ମମିତା ମେହେରଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ, ମହମବତି ଶୋଭାଯାତ୍ରା

ବଲାଙ୍ଗୀର/କଂଟାବାଞ୍ଜି: ମହାଲିଙ୍ଗ ସନ୍‌ସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ଅପହରଣ କରି ନିର୍ମମ ହତ୍ୟାର ପ୍ରତିବାଦରେ ଏଆଇଡିଏସ୍‌ଓ, ଏଆଇଡିୱାଇଓ, ଏଆଇଏମ୍‌ଏସ୍‌ଏସ୍ ବଲାଙ୍ଗୀର ଶାଖା ତରଫରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପ୍ଲାଟିନିମ ଜୁବିଲି ଗେଟ ଏବଂ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବର୍ମା କମିସନ ସୁପାରିସ ଅନୁଯାୟୀ ଫାଷ୍ଟଟ୍ରାକ୍ କୋର୍ଟ ମାଧ୍ୟମରେ ଅପରାଧୀମାନଙ୍କର ବିଚାର କରାଯାଇ ଗୋବିନ୍ଦ ସାହୁ ସମେତ ସଂପୃକ୍ତ ମନ୍ତ୍ରୀ ଓ ଅନ୍ୟାନ୍ୟ ଅପରାଧୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ମମିତା ମେହେରଙ୍କ ପରିବାରକୁ ଅନୁକମ୍ପାମୂଳକ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ସାରା ଓଡ଼ିଶାରେ ଛାତ୍ରଛାତ୍ରୀ, ଯୁବକଯୁବତୀ ଏବଂ ମହିଳାମାନଙ୍କୁ ନେଇ ଆନ୍ଦୋଳନ କରାଯାଉଛି। ଏଆଇଏମ୍‌ଏସ୍‌ଏସ୍ ଓଡ଼ିଶା ରାଜ୍ୟ କମିଟି ସଭ୍ୟା ମନ୍ଦୋଦରୀ ରାଉଳଙ୍କ ନେତୃତ୍ୱରେ ଅନୁଷ୍ଠିତ ଆଜିର ପ୍ରତିବାଦ ସଭାରେ ଏଆଇଡିଏସ୍‌ଓ ବଲାଙ୍ଗୀର ଜିଲ୍ଲା ସଭାପତି ରାଜେନ୍ଦ୍ର ରଣା, ସିଦ୍ଧାନ୍ତ ମହାକୁର ଏବଂ ଅନନ୍ୟା ଦାନୀଙ୍କ ସମେତ ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ସାମିଲ ଥିଲେ।

ମମିତା ମେହେରଙ୍କ ହତ୍ୟାକାରୀକୁ ଫାଶୀ ଓ ମମିତାଙ୍କ ପରିବାର ଲୋକଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗୁରୁବାର ସନ୍ଧ୍ୟାରେ ତାଙ୍କ ଗାଁ ଝରଣୀରେ ଏକ ମହମବତି ଶୋଭାଯାତ୍ରା କରାଯାଇଛି। ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ ଓ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଗିରଫ ଦାବି କରାଯାଇଛି। ଝରଣୀ ଗାଁର ମମିତାଙ୍କ ବଡ଼ବାପା କୌଶିକ ମେହେର, ବାସନ୍ତି ମେହେର ସମେତ ଶତାଧିକ ମହିଳା, ପୁରୁଷ, ଛୋଟ ପିଲା ହାତରେ କ୍ୟାଣ୍ଡଲ ଧରି ଗାଁର ଲକ୍ଷ୍ମୀ ମନ୍ଦିର ପରିସରରୁ ଶୋଭାଯାତ୍ରାରେ ବାହାରି ଗାଁ ପରିକ୍ରମା କରିଥିଲେ। ମମିତାଙ୍କ ଆତ୍ମାର ଶାନ୍ତି ପାଇଁ ଦୀପ ପ୍ରଜ୍ୱଳନ କରିଥିଲେ।

ସମ୍ବନ୍ଧିତ ଖବର