥାନୀୟ ଲୋକେ ପୌରାଧ୍ୟକ୍ଷାଙ୍କୁ ଘେରିଥିଲେ। ପୌର ପାଳିକାରେ ମୁକ୍ତା ଯୋଜନା ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପକୁ ନେଇ ଶୁକ୍ରବାର ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟ ସଭାଗୃହଠାରେ ୫-ଟି ସଚିବଙ୍କ ସହ ଆଭାସୀ ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ସ୍ଥାନୀୟ ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀ, ପୌରାଧ୍ୟକ୍ଷା ମମତା ଦେବୀ ଜୈନ, ବିଡିଓ ନବୀନ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇଥିଲେ। ଖବର ପାଇ ସ୍ଥାନୀୟ ୱାର୍ଡବାସୀ ବ୍ଲକ୍ କାର୍ଯ୍ୟାଳୟକୁ ଆସି ମୁଖ୍ୟଦ୍ୱାର ନିକଟରେ ନିୟମିତ ପାନୀୟ ଜଳଯୋଗାଣ ଦାବି କରି ଘେରାଉ କରିଥିଲେ। ବୈଠକ ସାରି ପ୍ରଥମେ ପୌରାଧ୍ୟକ୍ଷା ଫେରୁଥିବା ବେଳେ ୱାର୍ଡବାସୀ ତାଙ୍କୁ ଘେରିଥିଲେ।
ଅଭିଯୋଗ ଅନୁଯାୟୀ, ସହରରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏହି ୱାର୍ଡକୁ ୭ ଦିନରୁ ୧୦ ଦିନ ବ୍ୟବଧାନରେ ଥରେ ଜଳଯୋଗାଣ ହେଉଛି। ଚଳିତ ଥର ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଣରେ ଅଙ୍କୁଶ ଲଗାଯାଇଥିବା ବେଳେ ବଡ଼ବଡିଆଙ୍କ ଘରକୁ ଟ୍ୟାଙ୍କରରେ ପାଣି ଦିଆଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ଏହି ଅଞ୍ଚଳ କୁମୁଡ଼ା ପାହାଡ଼ ପାଦଦେଶରେ ଥିବା ଓ ପାହାଡ଼ିଆ ଅଞ୍ଚଳ ହୋଇଥିବା ଯୋଗୁଁ ଏଠାକାର କୂଅ, ନଳକୂଅ ଆଦିରୁ ଖରାଦିନେ ପାଣି ମିଳେ ନାହିଁ। କେବଳ ପାଇପ ଯୋଗେ ଯୋଗାଣ ହେଉଥିବା ଜଳ ଉପରେ ଅଞ୍ଚଳବାସୀ ନିର୍ଭରଶୀଳ ଥିବା ବେଳେ ଏଥିରେ ମଧ୍ୟ ଅନିୟମିତତା ଯୋଗୁଁ ଅଞ୍ଚଳବାସୀ ନାହିଁ ନଥିବା ଜଳକଷ୍ଟ ଭୋଗୁଥିବା ଅଭିଯୋଗ କରିଛନ୍ତି। ଅଧ୍ୟକ୍ଷା ଶ୍ରୀମତୀ ଜୈନ ସମସ୍ୟା ସମ୍ୱନ୍ଧରେ ଅବଗତ ହୋଇ ଘଟଣାସ୍ଥଳରୁ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ। ତେବେ ସେହି ସମୟରେ ସ୍ଥାନୀୟ ଜଣେ ଯୁବକଙ୍କ ସହ ତାଙ୍କ କଥା କଟାକଟି ହୋଇଥିଲା। ଯୁବକ ଜଣକ ଉତ୍ତେଜିତ ହୋଇ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଯଥାଶୀଘ୍ର ସମସ୍ୟାର ସମାଧାନ କରିବାକୁ ଶ୍ରୀମତୀ ଜୈନ ଅଞ୍ଚଳବାସୀଙ୍କୁ କହିଥିଲେ।